୧୧ ସାଂସଦଙ୍କୁ ‘ସଂସଦ ରତ୍ନ’ ପୁରସ୍କାର

ନୂଆଦିଲ୍ଲୀ : ଚଳିତବର୍ଷର ‘ସଂସଦ ରତ୍ନ’ ପୁରସ୍କାର ନିମନ୍ତେ ବିଚାରକମଣ୍ଡଳୀ ୧୧ ଜଣ ସାଂସଦଙ୍କ ନାମ ସୁପାରିସ କରିଛନ୍ତି । ଏମାନଙ୍କ ମଧ୍ୟରେ ଲୋକସଭାର ୮ ଓ ରାଜ୍ୟସଭାର ୩ ସାଂସଦ ଅନ୍ତର୍ଭୁକ୍ତ । ଚଳିତମାସ ୨୬ରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ଏମାନଙ୍କୁ ସମ୍ମାନିତ କରାଯିବ । ଓଡ଼ିଶାର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଓ ଏନ୍‌ସିପିର ଫୌଜିଆ ତହସିନ୍ ଅହମ୍ମଦ ଖାନ୍ ୨୦୨୧ରେ ପ୍ରଦର୍ଶନ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିବାବେଳେ ୨୦୨୧ ଅବସରପ୍ରାପ୍ତ କ୍ୟାଟେଗୋରୀରେ ସିପିଏମ୍ ସାଂସଦ କେ.କେ.ରାଗେଶଙ୍କୁ ସମ୍ମାନିତ କରାଯିବ । ଏହାବ୍ୟତୀତ ୩ ଜଣ ସାଂସଦ ଯଥା ଏନ୍‌ସିପିର ସୁପ୍ରିୟା ସୁଲେ, ଆର୍‌ଏସ୍‌ପିର ଏନ୍‌.କେ.ପ୍ରେମଚନ୍ଦ୍ରନ୍ ଓ ଶିବସେନାର ଶ୍ରୀରଙ୍ଗ ଆପ୍ପା ବାର୍ନେଙ୍କୁ ‘ସଂସଦ ବିଶିଷ୍ଟ ରତ୍ନ’ରେ ପୁରସ୍କୃତ କରାଯିବ ।

ଅନ୍ୟ ବିଜେତାଙ୍କ ମଧ୍ୟରେ ଟିଏମ୍‌ସିର ସୌଗତ ରାୟ, କଂଗ୍ରେସର କୁଳଦୀପ ରାୟ ଶର୍ମା, ବିଜେପିର ବିଦ୍ୟୁତ ବରଣ ମାହାତୋ ଓ ସୁଧୀର ଗୁପ୍ତା ଅନ୍ୟତମ । ତାମିଲନାଡୁର ବିଜେପି ସାଂସଦ ଏଚ.ଭି.ହାନ୍ଦେ ଓ କଂଗ୍ରେସର ଏମ.ବୀରପ୍ପା ମୋଇଲିଙ୍କୁ ‘ଜୀବନବ୍ୟାପୀ ସାଧନା’ ପୁରସ୍କାର ପ୍ରଦାନ କରାଯିବ । ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲଙ୍କ ଅଧ୍ୟକ୍ଷତାରେ ଏବଂ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଟି.ଏସ୍‌.କୃଷ୍ଣମୂର୍ତ୍ତିଙ୍କୁ ନେଇ ଗଠିତ ବିଚାରକମଣ୍ଡଳୀ ବିଜେତାଙ୍କୁ ମନୋନୟନ କରିଛନ୍ତି ।