ସମ୍ଭାବ୍ୟ ଲଗାଣ ବର୍ଷା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ସମୀକ୍ଷା

ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ଯୋଗାଣ ଉପରେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ…

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ସମ୍ଭାବ୍ୟ ଲଗାଣ ବର୍ଷା ସଫଳ ମୁକାବିଲା ସମୟରେ ରାଜ୍ୟବାସୀଙ୍କୁ ନିରବଚ୍ଛିନ୍ନ ଓ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନେଇ ଆଜି ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ଆଭାସୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସମ୍ଭାବ୍ୟ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଇଥିବା ପ୍ରସ୍ତୁତି, ଜରୁରୀକାଳୀନ ସ୍ୱାସ୍ଥ୍ୟସେବା, ଔଷଧ ଓ ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀର ଉପଲବ୍ଧତା, ଆମ୍ବୁଲାନ୍ସ ବ୍ୟବସ୍ଥା ଏବଂ ହସ୍ପିଟାଲଗୁଡ଼ିକର ପ୍ରସ୍ତୁତି ଆଦି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା ।

ମନ୍ତ୍ରୀ ଡା. ମହାଲିଙ୍ଗ ସମସ୍ତ ଜିଲ୍ଲାରେ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯେପରି ବାଧାପ୍ରାପ୍ତ ନହୁଏ,ସେଥିପାଇଁ ସମସ୍ତ ଅଧିକାରୀଙ୍କୁ ସତର୍କ ଓ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ କହିଥିଲେ। ଲଗାଣ ବର୍ଷା ପ୍ରଭାବିତ ଅଞ୍ଚଳରେ ଜରୁରୀକାଳୀନ ଚିକିତ୍ସାସେବା ତୁରନ୍ତ ଉପଲବ୍ଧ କରାଇବା ସହ ହସ୍ପିଟାଲଗୁଡ଼ିକରେ ଆବଶ୍ୟକ ପ୍ରସ୍ତୁତି ଓ ସମ୍ପଦ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ଜନସାଧାରଣଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟସେବା ପ୍ରତି ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ।ସେ ସମ୍ଭାବ୍ୟ ଲଗାଣ ବର୍ଷାକୁ ନେଇ ଜନସାଧାରଣ ଭୟଭୀତ ନହୋଇ ସତର୍କ ରହିବା ସହ ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀକୁ ଅନୁସରଣ କରିବାକୁ ସେ ଅନୁରୋଧ କରିଛନ୍ତି ।

ଏହି ଆଭାସୀ ବୈଠକରେ ସ୍ୱାସ୍ଥ୍ୟ ବିଭାଗର କମିଶନର ତଥା ସଚିବ ଆସ୍ବତି ଏସ.,ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼. ରବୀନ୍ଦ୍ର ନାଥ ମିଶ୍ର,ସ୍ୱାସ୍ଥ୍ୟ ସେବା ନିର୍ଦେଶକ ମହେଶ ମୋହନ ପଣ୍ଡା,ଡିଏମଇଟି ଦୁର୍ଗା ମାଧବ ଶତପଥୀ,ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ ତଥା ସମସ୍ତ ମେଡିକାଲ କଲେଜର ଡିନ୍ ଓ ପ୍ରିନ୍ସିପାଲ ପ୍ରମୁଖ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ ।