ଡବ୍ଲ୍ୟୁଏଚଓର ଚେତାବନୀ: ଆଗକୁ ସିରିଞ୍ଜ ଅଭାବ ଦେଖାଦେବ!

ନୂଆଦିଲ୍ଲୀ: କୋଭିଡ ସଂକ୍ରମଣକକୁ ପ୍ରତିହତ କରିବା ପାଇଁ ସାରା ଦୁନିଆରେ ଟିକାକରଣକୁ ପ୍ରାଧାନ୍ୟ ଦିଆଯାଇଛି । ୨୦୨୨ ବେଳକୁ ବିଶ୍ୱରେ ସିରିଞ୍ଜ ଅଭାବ ଦେଖାଦେଇପାରେ ବୋଲି ଚର୍ଚ୍ଚା ହେଉଛି । ଆସନ୍ତାବର୍ଷ ବିଶ୍ୱରେ ପ୍ରାୟ ୨୦୦ କୋଟି ସିରିଞ୍ଜ ଆବଶ୍ୟକତା ଥିବା ବେଳେ ସେହି ପରିମାଣର ସିରିଞ୍ଜ ଉତ୍ପାଦିତ ସମ୍ଭାବନା ନାହିଁ ଆଶଙ୍କା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ସଂଗଠନର ଜଣେ ବରିଷ୍ଠ ପରାମର୍ଶଦାତା କହିଛନ୍ତି ଯେ, ବିଶ୍ୱରେ ଟିକାକରଣ ବଢୁଥିବାବେଳେ ସେହି ଅନୁସାରେ ସିରିଞ୍ଜ ଉତ୍ପାଦନ ହେଉନାହିଁ । ଟିକା ଅନୁସାରେ ସିରିଞ୍ଜ ଉତ୍ପାଦନ ବଢାଇବା ଦରକାର ବୋଲି ସେ କହିଛନ୍ତି । ବର୍ତ୍ତମାନ ସାରା ବିଶ୍ୱରେ ୭୨୫ କୋଟି କୋଭିଡ ଟିକା ଦିଆଗଲାଣି । ଏହାସହ ପିଲାଙ୍କୁ ଟିକାଦାନ ପ୍ରକ୍ରିୟା ଚାଲିଥିବାରୁ ସିରିଞ୍ଜର ବ୍ୟାପକ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଯଦି ଟିକାଦାନ ଲାଗି ଉନ୍ନତମାନର ସିରିଞ୍ଜର ଅଭାବ ରୁହେ ତେବେ ଅଣନିରାପଦ ସିରିଞ୍ଜ ବ୍ୟବହାର କରାଯିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି । ରପ୍ତାନୀ ଉପରେ କଟକଣା ଜାରି ହେଲେ ଆଗକୁ ଆହୁରି ସମସ୍ୟା ସୃଷ୍ଟି ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି ।