କ୍ରୀଡ଼ା ଦୁନିଆରେ ବସା ବାନ୍ଧିଛି ଯୌନ ବ୍ୟଭିଚାର

୧୦ ବର୍ଷ ଭିତରେ ଫସିଛନ୍ତି ୨୯ ପ୍ରଶିକ୍ଷକ….

ନୂଆଦିଲ୍ଲୀ : ବିନା ପ୍ରଶିକ୍ଷଣରେ ମହିଳା ଅବା ପୁରୁଷ କ୍ରୀଡ଼ାବିତ ସଫଳତାର ଶୀର୍ଷରେ ପହଂଚି ପାରିବେନି । ପୁରୁଷ କ୍ରୀଡ଼ାବିତଙ୍କ ପାଇଁ କେବଳ ପୁରୁଷ ପ୍ରଶିକ୍ଷକ ଓ ମହିଳା କ୍ରୀଡ଼ାବିତଙ୍କ ପାଇଁ କେବଳ ମହିଳା ପ୍ରଶିକ୍ଷକ ନିଯୁକ୍ତ କରିବା ସମ୍ଭବ ନୁହେଁ । ମହିଳା କ୍ରୀଡ଼ାବିତଙ୍କ ପାଇଁ ପୁରୁଷ ପ୍ରଶିକ୍ଷକ ନିଯୁକ୍ତ କରି ସରକାର କିଛି ଭୁଲ କରିନାହାନ୍ତି । କିନ୍ତୁ ପ୍ରଶିକ୍ଷକ ଓ କ୍ରୀଡ଼ାବିତଙ୍କ ଗୋଳମାଳିଆ ସ୍ଥିତି ସାରା କ୍ରୀଡ଼ା ଦୁନିଆକୁ କ୍ଷତିଗ୍ରସ୍ତ କରିବ । ମହିଳା ପହିଲିମାନ ବିନେଶ ଫୋଗଟ୍‌ ସାହସର ସହିତ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରଜଭୂଷଣ ସିଂହଙ୍କୁ ପାନେ ଚଖାଇବା ପାଇଁ ଅଂଟା ଭିଡିଛନ୍ତି ।

ତାଙ୍କ ସପକ୍ଷରେ ରାସ୍ତାକୁ ଓହ୍ଲାଇଛନ୍ତି ସାରା ମହିଳା କ୍ରୀଡ଼ାବିତ । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କ୍ରୀଡ଼ା ମନ୍ତ୍ରଣାଳୟର ପଦସ୍ଥ ଅଧିକାରୀଙ୍କ ସହିତ ଆଲୋଚନା ସାରିଛନ୍ତି । ଯାହା ଜଣାପଡୁଛି, ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ପଦରୁ ବ୍ରଜଭୂଷଣ ହଟିବା ନିଶ୍ଚିତ । ଭାରତର କ୍ରୀଡ଼ା ଇତିହାସରେ ଏହି ମାମଲାଟି ନୂଆ ନୁହେଁ ।

ଗତ ୧୦ ବର୍ଷ ଭିତରେ କ୍ରୀଡ଼ା ଦୁନିଆର ବିଭିନ୍ନ ମଇଦାନର ୪୫ ଜଣ ଲୋକଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଛନ୍ଦି ଦିଆଯାଇଛି । ୭ ବର୍ଷ ତଳେ କେରଳର କନିଷ୍ଠ ମହିଳା କ୍ରୀଡ଼ାବିତ ଅପର୍ଣ୍ଣା ରାମଚନ୍ଦ୍ରନ୍‌ ପ୍ରଶିକ୍ଷକଙ୍କ ନିର୍ଯାତନାର ଶିକାର ହୋଇ କ୍ରୀଡ଼ା ହଷ୍ଟେଲରେ ଆତ୍ମହତ୍ୟା କରିଥିବା ଘଟଣା ଆଜି ପୁଣି ତାଜା ହୋଇଯାଇଛି ।

ଫୋଗଟ୍‌ ଆତ୍ମହତ୍ୟା କରିବାକୁ ନିଷ୍ପତି ନେଇଥିଲେ; କିନ୍ତୁ ପହିଲିମାନ ହୋଇଥିବାରୁ ମନକୁ କୌଣସିମତେ ବୁଝାଇ ବ୍ରଜଭୂଷଣଙ୍କ ଗଳାରେ କଂଟା ହୋଇଗଲେ । ଏହି ପରିପ୍ରେକ୍ଷୀରେ କ୍ରୀଡ଼ା ଦୁନିଆର ଆଗଧାଡ଼ିର ଚର୍ଚ୍ଚାରେ ଅଛି ଆଠଟି ସଙ୍ଗୀନ ଅଭିଯୋଗ ।
୨୦୨୨ ଜୁଲାଇ ମାସର ଘଟଣା । ଭାରତର ଅଣ୍ଡର-୧୭ ମହିଳା ଫୁଟବିଲ ଟିମ୍‌ ସହାୟକ ପ୍ରଶିକ୍ଷକ ଆଲେକ୍ସ ଏମ୍ବ୍ରୋସ ୟୁରୋପ ଗସ୍ତରେ ଯାଇଥିବା ବେଳେ ଜଣେ ମହିଳା କ୍ରୀଡ଼ାବିତ ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ କରିଥିଲେ । ଏହି ଘଟଣାକୁ ବିଚାର କରି ଅଖିଳ ଭାରତୀୟ ଫୁଟବଲ ମହାସଂଘ ଅଭିଯୁକ୍ତ ପ୍ରଶିକ୍ଷକଙ୍କୁ ବରଖାସ୍ତ କରିଥିଲା ।

୨୦୨୨ ଜୁନରେ ଜଣେ ମହିଳା ସାଇକେଲ ଚଳାଳୀ ତାଙ୍କର ପ୍ରଶିକ୍ଷକ ଆରକେ ଶର୍ମାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ କରିଥିଲେ । ପ୍ରଶିକ୍ଷକଙ୍କ ସହ ସ୍ଲୋଭେନିଆ ଗସ୍ତ ଅବସରରେ ଅଭିଯୁକ୍ତ ଶର୍ମା ସଂପୃକ୍ତ କ୍ରୀଡ଼ାବିତଙ୍କ ସହ ଗୋଟିଏ ରୁମରେ ରହିବାକୁ ବାଧ୍ୟ କରିଥିଲେ । ଘଟଣାଟି ଜଟିଳ ଆଡ଼କୁ ଗତି କରିବା ପୂର୍ବରୁ କ୍ରୀଡ଼ା ଅଥରିଟି ଅଭିଯୁକ୍ତ କୋଚ୍‌ଙ୍କ ସହିତ ସବୁ ବୁଝାମଣା କାଟ କରିଥିଲେ ।

୨୦୨୧ ଜୁଲାଇର ଘଟଣା । ଜଣେ ୧୭ ବର୍ଷୀୟା ମହିଳା କ୍ରୀଡ଼ାବିତ ବାସ୍କେଟ୍‌ବଲ ପ୍ରଶିକ୍ଷକ ପି ନାଗରାଜନଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ କରିଥିଲେ । ପରେପରେ ତାଙ୍କ ସହିତ ସାମିଲ ହୋଇଗଲେ ଆହୁରି ୬ ମହିଳା କ୍ରୀଡ଼ାବିତ୍‌ । ପୁଲିସ ଅଭିଯୁକ୍ତ ନାଗରାଜନଙ୍କୁ ଗିରଫ କଲା । ଭାତହାଣ୍ଡିରୁ ଗୋଟିଏ ଚିପିବା ଭଳି କ୍ରୀଡ଼ା ଦୁନିଆର କଳା କାରନାମା ଦିନକୁ ଦିନ ଲମ୍ବୁଛି ।