ବିରାଟ ପୁରୁଷ କାହାକୁ କହନ୍ତି ?

ନାରାୟଣ ଦେବ ସିଂହାସନ ଉପରେ ବସିଥିବା ବେଳେ ପକ୍ଷୀରାଜ ଗରୁଡ଼ ବୈକୁଣ୍ଠ ପୁରରେ ପ୍ରବେଶ ହୋଇ ବିଷ୍ଣୁ ଭଗବାନଙ୍କୁ ସଭକ୍ତି ପ୍ରଣାମ କରି କହିଲା ହେ ପ୍ରଭୁ ! ମୋ ମନ ରେ ପୁନଶ୍ଚ ଗୋଟିଏ ପ୍ରଶ୍ନ ଆସୁଛି ?ସେହି ପ୍ରଶ୍ନ ଟି ହେଲା..ବିରାଟ ପୁରୁଷ କାହାକୁ କହନ୍ତି ? ଉତ୍ତର ମୋତେ ବିସ୍ତାର କରି କୁହନ୍ତୁ ପ୍ରଭୁ ?

ଗରୁଡ଼ ର ଏପରି ଆଗ୍ରହ ଦେଖି ଭଗବାନ ବିଷ୍ଣୁ ଅଳ୍ପ ହସି ଧୀର ଓ ମଧୁର ବାଣୀ ରେ ଗରୁଡ଼କୁ କହୁଛନ୍ତି.. ହେ ଗରୁଡ଼ ! ଚତୁର୍ଦ୍ଦଶ ବ୍ରହ୍ମାଣ୍ଡରେ ଯେତେ ରୂପ ଅଛି ସେ ସବୁ ରୂପ ବିରାଟ ପୁରୁଷ ଅଙ୍ଗରେ ସମସ୍ତେ ଅଛନ୍ତି । ପାଦତଳେ ପାତାଳ ଓ ବିତଳ ତାଙ୍କ ପାଦଉପରେ ରେ ଅଛି । ଜାନୁ ଦେଶରେ ସୁତଳ ସର୍ବଦା ବାସ କରେ । ଜାନୁର ଉର୍ଦ୍ଧ ରେ ମହାତଳ ବିରାଜମାନ କରେ । କଟି ଦେଶରେ ତଳାତଳ ବାସ କରୁଥାଏ । ଗୁହ୍ୟରେ ରସାତଳ ସ୍ଥିତି କରିଅଛି । ବିରାଟ ପୁରୁଷଙ୍କ କଟିତଳୁ ପାଦ ଯାଏ ସପ୍ତ ପାତାଳ ଓ ସପ୍ତ ମଣ୍ଡଳ ବାସ କରିଥାନ୍ତି । ନାଭି ମଧ୍ୟରେ ଭୁଲୋକ ଉର୍ଦ୍ଧ୍ବ ରେ ଭୁବ ଲୋକ ,ହୃଦୟ ରେ ସ୍ୱଲୋକ ଓ କଣ୍ଠରେ ମହାଲୋକ ବସିଛନ୍ତି। ମୁଖରେ ଜନ ଲୋକ ,କପାଳରେ ତପ ଲୋକ ,ବ୍ରହ୍ମରନ୍ଦ୍ର ରେ ସତ୍ୟଲୋକ ବାସ କରୁଛନ୍ତି । ହୃଦୟ ପଦ୍ମରେ ତ୍ରିକୋଣ ଆକାରରେ ସାତ କୁଳାଚଳ ପର୍ବତ ବାସ କରୁଛନ୍ତି । ବିରାଟ ପୁରୁଷ ଙ୍କ ହୃଦ ସିଂହାସନ ଉପରେ ଯେଉଁ ପଦ୍ମ ଅଛି ସେଥିରେ ଶିବ ଭଗବାନ ବସି ଯୋଗ କରୁଛନ୍ତି । ଭଗବାନ ବିଷ୍ଣୁ ଏକ ଲୟ ରେ ଏସବୁ ରଖିଛନ୍ତି ନିଜ ଶରୀର ମଧ୍ୟରେ ।

ଭଗବାନ ବିଷ୍ଣୁ ଙ୍କ ହୃଦ ପଦ୍ମ ରେ ଥିବା ତ୍ରିକୋଣ ରୁ ମେରୁ ପର୍ବତ ସୃଷ୍ଟି ହୋଇଛି । ମେରୁ ପର୍ବତ ତଳେ ମନ୍ଦିର ଗୋଟିଏ ଶୋଭା ପାଇଲା । ଦକ୍ଷିଣ ଦିଗରେ କୈଳାସ ବାମରେ ହିମାଳୟ ପର୍ବତ ସୃଷ୍ଟି ହେଲା । ମେରୁ ପର୍ବତ ନିକଟରେ ଗନ୍ଧମାର୍ଦ୍ଦନ ପର୍ବତ ଅଛି ।ଏହିପରି ସପ୍ତ କୁଳାଚଳ ମାନେ ବିରାଟ ପୁରୁଷଙ୍କ ଦେହରେ ଅଛନ୍ତି ।

ହେ ଗରୁଡ଼ ! ବିରାଟ ପୁରୁଷ ଙ୍କ ଅସ୍ଥିରେ ଜମ୍ବୁଦ୍ବୀପ ଅଛି । ତାଙ୍କ ମଜ୍ଜାରେ ଶାକ ଦ୍ବୀପ ବିରାଜମାନ କରୁଛି । ମାଂସରେ କୁଶ ଦ୍ବୀପ ଶିର ରେ କ୍ରୋଞ୍ଚଦ୍ବୀପ ,ଚର୍ମରେ ଶାଳ୍ମଳୀ ,ରୋମରେ ପକ୍ଷ ଦ୍ବୀପ ବାସ କରନ୍ତି ।

ହେ ଗରୁଡ଼ ! ନର୍ମଦା ଆଦି ତୀର୍ଥମାନେ ବିରାଟ ପୁରୁଷଙ୍କ ଶରୀର ରେ ବାସ କରନ୍ତି । ସପ୍ତ ସାଗର ମଧ୍ୟ ଏହି ବିରାଟ ପୁରୁଷ ଙ୍କ ଦେହରେ ବିରାଜମାନ । ଲବଣ ସମୁଦ୍ର ,କ୍ଷୀର ସାଗର ,ସୁରା ସିନ୍ଧୁ ,ଦଧି ସିନ୍ଧୁ ବିରାଟ ପୁରୁଷ ଙ୍କ ସିଙ୍ଘାଣି ରୁ ସୃଷ୍ଟି ।ମଜ୍ଜାରୁ ଘୃତ ସାଗର ,ରକ୍ତରୁ ଇକ୍ଷୁ ସାଗର ଉତ୍ପତି ହୋଇଛି ।ବିନ୍ଦୁ ଚକ୍ର ମାନ ମଧ୍ୟ ବିରାଟ ପୁରୁଷ ଙ୍କ ଦେହରେ ଅଛି । ନାଦ ବିନ୍ଦୁ ,ଚକ୍ର ବିନ୍ଦୁ ଏସବୁ ଶରୀର ରେ ବାସକରେ । ନାଦ ଚକ୍ରରେ ସୂର୍ଯ୍ୟ ବାସ କରନ୍ତି । ବିନ୍ଦୁ ଚକ୍ରରେ ଚନ୍ଦ୍ର ବାସ କରନ୍ତି ।

ହେ ଗରୁଡ଼ ଏବେ ବିରାଟ ପୁରୁଷ ଶରୀର ମଧ୍ୟରେ ଗ୍ରହ ମାନଙ୍କ ବାସ କଥା ଶୁଣ ,,,,ନାଦ ବିନ୍ଦୁ ପରେ ରବି ବିନ୍ଦୁ ଥାଏ । ନୟନରେ ମଙ୍ଗଳ ଗ୍ରହ ,ହୃଦୟରେ ବୁଧ ,ନାଭିରେ ଗୁରୁ ,ଶୁକ୍ରେ ଶୁକ୍ର ,ନାଭିରୁ ଅଧ ଆଙ୍ଗୁଳି ଛାଡି ଶନି ବାସକରେ । ମୁଖରେ ସର୍ବଦା ରାହୁ ବାସ କରୁଥାଏ । କଣ୍ଠ ରେ କେତୁ ,ଏହିପରି ନବଗ୍ରହ ବିରାଟ ପୁରୁଷଙ୍କ ଦେହରେ ବାସ କରୁଛନ୍ତି ।

ହେ ଗରୁଡ଼ ! ଆମ ଶରୀର ମଧ୍ୟରେ କିପରି ବିରାଟ ପୁରୁଷ ର ରୂପ ବର୍ଣ୍ଣନା ହୋଇଛି ଶୁଣ ?
ଆମ ଶରୀରରେ ବିରାଟ ପୁରୁଷ ସୂକ୍ଷ୍ମ ରୂପରେ ଅଛନ୍ତି । ଗୁରୁ ସେବାକଲେ ଏ ସବୁ ଭେଦ ମିଳିବ ଗରୁଡ଼ ।ଗୁରୁଙ୍କ ମନ୍ତ୍ର ,,,ଅଜପା ମନ୍ତ୍ର କୁ ଯେଉଁଜନ ଜପିବ ତେବେ ବିରାଟ ରୂପକୁ ଦର୍ଶନ କରିବ । ପ୍ରଭାତରୁ ନିତ୍ୟକର୍ମ ସାରି ବିଧି ଅନୁସାରେ ଜପ ତପ କରି ପଦ୍ମାସନ ରେ ବସି ଦୃଢ ଚିତ୍ତରେ ହରି ନାମ ଧରି ଧ୍ୟାନରେ ଷଡ଼ ଚକ୍ର ଦର୍ଶନ କରିବ । ଏହି ଷଡ଼ ଚକ୍ରରେ ଦେବତା ମାନେ ଦର୍ଶନ ଦେବେ । ଆଗକୁ ଯିବାପାଇଁ ଦେବତାମାନେ ସାହାଯ୍ୟ କରିବେ ।

ଏହାପରେ ହୃଦ ମଧ୍ୟରେ ଯନ୍ତ୍ର ମନ୍ତ୍ର ସିଦ୍ଧ କରି ଅଜପାକୁ ଜପି ଚାଲିଲେ ଅକ୍ଳେଶ ରେ ବିରାଟ ପୁରୁଷଙ୍କୁ ଦର୍ଶନ କରିବ । ହେ ଗରୁଡ଼ ! ୠଷି ମାନେ ଏହିପରି ଧ୍ୟାନ କରି ଭଵ ସାଗରରୁ ପାରି ହୋଇ ଯାଆନ୍ତି ।