ପରଦାରେ ହିଟ୍, ଦାମ୍ପତ୍ୟରେ ଫ୍ଲପ୍

ଭୁବନେଶ୍ୱର(ଏସ୍ ନ୍ୟୁଜ): ଓଡ଼ିଆ ସିନେମାରେ ହିଟ୍ ସାବ୍ୟସ୍ତ ହୋଇଥିବା ଅନୁଭବ-ବର୍ଷା ଯୋଡ଼ି ଦାମ୍ପତ୍ୟ ଜୀବନରେ ଫ୍ଳପ୍ ହୋଇଛି। ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ବେଳେ ପାରିବାରିକ ଝଡ଼ କୋର୍ଟ ପର୍ଯ୍ୟନ୍ତ ଯାଇଛି। କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଶାରିରୀକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶୀନି।

ବର୍ଷା କଟକ ଉପଖଣ୍ଡ ବିଚାର ବିଭାଗୀୟ ଅଦାଲତଙ୍କ ନିକଟରେ ନିଜର ଅଭିଯୋଗ ଦାଖଲ କରିଛନ୍ତି। ପାରିବାରିକ ହିଂସା ନିରୋଧ ଆଇନ ୨୦୦୫ର ଧାରା ୧୨ ଆଧାରରେ କୋର୍ଟ ମାମଲାଟିକୁ ଅନ୍ତର୍ଭୁକ୍ତ କରିଛନ୍ତି। ଅଭିଯୋଗ ଅନୁସାରେ, ଅନୁଭବ ନିଜ ସାଙ୍ଗମାନଙ୍କ ସହ ବେଡରୁମରେ ବସି ମଦ୍ୟପାନ କରନ୍ତି। ପତ୍ନୀ ହିସାବରେ ବର୍ଷା ଏହାର ପ୍ରତିବାଦ କଲେ ସେ ତାଙ୍କୁ ମାନସିକ ଓ ଶାରିରୀକ ଭାବେ ନିର୍ଯାତନା ଦେଉଛନ୍ତି। ଏପରିକି ଅନେକ ଥର ତାଙ୍କୁ ଧକ୍କା ମାରି ସେ ଘରୁ ବାହାର କରିଦେଇଛନ୍ତି। ଖାଲି ଏତିକି ନୁହେଁ ବରଂ ତାଙ୍କର ସିନେଜଗତର ଅନେକ ଝିଅଙ୍କ ସହ ସମ୍ପର୍କ ରହିଥିବା ବର୍ଷା ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ନିର୍ଯ୍ୟାତନା ଅସହ୍ୟ ହେବାରୁ ବର୍ଷା ଅନୁଭବଙ୍କ ବିରୋଧରେ କୋର୍ଟଙ୍କ ଆଶ୍ରୟ ନେଇ ଅନ୍ୟତ୍ର ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏନେଇ ଅଗଷ୍ଟ ମାସ ୭ ତାରିଖରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ମାମଲାଟିର ଶୁଣାଣି ଆଉ ଦୁଇ ଦିନପରେ ଅର୍ଥାତ୍ ସେପ୍ଟେମ୍ବର ୭ ତାରିଖରେ କରାଇବାକୁ କୋର୍ଟ ଜଣାଇଛନ୍ତି। ତେବେ ଏ ପର୍ଯ୍ୟନ୍ତ ବର୍ଷା କିମ୍ବା ତାଙ୍କ ଓକିଲ ଆର.କେ ରଥ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିନାହାନ୍ତି। ଅନ୍ୟପଟେ ଅନୁଭବଙ୍କ ପାଖକୁ ଏଯାଏଁ କୌଣସି ନୋଟିସ୍ ଆସିନି ଏବଂ ଆସିଲେ ସେ ଜଣାଇବେ ବୋଲି କହିଛନ୍ତି।

ସ୍ୱତନ୍ତ୍ର ସୁତ୍ରରୁ ଖବର ମୁତାବକ, ଅନୁଭବଙ୍କ ଠାରୁ ଘରଭଡ଼ା ବାବଦକୁ ୨୦ ହଜାର, ମାସିକ ଭରଣପୋଷଣ ବାବଦକୁ ୫୦ ହଜାର, କ୍ଷତିପୂରଣ ବାବଦକୁ ୧୩ କୋଟି ଟଙ୍କା, ଚିକିତ୍ସା ଓ ରୋଜଗାର ହରାଇବାରୁ ସେ ବାବଦକୁ ୨କୋଟି ଟଙ୍କା ବର୍ଷା ଦାବି କରିଛନ୍ତି।