ଘରୋଇ ହିଂସା ନିକଟରେ ଜାତି, ଧର୍ମ, ବର୍ଣ୍ଣ, ସଂପ୍ରଦାୟକୁ ତ୍ରାହି ମିଳିବନି

ନୂଆଦିଲ୍ଲୀ: ଜାତି, ଧର୍ମ, ବର୍ଣ୍ଣ, ସଂପ୍ରଦାୟ ଆଧାରରେ ଘରୋଇ ହିଂସା ଅଭିଯୁକ୍ତଙ୍କ ପ୍ରତି କୋହଳ ଆଭିମୁଖ୍ୟ ପୋଷଣ କରାଯାଇ ପାରିବନି ବୋଲି ଗୁରୁବାର ଦିଲ୍ଲୀ ହାଇକୋର୍ଟ ରୋକ୍‌ଠୋକ୍‌ ସ୍ପଷ୍ଟ କରିଛନ୍ତି । ମହିଳାଙ୍କ ଧନଜୀବନ ସୁରକ୍ଷା ପାଇଁ ଘରୋଇ ହିଂସା ଆଇନ ତିଆରି କରାଯାଇଛି ।

ଘରୋଇ ହିଂସା ସଂପର୍କୀତ ଏକ ମାମଲାରେ ତଳକୋର୍ଟ ରାୟକୁ ହାଇକୋର୍ଟରେ ଚାଲେଂଜ କରିଥିଲେ ଜନୈକ ବ୍ୟକ୍ତି ଓ ତାଙ୍କ ସଂପର୍କୀୟ । ପୀଡ଼ିତା ଜଣକ ମାଜିଷ୍ଟ୍ରେଟ୍‌ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନଥିଲେ ମଧ୍ୟ ତଳକୋର୍ଟ ଅଭିଯୁକ୍ତଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରି ନଥିଲେ ।

ତଳକୋର୍ଟଙ୍କ ନିଷ୍ପତିକୁ ଅଭିଯୁକ୍ତ ହାଇକୋର୍ଟରେ ଚାଲେଂଜ କରିଥିଲେ । ମାତ୍ର ହାଇକୋର୍ଟ ତଳକୋର୍ଟଙ୍କ ଆଭିମୁଖ୍ୟକୁ ଉଚିତ ମଣିଥିଲେ । ପୀଡ଼ିତାଙ୍କ ସ୍ୱାମୀ ହାଇକୋର୍ଟଙ୍କ ପିଟିସନରେ ଦର୍ଶାଇଥିଲେ ଯେ ତଳକୋର୍ଟରେ ପତ୍ନୀଙ୍କ ବାରମ୍ବାର ଅନୁପସ୍ଥିତି ଅଭିଯୁକ୍ତଙ୍କୁ ଅଯଥା ହଇରାଣ କରିବା ମନୋଭାବକୁ ବୁଝାଉଛି।

ତଥାପି ତଳକୋର୍ଟ ପୀଡ଼ିତାଙ୍କ ପିଟିସନ୍‌କୁ ବିଚାରଯୋଗ୍ୟ ମଣିଛନ୍ତି । ପୀଡ଼ିତା କୋଉ କାରଣରୁ କୋର୍ଟରେ ହାଜର ହୋଇପାରିଲେନି; ତାହା କୋର୍ଟ ଜାଣିବା ଜରୁରୀ ବୋଲି ଜଷ୍ଟିସ୍‌ ଅନୁପ କୁମାର ମେଣ୍ଡିରାଟ୍ଟା ମତାମତ ଦେଇଛନ୍ତି ।