ଡୋନେସ୍କ୍ ଓ ଲୁଗାନ୍ସ୍କକୁ ସ୍ୱାଧୀନ ଘୋଷଣା କଲା ରୁଷ୍

ମସ୍କୋ : ୟୁକ୍ରେନ୍ ଉପରେ ରୁଷ୍‌ର ସମ୍ଭାବ୍ୟ ଆକ୍ରମଣକୁ ନେଇ ବିଶ୍ୱ ସମୁଦାୟ ଯାହା ଆଶଙ୍କା କରୁଥିଲା, ତାହା ଆପାତତଃ ସତ ହେବାକୁ ଯାଉଛି। ଆମେରିକା ନେତୃତ୍ୱାଧୀନ ନାଟୋ ରାଷ୍ଟ୍ରର ସମସ୍ତ ଚାପ, ଯୁଦ୍ଧ ଏଡାଇବାକୁ ରୁଷ୍‌ର ସମସ୍ତ ପ୍ରତିଶ୍ରୁତି ଏବଂ ୟୁକ୍ରେନ୍‌ର ସମସ୍ତ ସନ୍ଧି ପ୍ରସ୍ତାବ ନିଷ୍ଫଳ ହୋଇଛି। ନିଜର ଅନୁଗତ ମନ୍ତ୍ରୀ, ପରାମର୍ଶଦାତା ଓ ସାମରିକ କମାଣ୍ଡରଙ୍କ ସହ ବିସ୍ତୃତ ଓ ଜରୁରୀ ଆଲୋଚନା ପରେ ରୁଷ୍ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ୍ ସୋମବାର ବିଳମ୍ବିତ ରାତିରେ ୟୁକ୍ରେନ୍‌ର ଦୁଇଟି ବିଚ୍ଛିନ୍ନାଞ୍ଚଳ ଡୋନେସ୍କ୍ ଓ ଲୁଗାନ୍‌ସ୍କକୁ ସ୍ୱାଧୀନ ରାଷ୍ଟ୍ରଭାବେ ଏକତରଫା ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଡନ୍‌ବାସ୍‌ଭାବେ ପରିଚିତ ଏହି ଦୁଇଟି ବିଚ୍ଛିନ୍ନାଞ୍ଚଳରେ ବାସ କରୁଥିବା ଲୋକେ ରୁଷ୍ ପ୍ରତି ଅକୁଣ୍ଠ ସମର୍ଥନ ଜଣାଉଥିବାବେଳେ ସେଠାରେ ଥିବା ୟୁକ୍ରେନ୍ ବିରୋଧୀ ଶକ୍ତି ରୁଷ୍ ନିକଟରୁ ନିୟମିତଭାବେ ସାମରିକ ସହାୟତା ଲାଭ କରୁଛନ୍ତି। ପୁଟିନ୍ ଗତକାଲି ଏ ସଂକ୍ରାନ୍ତ ବିଜ୍ଞପ୍ତିରେ ସ୍ୱାକ୍ଷର କରିବାପରେ ଏହି ପ୍ରସଙ୍ଗ ବର୍ତ୍ତମାନ ବିଶ୍ୱ ନେତୃବର୍ଗଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ୨୦୧୪ରେ ଡନ୍‌ବାସ୍ ଅଞ୍ଚଳ ୟୁକ୍ରେନ୍‌ରୁ ବାହାରି ଯାଇ ନିଜକୁ ସ୍ୱାଧୀନ ରାଷ୍ଟ୍ର (ଡୋନେସ୍କ୍ ପିପୁଲ୍‌ସ ରିପବ୍ଲିକ୍ ଏବଂ ଲୁଗାନ୍‌ସ୍କ୍ ପିପୁଲ୍‌ସ ରିପବ୍ଲିକ୍‌) ବୋଲି ଘୋଷଣା କରିଥିଲା। ଇତିମଧ୍ୟରେ ୮ ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ସୁଦ୍ଧା ସେମାନେ ଆନ୍ତର୍ଜାତିକ ସ୍ୱୀକୃତି ପାଇନଥିଲେ। ପୁଟିନ୍ ଏ ଦୁଇ ଅଞ୍ଚଳକୁ ସ୍ୱାଧୀନ ଘୋଷଣା କରିବା ସହ ଦ୍ୱିପାକ୍ଷିକ ମିତ୍ରତା ଚୁକ୍ତି ସ୍ୱାକ୍ଷର କରିବାକୁ ମଧ୍ୟ ସେମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ଜାତି ଉଦ୍ଦେଶ୍ୟରେ ଦେଇଥିବା ଭାଷଣରେ ପୁଟିନ୍ କହିଛନ୍ତି ଯେ ଏଭଳି ସମସ୍ୟା ପାଇଁ ୟୁକ୍ରେନ୍ ହିଁ ସମ୍ପୂର୍ଣ୍ଣ ଦାୟୀ। ଡନ୍‌ବାସ୍‌ରେ ରହୁଥିବା ଲୋକଙ୍କ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୟୁକ୍ରେନ୍ ବାରମ୍ବାର ଚକ୍ରାନ୍ତ ଚଳାଇଛି।

ୟୁକ୍ରେନ୍ ପକ୍ଷରୁ ଏଭଳି ସମ୍ଭାବ୍ୟ ଆକ୍ରମଣର ମୁକାବିଲା କରିବାକୁ ରୁଷ୍ ସେଠାରେ ନିଜର ସୈନ୍ୟ ଓ ଯୁଦ୍ଧାସ୍ତ୍ର ମୁତୟନ କରିବ ବୋଲି ପୁଟିନ୍ କହିଛନ୍ତି। ପ୍ରତିଶୋଧ ପରାୟଣ ହୋଇ ଆମେରିକା ଓ ବ୍ରିଟେନ ମଙ୍ଗଳବାର ଡନ୍‌ବାସ୍ ବିରୋଧରେ ଏକାଧିକ କଟକଣା ଲାଗୁ କରିଛନ୍ତି। ମଙ୍ଗଳବାର ଜାତିସଂଘର ନିରାପତ୍ତା ପରିଷଦରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଘମାଘୋଟ ଆଲୋଚନା ହୋଇଛି। ଜାତିସଂଘରେ ଅବସ୍ଥାପିତ ୟୁକ୍ରେନ୍‌ର ରାଷ୍ଟ୍ରଦୂତ ସର୍ଗେଇ କିସ୍‌ଲିତ୍ସ୍ୟା ରୁଷ୍‌ର ଔଦ୍ଧତ୍ୟକୁ ତୀବ୍ର ସମାଲୋଚା କରିଛନ୍ତି। ଭାରତ କିନ୍ତୁ ଏହି ପ୍ରସଙ୍ଗରେ ଖୋଲାଖୋଲି ମନ୍ତବ୍ୟ ଦେଇନାହିଁ। ଉଭୟପକ୍ଷ (ରୁଷ୍ ଓ ୟୁକ୍ରେନ୍‌) ପରିସ୍ଥିତିର ଗୁରୁତ୍ୱ ଉପଲବ୍ଧୀ କରି ଶାନ୍ତି ଆଲୋଚନାକୁ ମାଧ୍ୟମ କରିବାକୁ ଭାରତ ପ୍ରସ୍ତାବ ଦେଇଛି।