କ୍ରୀଡ଼ା ମନ୍ତ୍ରଣାଳୟର ଅକଲ ଗୁଡୁମ

ଫୋଗଟ୍‌-ବ୍ରଜଭୂଷଣଙ୍କ ଭିତରୁ କାହାକୁ ରଖିବେ ମୋଦୀ…

ନୂଆଦିଲ୍ଲୀ: ଗତ ତିନିଦିନ ହେଲାଣି ବିନେଶ ଫୋଗଟ୍‌, ସାକ୍ଷୀ ମଲିକ ଭଳି ବହୁ ମହିଳା ଓ ପୁରୁଷ ପହିଲିମାନ ଧାରଣାରେ ବସି ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂହଙ୍କ ଇସ୍ତଫା ଦାବି କରିଛି । କ୍ରୀଡ଼ା ମନ୍ତ୍ରଣାଳୟରେ ବୈଠକ ପରେ ବୈଠକ ଅନୁଷ୍ଠିତ ହେଉଛି । ଗୁରୁବାର ବିଳମ୍ବିତ ରାତିରେ ବ୍ରଜଭୂଷଣ ଗୋଣ୍ଡାରେ ପହଂଚିଲେ । ଶୁକ୍ରବାର ସକାଳେ ଜିମ୍‌ ଗଲେ । ଜିମ୍‌ରୁ ଘର ଅଭିମୁଖେ ଯାଉଥିଲା ବେଳେ ତାଙ୍କୁ ମିଡିଆ ଅଟକାଇଥିଲା । ବ୍ରଜଭୂଷଣଙ୍କୁ ମିଡିଆର ପ୍ରଶ୍ନ ଥିଲା, ଆପଣ ତା’ହେଲେ ଇସ୍ତଫା ଦେଉଛନ୍ତି?

ଭଡ଼କିଗଲେ ବ୍ରଜଭୂଷଣ । ଚିହିଁକି ଉଠିଲେ କହିଲେ, କାହା ଦୟାରେ ମୁଁ ଅଧ୍ୟକ୍ଷ ହୋଇନି । ଇସ୍ତଫା କ’ଣ ପାଇଁ ଦେବି? ବ୍ରଜଭୂଷଣଙ୍କ କାରନାମାର ଲମ୍ବା ତାଲିକା ରହିଛି । ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ପଦଟିକୁ ବ୍ରଜଭୂଷଣ ସିଂହ ୨୦୧୧ରୁ ଉପଭୋଗ କରି ଆସୁଛନ୍ତି । ତାଙ୍କ ରାଜନୈତିକ ଜୀବନ ମଧ୍ୟ ଲମ୍ବା । ସେ ଛଅବାର ସାଂସଦ ହେବାର ସୌଭାଗ୍ୟ ପାଇଛନ୍ତି । ୧୯୯୧ରେ କଂଗ୍ରେସକୁ ହରାଇ ଗୋଣ୍ଡା ଲୋକସଭାକୁ ପ୍ରତିନିଧିତ୍ୱ କଲେ ।

୧୯୯୮ରେ ଗୋଣ୍ଡା ବିଧାନସଭା ଆସନରୁ ସମାଜବାଦୀ ପାର୍ଟି ନିକଟରୁ ହାରିଗଲେ । ମାତ୍ର ୧୯୯୯ରେ ସେ ଗୋଣ୍ଡା ସାଂସଦ ଭାବେ ନିର୍ବାଚିତ ହେଲେ । ୨୦୦୪ରେ ବଳରାମ ଉପନିର୍ବାଚନରେ ବ୍ରଜଭୂଷଣ ବସପା ନେତା ରିଜୱାନ ଅହମଦଙ୍କୁ ହରାଇଥିଲେ । ୨୦୦୯ରେ କେସରଗଞ୍ଜ ଲୋକସଭା ଆସନରୁ ବସପା ନେତା ସୁରେନ୍ଦ୍ର ନାଥଙ୍କୁ ପରାସ୍ତ କରିଥିଲେ ।

୨୦୧୪ରେ କେସରଗଞ୍ଜ ଲୋକସଭା ଉପନିର୍ବାଚନରେ ସମାଜବାଦୀ ପାର୍ଟି ନେତା ବିନୋଦ କୁମାରଙ୍କୁ ହରାଇଥିଲେ । ୨୦୧୯ରେ କେସରଗଞ୍ଜ ଲୋକସଭା ଆସନରୁ ବସପା ନେତା ଚନ୍ଦ୍ରଦେବ ଯାଦବଙ୍କୁ ପରାଜିତ କରିଛନ୍ତି । ରାଜନୀତି ମଂଚରେ ପ୍ରତିପକ୍ଷକୁ ହରାଇ ଚାଲିଥିବା ଓସ୍ତାଦ ଏବେ ଫୋଗଟଙ୍କୁ ସାମ୍ନା କରୁଛନ୍ତି । ଫୋଗଟ୍‌ ପରିବାର ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନରେ ଅନୁକମ୍ପା ରହିଛି ।