‘ପାଖେଇ ଆସୁଛି ମୋଦୀଙ୍କ ଜେଲ ଯିବା ସମୟ’ ଶୁଣି ବିଜେପି ନିଆଁବାଣ

ପାଟନା: ‘ଖୁବ ଶୀଘ୍ର ନରେନ୍ଦ୍ର ମୋଦୀଙ୍କୁ ଜେଲ ଭିତରେ ଦେଖିବାକୁ ମିଳିବ । ତାଙ୍କର ଜେଲ ରହଣୀ ସମୟ ପାଖେଇ ଆସିଲାଣି ।’ ରାଷ୍ଟ୍ରୀୟ ଜନତା ଦଳ ପ୍ରତିଷ୍ଠାତା ଲାଲୁ ପ୍ରସାଦ ଯାଦବଙ୍କ ସୁପୁତ୍ରୀ ମିଶା ଭାରତୀଙ୍କ ଏ ପ୍ରକାର ଟିପ୍ପଣୀ ଶୁଣିବା ପରେ ବିଜେପି ଶିବିରରୁ ନାନା ପ୍ରତିକ୍ରିୟା ଶୁଣିବାକୁ ମିଳୁଛି । ବିଜେପିର ବରିଷ୍ଠ ନେତାମାନେ ମୋଦୀଙ୍କ ବିରୋଧରେ ପଦୁଟେ ଶୁଣିବାକୁ ନାରାଜ । ମୋଦୀଙ୍କୁ ପୂର୍ଣ୍ଣ ସୁରକ୍ଷା ଦେବା ପାଇଁ ବିଜେପିର ତଳଠାରୁ ଆରମ୍ଭ କରି ଉପର ନେତାମାନେ ଏକାକାର ହୋଇଯାଇଛନ୍ତି ।

କଂଗ୍ରେସର ଦୁର୍ବଳ ନେତୃତ୍ୱ ଓ ‘ଭାରତ ମେଂଟ’ରେ ସାମିଲ ଆଂଚଳିକ ଦଳଗୁଡ଼ିକର କଂଗ୍ରେସ ପ୍ରଭୁତ୍ୱକୁ ଖୋଲାଖୋଲି ବିରୋଧ ବିଜେପି ମନକୁ ମଜଭୁତ କରିଛି । ଲୋକସଭାରେ ବିଜେପିକୁ ୪୦୦ରୁ ଅଧିକ ଆସନରେ ଜିତାଇବା ପାଇଁ ଜୋରଦାର ଉଦ୍ୟମ ଚାଲିଛି । ଲକ୍ଷ୍ୟ ହାସଲ ପାଇଁ ବିଜେପି ତା’ର ଲକ୍ଷ୍ମଣ ରେଖା ଟପିବାକୁ ପଛାଉ ନାହିଁ । ବିଜେପି ଆଉ ଭିନ୍ନ ଆଦର୍ଶ ପରିଚୟ ଭିତରେ ସୀମିତ ହୋଇ ରହିନି । ବିଭିନ୍ନ ରାଜ୍ୟରେ କ୍ଷମତାସୀନ ଆଂଚଳିକ ଦଳରୁ ନେତା ଆମଦାନୀ କରି ଦଳୀୟ ଟିକେଟ୍‌ ପ୍ରଦାନ କରୁଛି ।

ଅନ୍ୟ ଦଳ ପରି ବିଜେପିରେ ବହୁ ଅତିଥି ନେତାଙ୍କୁ ଟିକେଟ୍‌ ଦିଆଗଲାଣି । ଅତିଥି ନେତାଙ୍କ ବଳରେ ବିଜେପିକୁ ୪୦୦ ଆସନରେ ଦେଖିବାକୁ ନରେନ୍ଦ୍ର ମୋଦୀ ଓ ଅମିତ ଶାହ ଆଶା ବାନ୍ଧିଛନ୍ତି । ବିଜେପିରେ ଟାଣୁଆ ନେତାଙ୍କ ଅଭାବ ଥିବାରୁ ଅତିଥି ନେତାଙ୍କୁ ଗୁରୁତ୍ୱ ଦିଆଯାଉଛି ।

ବିଜେପିର ଅନ୍ୟ ବଳିଷ୍ଠ ନେତାଙ୍କ ମନ୍ତବ୍ୟ ଛାଡ଼ନ୍ତୁ । ଖୋଦ୍‌ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ଲାଲୁ ଯାଦବ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜାମିନ ପାଇ ଜେଲ ବାହାରେ ବୁଲିବାର ସୁଯୋଗ ପାଇଛନ୍ତି । ଗୋଟିଏ ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାରୀ ପରିବାରରୁ ଆସିଥିବା ଝିଅ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛ ଶାସନ ଉପରକୁ ଅଙ୍ଗୁଠି ଉଠାଉଛନ୍ତି । ନରେନ୍ଦ୍ର ମୋଦୀ ଦୀର୍ଘ ଦୁଇଦଶନ୍ଧି ଧରି ଭାରତକୁ ଶାସନ କରୁଛନ୍ତି । ତାଙ୍କର ବଳିଷ୍ଠ ନେତୃତ୍ୱ ବଳରେ ବିଶ୍ୱ ଦରବାରରେ ଭାରତ ପୂର୍ବାପେକ୍ଷା ଆହୁରି ମଜଭୁତ ହୋଇପାରିଛି ।