ରାହୁଲଙ୍କୁ ଶଙ୍କରାଚାର୍ଯ୍ୟଙ୍କ ସହ ତୁଳନା କଲେ ଫାରୁକ୍‌

ଫାରୁକଙ୍କ ମତରେ ଶତାଧିକ ବର୍ଷ ତଳେ ଶଙ୍କରାଚାର୍ଯ୍ୟ ଜମ୍ମୁ-କଶ୍ମୀରରେ ପାଦ ରଖିଥିଲେ…

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଦି ଶଙ୍କରାଚାର୍ଯ୍ୟଙ୍କ ସହ ତୁଳନା କରିଛନ୍ତି । ଫାରୁକ୍‌ କହିଛନ୍ତି, ଶଙ୍କରାଚାର୍ଯ୍ୟଙ୍କ ପରେ ରାହୁଲ ଏକମାତ୍ର ବ୍ୟକ୍ତି ଯେ କନ୍ୟାକୁମାରୀଠାରୁ ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ ଯାତ୍ରା କରି ପାରିଛନ୍ତି । ରାହୁଲଙ୍କ ପ୍ରଶଂସାରେ ଶତମୁଖ ଫାରୁକ୍‌ ପୁଣି କହିଛନ୍ତି ଯେ ଏ ଦେଶ ରାମ ଓ ଗାନ୍ଧୀଙ୍କ ଦେଶ ।

ସୂଚନା ମୁତାବକ ଗୁରୁବାର ସନ୍ଧ୍ୟାରେ ଭାରତ ଜୋଡେ଼ା ଯାତ୍ରା ଜମ୍ମୁରେ ପ୍ରବେଶ କରିଥିଲା । ଆଜି କଶ୍ମୀରରେ ଭାରତ ଜୋଡେ଼ା ଯାତ୍ରାର ଦ୍ୱିତୀୟ ଦିନ । ଫାରୁକଙ୍କ ମତରେ ଶତାଧିକ ବର୍ଷ ତଳେ ଶଙ୍କରାଚାର୍ଯ୍ୟ ଜମ୍ମୁ-କଶ୍ମୀରରେ ପାଦ ରଖିଥିଲେ । ସେତେବେଳେ ଜମ୍ମୁ-କଶ୍ମୀରକୁ ସଡ଼କ ନଥିଲା । ଶଙ୍କରାଚାର୍ଯ୍ୟ ବଣଜଙ୍ଗଲ ମଧ୍ୟ ଦେଇ କଶ୍ମୀର ଉପତ୍ୟକାରେ ପହଂଚିଥିଲେ ।

ଏବେ ରାହୁଲ ସଡ଼କ ପଥରେ ଚାଲିଚାଲି କଶ୍ମୀର ପହଂଚିଛନ୍ତି । ପାକିସ୍ତାନ ଓ ଆତଙ୍କବାଦ ସଂପର୍କରେ ଫାରୁକ୍‌ କହିଛନ୍ତି, ଯେପର୍ଯ୍ୟନ୍ତ ପାକିସ୍ତାନ ସହିତ ଖୋଲା ଆଲୋଚନା ନହୋଇଛି, ସେ ପର୍ଯ୍ୟନ୍ତ ୟେ ପ୍ରସଙ୍ଗ ଜୀବିତ ରହିବ । ମୁଁ ମୋ ରକ୍ତରେ ଲେଖିଦେଉଛି ଯେ ଆତଙ୍କବାଦ ଜୀବିତ ରହିବ ଯେପର୍ଯ୍ୟନ୍ତ ପାକିସ୍ତାନ ସହିତ କଥା ନହେବେ ।