ବିବାହ ପରେ କନ୍ୟାଟିର ବାପଘର ପରିଚୟ ବଜାୟ ରହୁ

ହାଇକୋର୍ଟ ସରଳ ଭାଷାରେ ବୁଝାଇଛନ୍ତି, ପରିବାରର..

ବେଙ୍ଗାଲୁରୁ: ବିବାହ ପରେ କନ୍ୟାକୁ ଶାଶୁଘର ସଭ୍ୟ ଭାବେ ବିବେଚନା କରନ୍ତି ବାପଘର । କିନ୍ତୁ ଏକ ମାମଲାର ବିଚାର କରି କର୍ଣ୍ଣାଟକ ହାଇକୋର୍ଟ ଲିଙ୍ଗଗତ ତାରତମ୍ୟକୁ ହଟାଇ ଦେଇଛନ୍ତି । ହାଇକୋର୍ଟ ତାଙ୍କ ରାୟରେ ବିବାହିତା କନ୍ୟାକୁ ମଧ୍ୟ ପରିବାରର ସଭ୍ୟ ରୂପେ ପୂର୍ବଭଳି ମର୍ଯ୍ୟାଦା ଦେବାକୁ କହିଛନ୍ତି । କୋର୍ଟ କହିଛନ୍ତି, ପୁଅଟିଏ ଯେପରି ବିବାହ ପରେ ପରିବାରର ସଭ୍ୟପଦ ହରାଇ ନଥାଏ, ଝିଅଟିଏ ମଧ୍ୟ ବିବାହ ପରେ ବାପଘରର ସଭ୍ୟ ଭାବେ ଉପଯୁକ୍ତ ସମ୍ମାନ ପାଇବା ଦରକାର ।

କନ୍ୟାକୁ ପରଘର ସଂପତି କହି ବାପାମା’ ପରିବାରର ପୁଅମାନଙ୍କୁ ଅଧିକ ଗୁରୁତ୍ୱ ଦେଉଥିବା ବିଷୟକୁ ହାଇକୋର୍ଟ ନାପସନ୍ଦ କରିଛନ୍ତି । ଏହି କ୍ରମରେ ହାଇକୋର୍ଟ ସୈନିକ କଲ୍ୟାଣ ବୋର୍ଡର ନୀତି ନିୟମକୁ ଜଳାଞ୍ଜଳି ଦେଇଛନ୍ତି । ସୈନିକ କଲ୍ୟାଣ ବୋର୍ଡ ନିୟମାବଳୀରେ ପୂର୍ବତନ ପ୍ରତିରକ୍ଷା କର୍ମଚାରୀଙ୍କ ବିବାହିତା କନ୍ୟାକୁ ଆଉ ପରିବାରର ସଭ୍ୟ ଭାବେ ବିବେଚନା କରାଯାଏନା । ବିବାହ ନକରିଥିବା ଯାଏ କନ୍ୟାଟିକୁ ପୂର୍ବତନ ସେନା କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ସେନା କଲ୍ୟାଣ ବୋର୍ଡରୁ ରିହାତିମୂଳକ ସେବା ଯୋଗାଇ ଦିଆଯାଏ ।

ହାଇକୋର୍ଟ ସରଳ ଭାଷାରେ ବୁଝାଇଛନ୍ତି, ପରିବାରର ପୁଅଟିଏ ଯେପରି ସବୁବେଳେ ପୁଅ ପରିଚୟ ବଜାୟ ରଖିଥାଏ । ପରିବାରର ଝିଅଟିଏ ସେହିଭଳି ସବୁବେଳ ପାଇଁ ଝିଅ ପରିଚୟ ବଜାୟ ରଖିବା ଉଚିତ । ମାତ୍ର ବିବାହ ପରେ ଝିଅଟିର ବାପଘର ପରିଚୟ କଟିଯିବା ବିଡ଼ମ୍ବନାର ବିଷୟ ।