ଉତ୍ତର ପ୍ରଦେଶ ପୁଲିସ ଠାରୁ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା ଗ୍ରହଣ କରି ‘ଏଫ୍‌ଆଇଆର୍‌’ ଫାଇଲ୍‌ କଲା ‘ସିବିଆଇ’

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପୁଲିସ ଠାରୁ ‘ଅଖିଳ ଭାରତୀୟ ଆଖଡ଼ା ପରିଷଦ୍‌’ର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା ଗ୍ରହଣ କରିବା ପରେ ଆଜି ‘ସିବିଆଇ’ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରିଛି। ସୋମବାର ଦିନ ବାଘମ୍ବରୀ ଗଦ୍ଦୀସ୍ଥିତ ଆପଣା କକ୍ଷରେ ମହନ୍ତ ନରେନ୍ଦ୍ର ଗିରିଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କ ମୃତ୍ୟୁ ଘଟଣାର ‘ସିବିଆଇ’ ତଦନ୍ତ ପାଇଁ ରାଜ୍ୟ ସରକାର ସୁପାରିସ କରିବାରୁ ଉକ୍ତ ‘ଏଫ୍ଆଇଆର୍’ ଫାଇଲ୍‌ କରାଯାଇଛି। ତଦନ୍ତ ନିମନ୍ତେ ‘ସିବିଆଇ’ର ଦିଲ୍ଲୀ ମୁଖ୍ୟାଳୟରୁ ଏକ ୬ଜଣିଆ ଟିମ୍‌ ପ୍ରୟାଗରାଜ ଅଭିମୁଖେ ଯାଇଥିବା କଥା ବିଷେଶସୂତ୍ରରୁ ଜଣାପଡ଼ିଛି। ‘ସିବିଆଇ’ର ‘ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌’ ଏହି ମାମଲାର ତଦନ୍ତ କରିବ ଏବଂ ତଦନ୍ତ ନିମନ୍ତେ ୬ଜଣିଆ ଟିମ୍‌ ଗଠନ କରାଯିବ ବୋଲି ପୂର୍ବରୁ ସୂଚନା ମିଳିଥିଲା।