ମହାପ୍ରଭୁଙ୍କ ଛପନ ଭୋଗରେ ମରିଚିଲଡୁ ଜାଣନ୍ତୁ..

କଳା ମୁଗୁନି ପଥର ନିର୍ମିତ ବିଗ୍ରହର..

ଶ୍ରୀକ୍ଷେତ୍ରର ରକ୍ଷା କାରୀଣୀ ଭାବେ ଏହାର ଆଠ ଦିଗକୁ ବେଢ଼ି ରହିଛନ୍ତି ଅଷ୍ଟ ଚଣ୍ଡୀ ଯଥା ମା’ ସର୍ବ ମଙ୍ଗଳା,ବଟମଙ୍ଗଳା,ଦକ୍ଷିଣ କାଳିକା,ମରିଚେଇ, ବାରାହୀ,ବିଶ୍ୱେଶ୍ୱରୀ, ହରଚଣ୍ଡୀ l ଏହି ଅଷ୍ଟଚଣ୍ଡୀ ମାନଙ୍କ ମଧ୍ୟରୁ ମା’ ମରିଚେଇ ଅନ୍ୟତମା l ମାଆ ଭକ୍ତ ବତ୍ସଳା, ଉଗ୍ରରୂପା l ଶ୍ରୀମନ୍ଦିରର ସେବାରେ ମାଆଙ୍କ ବହୁ ଭୂମିକା ରହିଛି l ମାଆ ଦୟାମୟୀ, ଅବସ୍ଥାନ କରିଛନ୍ତି ଶ୍ରୀକ୍ଷେତ୍ରର ମରିଚିକୋଟ ଛକ ନିକଟରେ l ମରିଚିକୋଟ ଛକଠାରୁ ଶ୍ରୀମନ୍ଦିର ଯିବା ପଥରେ ବଡ଼ ଦାଣ୍ଡର ବାମ ପାର୍ଶ୍ଵରେ ରହିଛି ମରିଚିକୋଟ ଯାଗା l ଏହି ସ୍ଥାନରେ ମାଆ ମରିଚେଇ ପୂଜିତା l

ଶ୍ରୀମନ୍ଦିର ପ୍ରତିଷ୍ଠା ହେବା ପରେ, ଏହାର ସୁରକ୍ଷା ପାଇଁ ଚାରିଦିଗରେ କୋଟ ଅର୍ଥାତ ସୈନ୍ୟ ରହିବା ସ୍ଥାନମାନ ପ୍ରତିଷ୍ଠା କରାଯାଇଥିଲା l ପୂର୍ବ ଦିଗରେ ଥିବା କୋଟ ମରିଚିକୋଟ l କଲ୍ୟାଣମୟୀ ମାଆ ମରିଚେଇଙ୍କ ଅନ୍ୟ ନାମ ମରୀଚିକା ବା ମର୍ଚ୍ଚିକା l ମାଆ ମରୀଚିକା ଶ୍ରୀକ୍ଷେତ୍ରରେ ବିରାଜମାନ କରି ଅନାଦି କାଳରୁ ଭକ୍ତ ମାନଙ୍କ ମନୋବାଞ୍ଛା ପୂରଣ କରି ଆସୁଛନ୍ତି ମାଆଙ୍କ ଶ୍ରୀକ୍ଷେତ୍ରରେ ଅବସ୍ଥିତି ସ୍କନ୍ଧ ପୁରାଣରେ ବର୍ଣ୍ଣିତ ହୋଇଛି :-‘କାଳରାତ୍ରିର୍ଦକ୍ଷିଣସ୍ୟାମ୍ ପୂର୍ବସ୍ୟାନ୍ତୁ ମରିଚିକା’

ମାଆ ସଙ୍କଟହାରିଣୀ,ମଙ୍ଗଳମୟୀ, ଭକ୍ତବତ୍ସଳା l ସର୍ବ ମୁକ୍ତି ପ୍ରଦାୟିନୀ ମାଆଙ୍କର ମହିମା ବର୍ଣ୍ଣନା କରି ବାମଦେବ ସଂହିତା କୁହନ୍ତି :- ‘ପ୍ରାସାଦ ପୂର୍ବଭାଗେ ତୁ ତିଷ୍ଠତି ସା ମରୀଚିକା l ତସ୍ୟା ଦର୍ଶନମାତ୍ରେଣ ସର୍ବକାମଫଲଂ ଲଭେତ l ‘

ମାଆଙ୍କ କ୍ଷୁଦ୍ର ମଣି ବିଗ୍ରହ ଏକ ରେଖ ମନ୍ଦିରରେ ବିରାଜିତ l ମନ୍ଦିରଟି ଛୋଟ l ମାଆ ଅଷ୍ଟ ଭୁଜା ଓ ହସ୍ତରେ ଧାରଣ କରିଛନ୍ତି ତ୍ରିଶୂଳ,ଶଙ୍ଖ,ଖଡ୍ଗ,ଗଦା ଅଙ୍କୁଶ,ମାଳା,ବଜ୍ର ଏବଂ ଚକ୍ର ମାଆ ଶକ୍ତିମୟୀ ଶବାରୁଢ଼ା l କଳା ମୁଗୁନି ପଥର ନିର୍ମିତ ବିଗ୍ରହର ଉଚ୍ଚତା ପ୍ରାୟ ଦୁଇ ଫୁଟ ହେବ l ମାଆ ପଶ୍ଚିମକୁ ମୁଖ କରି, ବିଜେ କରିଛନ୍ତି l ପାର୍ଶ୍ୱ ଦେବା ଦେବୀ ଭାବେ ମନ୍ଦିରରେ ରହିଛନ୍ତି ଗଣେଶ, ସରସ୍ବତୀ, ମହାଲକ୍ଷ୍ମୀ, ନାରସିଂହୀ, ବାରାହୀ l ମନ୍ଦିର ଦ୍ୱାର ଦେଶରେ ଅଛନ୍ତି ଗଙ୍ଗା, ଯମୁନା, ଛାୟା, ମାୟା l ଉଭୟ ପାର୍ଶ୍ୱ କାନ୍ଥରେ ରହିଛନ୍ତି ଦଶ ମହାବିଦ୍ୟା ଓ ନବଦୁର୍ଗାଙ୍କ ଖୋଦିତ ମୂର୍ତ୍ତି l

ଶାରଦୀୟ ନବରାତ୍ରରେ ମରିଚେଇଙ୍କ ନିକଟରେ ଷୋଳ ପୂଜା ଅନୁଷ୍ଠିତ ହୋଇଥାଏ l ଷୋଳ ପୂଜା ସମୟରେ ଭିନ୍ନଭିନ୍ନ ବେଶରେ ସଜ୍ଜିତହୋଇ ସେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି l ପବିତ୍ର ଦଶହରାରେ ମାଆ ରାଜରାଜେଶ୍ୱରୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥାନ୍ତି l ସେ ପରମ ବୈଷ୍ଣବୀ l ତାଙ୍କ ନିକଟରେ କୌଣସି ଆମିଷ ନୈବେଦ୍ୟ ନିଷେଧ l ମାତ୍ର, ଶାରଦୀୟ ଦୁର୍ଗା ପୂଜାର ସପ୍ତମୀ, ଅଷ୍ଟମୀ ଏବଂ ନବମୀ ରାତ୍ରିରେ ତାଙ୍କ ନିକଟରେ ଆମିଷ ଭୋଗ ନିବେଦନ କରାଯାଏ କିନ୍ତୁ ଏହି ଆମିଷ ଭୋଗ ମନ୍ଦିରରେ ଥିବା ଛାୟା ମାୟାଙ୍କୁ ସମର୍ପିତ ହୋଇଥାଏ l ପବିତ୍ର ମହାଷ୍ଟମୀର ମଧ୍ୟ ରାତ୍ରରେ ମା’ ବିମଳାଙ୍କ ଗୁପ୍ତ ନୀତି ପରେ ମାଆଙ୍କୁ ଶଙ୍ଖୁଡ଼ି ଭୋଗ ଲାଗି ହୋଇ ଥାଏ l ବାସନ୍ତିକ ଦୁର୍ଗା ପୂଜା ଏଠାରେ ଵିଧି ଅନୁସାରେ ପାଳିତ ହୁଏ l ମାଆଙ୍କୁ ଭୁବନେଶ୍ୱରୀ ମନ୍ତ୍ରରେ ପୂଜା କରାଯାଏ ଶ୍ରୀମନ୍ଦିରର ଅନେକ ନୀତି ସହ ମାଆଙ୍କ ସମ୍ପର୍କ ଅଛି l ବର୍ଷର କେତେକ ଉତ୍ସବରେ ଶ୍ରୀ ମନ୍ଦିରରୁ ଚଳନ୍ତି ପ୍ରତିମା ମା’ ମରିଚେଇଙ୍କ ମନ୍ଦିରକୁ ବିଜେ କରିଲାପରେ ପନ୍ତି ଭୋଗ ଅନୁଷ୍ଠିତ ହୋଇଥାଏ l ତନ୍ମଧ୍ୟରୁ କେତେକ ମୁଖ୍ୟ ପର୍ବ ହେଲା, ହନୁମାନ ଜୟନ୍ତୀ, ଅକ୍ଷୟ ତୃତୀୟା, ନୃସିଂହ ଜନ୍ମ, ଗୁଣ୍ଡିଚା ଯାତ୍ରା, ହେରା ପଞ୍ଚମୀ, ଦୋଳ ପୂର୍ଣ୍ଣିମା, ଦୟଣା ଚୋରି, ପୁଷ୍ୟାଭିଷେକ ଇତ୍ୟାଦି l ଚଳନ୍ତି ପ୍ରତିମା ଗୁଡ଼ିକୁ ମାଆ ସଙ୍ଖୋଳି ନେଇ,ଶ୍ରଦ୍ଧାଳୁ ମାନଙ୍କର ମନ ମୋହି ନିଅନ୍ତି l

ମହାପ୍ରଭୁଙ୍କ ଛପନ ଭୋଗରେ ଲାଗି ହେଉଥିବା ମରିଚିଲଡ଼ୁ ମାଆ ମରିଚେଇଙ୍କ ନାମରେ ନାମିତ ବୋଲି ଗବେଷକ ମାନେ ମତ ଦିଅନ୍ତି l