ପୁଣି ଥରେ ନୀତୀଶ ହେବେ ବିହାରର ମୁଖ୍ୟମନ୍ତ୍ରୀ !

ବିହାର: ଆସନ୍ତା ୨୮ ତାରିଖରେ ବିହାରରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଆଉ ନଭେମ୍ବର ୭ ତାରିଖରେ ଶେଷ ହେବ। ନଭେମ୍ବର ୧୦ରେ ଭୋଟ୍‌ ଫଳାଫଳ ପ୍ରକାଶ ପାଇବ। ପ୍ରକାଶ ପାଇଥିବା ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ଚାଲିଥିବା ବେଳେ ଲୋକନିତି-ସିଏସ୍‌ଡିଏସ୍‌ ଜନମତ ସର୍ଭେ ଆସିଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଲୋକପ୍ରିୟତା କମିଥିଲେ ମଧ୍ୟ ଏନ୍‌ଡିଏ ପୁଣି ଥରେ କ୍ଷମତାକୁ ଆସିବ ଏବଂ ମହାମେଣ୍ଟ ବିପର୍ଯ୍ୟୟର ସମ୍ମୁଖୀନ ହେବ ବୋଲି ଏହି ସର୍ଭେ କହିଛି ।

ଲୋକନୀତି-ସିଏସଡିଏସର ସର୍ଭେରେ ୩୭ଟି ବିଧାନସଭା ଆସନର ୧୪୮ଟି ବୁଥରୁ ୩୭୩୧ ଜଣଙ୍କ ମତାମତ ନିଆଯାଇଥିଲା। ଏହି ଓପିନିୟନ ପୋଲ୍ ଅକ୍ଟୋବର ୧୦ରୁ ୧୭ତାରିଖ ମଧ୍ୟରେ କରାଯାଇଥିଲା। ଏଥିରେ ୬୦ ପ୍ରତିଶତ ପୁରୁଷ ଓ ୪୦ ପ୍ରତିଶତ ମହିଳା ଭୋଟରଙ୍କ ସହ ଆଲୋଚନା କରାଯାଇଥିଲା। ଏହି ସର୍ଭେରେ ଗ୍ରାମାଞ୍ଚଳରୁ ୯୦ ପ୍ରତିଶତ ଓ ସହରରୁ ୧୦ ପ୍ରତିଶତ ଭୋଟରଙ୍କ ମତ ନିଆଯାଇଥିଲା। ଏଥିରେ ସମସ୍ତ ବୟସର ଭୋଟରଙ୍କୁ ସାମିଲ କରାଯାଇଥିଲା।

ରାଜ୍ୟରେ ଭୋଟ୍‌ ହେବାକୁ ଥିବା ୨୪୩ ଆସନରୁ ଏନ୍‌ଡିଏକୁ ୧୩୩ରୁ ୧୪୪ ଆସନ ମିଳିବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ମହାମେଣ୍ଟକୁ ୮୮-୯୮ ଆସନ, ଏଲ୍‌ଜେପିକୁ ୨ରୁ ୬ ଆସନ ଏବଂ ଅନ୍ୟମାନଙ୍କୁ ୬ରୁ ୧୦ ଆସନ ମିଳିବା ଅନୁମାନ କରାଯାଇଛି। ସ‌ର୍ଭେ ଅନୁଯାୟୀ ୩୧ ପ୍ରତିଶତ ଲୋକ ନୀତୀଶଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛନ୍ତି।

ଅନ୍ୟପକ୍ଷରେ ‌ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ୨୭ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି। ତେବେ ସରକାରଙ୍କ କାମରେ ୫୨ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି ଏବଂ ୪୪ ପ୍ରତିଶତ ଲୋକ ଅସନ୍ତୁଷ୍ଟ ଅଛନ୍ତି। ଏଲ୍‌ଜେପି ନେତା ଚିରାଗ୍‌ ପାଶ୍ବାନ୍‌ଙ୍କୁ ୫ ପ୍ରତିଶତ ଏବଂ ବିଜେପି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କୁ ୪ ପ୍ରତିଶତ ଲୋକ ଓ ଲାଲୁ ଯାଦବଙ୍କୁ ୩ ପ୍ରତିଶତ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହିଛନ୍ତି।