PUBG ଗଲା, FAU-G ଆସିଲା

ନୂଆଦିଲ୍ଲୀ: ଗେମିଂ ଆପ୍ ପବ୍‌ଜୀ ଉପରେ ନିକଟରେ ଭାରତ ସରକାର ବ୍ୟାନ୍ ଲଗାଇଛନ୍ତି। ଚୀନ୍ ସହ ଭାରତର ଲାଗିରହିଥିିବା ବିବାଦ ଯୋଗୁଁ ଏଭଳି ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା। ତେବେ ପବ୍‌ଜୀ ବ୍ୟାନ୍ ନେଇ ଚିନ୍ତାରେ ଥିବା ବ୍ୟବହାରକାରୀଙ୍କୁ ଆଉ ଦୁଃଖ କରିବାର ଆବଶ୍ୟକତା ନାହିଁ। ଅଭିନେତା ଅକ୍ଷୟ କୁମାର ପବ୍‌ଜୀ ଭଳି ନିଜସ୍ୱ ଏକ ଗେମିଂ ଆପ୍ FAU-G (ଫୌଜି) ଖୁବଶୀଘ୍ର ଲଞ୍ଚ କରିବାକୁ ଯାଉଛନ୍ତି।

ଏନେଇ ନିଜେ ଖିଲାଡ଼ି କୁମାର ଟ୍ୱିଟରରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ସମର୍ଥନ ଜଣାଇ ସେ ଗର୍ବର ସହ ଏହି ଆକ୍ସନ ଗେମ୍‌ର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏହାର ନାଁ ହେଉଛି Fearless And United-Guards (FAU-G)। ଏଥିରେ ମନୋରଞ୍ଜନ ସହ ଖେଳାଳି ମାନେ ଆମ ଦେଶର ସୈନିକଙ୍କ ବଳିଦାନ ସମ୍ପର୍କରେ ଜାଣିବାକୁ ପାଇବେ। ଏଥିରୁ ମିଳିବାକୁ ଥିବା ମୋଟ ଲାଭାଂଶର ୨୦ ପ୍ରତିଶତ ‘ଭାରତ କେ ବୀର’ ଟ୍ରଷ୍ଟକୁ ପ୍ରଦାନ କରାଯିବ।

ତେବେ FAU-G ଆପ୍ କେବେସୁଦ୍ଧା ଆସିବ ଏନେଇ ଅକ୍ଷୟ କୌଣସି ସୂଚନା ଦେଇନାହାଁନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଗଲୱାନ ଘଟଣା ପରେ ଭାରତରେ ଟିକଟକ୍ ସମେତ ୫୯ଟି ଚୀନ୍ ଆପ୍ ବ୍ୟାନ କରାଯାଇଥିଲା ଏବଂ ଏବେ ପବ୍‌ଜୀ ସମେତ ଆଉ ୧୧୮ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର।