ଦେଓଘରରେ ରୋପୱେ ଦୁର୍ଘଟଣା: ୪୬ ଘଣ୍ଟା ପରେ ସରିଲା ଉଦ୍ଧାର କାର୍ଯ୍ୟ

ଝାଡଖଣ୍ଡ: ଝାଡଖଣ୍ଡର ଦେଓଘରରେ ରୋପୱେ ଦୁର୍ଘଟଣାର ୪୬ ଘଣ୍ଟା ପରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଅଧିକ ଉଚ୍ଚ ଓ ପାହାଡ ଦୁର୍ଗମ କାରଣରୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଲା । ସୂଚନାଯୋଗ୍ୟ ଯେ, ରବିବାର ଘଟଣା ଘଟିଥିଲେ ହେଁ ଅନ୍ଧାର ହୋଇଥିବାରୁ ସେଦିନ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରି ନଥିଲା ।

ସେହିପରି ଉଦ୍ଧାର ସମୟରେ ରସି ଛିଡିବା ଯୋଗୁ ଜଣେ ମହିଳା ତଳକୁ ଖସି ପଡିଥିଲେ । ଆଘାତ ଯୋଗୁ ଫ୍ରାକଚର ହୋଇଥିବାରୁ ସେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଉଦ୍ଧାର କାର୍ଯ୍ୟରେ ବାୟୁସେନାର ଏକ ବିମାନ ନିୟୋଜିତ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଗତ ରବିବାର ଶ୍ରଦ୍ଧାଳୁଙ୍କ ସହ ଅନେକ ଟ୍ରଲି ଯାତ୍ରା ଆରମ୍ଭ କରିଥିଲା । ହଠାତ୍‌ ରୋପୱେ କେବଲ ଉପରେ ଭାର ବଢିବାରୁ ଗୋଟିଏ ରୋଲର ଭାଙ୍ଗି ଯାଇଥିଲା । ଉକ୍ତ ଘଟଣାରେ ୨ ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ଆହତମାନଙ୍କ ମଧ୍ୟରେ ମହିଳା ଓ ଛୋଟ ଶିଶୁ ମଧ୍ୟ ସାମିଲ ଅଛନ୍ତି । ରାମନବମୀକୁ ନେଇ ପୂଜା କରିବାକୁ ଓ ବୁଲୁବାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଏଠାକୁ ଆସିଥିଲେ । ରୋପ-ୱେ’ ଦୁର୍ଘଟଣାରେ ୧୯ଟି ଟ୍ରଲିରେ ୪୮ ଜଣ ଲୋକ ଫସିଥିଲେ ।