କଳାରେ ୬୭.୫୬% ରେଜଲ୍ଟ

ଭୁବନେଶ୍ୱର(ଏସ୍ ନ୍ୟୁଜ): ପ୍ରକାଶ ପାଇଛି ଚଳିତ ବର୍ଷର ଯୁକ୍ତ ଦୁଇ କଳା ପରୀକ୍ଷା ଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) କାର୍ଯ୍ୟାଳୟ ଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକା‌ ଉନ୍ମୋଚନ କରିଛନ୍ତି। ଏଥର ୬୭.୫୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ।

ଚଳିତ ବର୍ଷ ମୋଟ ୨ ଲକ୍ଷ ୧୯ ହଜାର ୭୧୬ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା ପରୀକ୍ଷା ଦେଇଥିଲେ। ଏଥିରୁ ୧ ଲକ୍ଷ ୪୮ ହଜାର ୪୫୨ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ମୋଟ ୯୬ ହଜାର ୯୨୧ ଜଣ ଛାତ୍ରଙ୍କ ମଧ୍ୟରୁ ୫୭.୫୩ ପ୍ରତିଶତ ଅର୍ଥାତ ୫୫ ହଜାର ୭୫୬ ଜଣ ପାସ୍‌ କରିଛନ୍ତି। ସେହିଭଳି ୧ ଲକ୍ଷ ୨୨ ହଜାର ୭୯୫ ଜଣ ଛାତ୍ରୀଙ୍କ ମଧ୍ୟରୁ ୭୫.୪୮ ପ୍ରତିଶତ ଅର୍ଥାତ ୯୨ ହଜାର ୬୮୬ ଜଣ ପାସ କରିଛନ୍ତି। ଗତ ବର୍ଷ ଭଳି ଚଳିତ ଥର ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି।

ବରଗଡ଼ ଜିଲ୍ଲାରେ ସର୍ବାଧିକ ୭୬.୬୩% ପାସହାର ରହିଥିବା ବେଳେ ନବରଙ୍ଗପୁରରେ ସର୍ବନିମ୍ନ ୪୪.୬୭% ପାସହାର ରହିଛି। ପ୍ରଥମ ଶ୍ରେଣୀରେ ୧୪.୯୫ ପ୍ରତିଶତ ଅର୍ଥାତ ୨୨ ହଜାର ୧୯୬ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୭.୫୩ ପ୍ରତିଶତ ଅର୍ଥାତ ୨୬ ହଜାର ୨୭ ଜଣ ଓ ତୃତୀୟ ଶ୍ରେଣୀରେ ୬୭.୬୩ ପ୍ରତିଶତ ଅର୍ଥାତ ୧ ଲକ୍ଷ ୧୦୧ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। କୌଣସି କଲେଜରେ ଜିରୋ ରେଜଲ୍ଟ ହୋଇନଥିବା ବେଳେ କେବଳ ଜଣେ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି।

ସେହିଭଳି ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେଇଥିବା ୭୦୩୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୦୪୬ ଜଣ ପାସ୍ କରିଛନ୍ତି। ପାସ୍ ହାର ୫୭.୫୩ ପ୍ରତିଶତ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।