ସ୍ୱାଧୀନତା ସଂଗ୍ରାମୀଙ୍କ କଥା ପିଲାଙ୍କୁ କୁହ: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁଦିବସ ଅବସରରେ ସମାଜରେ ଶିକ୍ଷକଙ୍କ ଯୋଗଦାନକୁ ମନେପକାଇଛନ୍ତି। ସେମାନେ ଦେଶର ନିର୍ମାଣର ମୂଳଦୁଆ ବୋଲି କହିଛନ୍ତି। ଏଥିସହ ଦେଶର ଇତିହାସ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅଧିକ ଅବଗତ କରାଇବା ଲାଗି ସେ ଦେଶର ଶିକ୍ଷକମାନଙ୍କୁ ଆହ୍ୱାନ କରିଛନ୍ତି।

ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। କରୋନା ଲକଡାଉନ, ସଟଡାଉନ ଭିତରେ ଅନଲାଇନ ଯୋଗେ ପିଲାଙ୍କୁ ପାଠ ପଢ଼ାଇବାର ଭରପୁର ଉଦ୍ୟମ ଲାଗି ସେ ଶିକ୍ଷକ ସମାଜକୁ ପ୍ରଶଂସା କରିଛନ୍ତି। ଛାତ୍ରଙ୍କୁ ଗଢିବାରେ ଶିକ୍ଷକଙ୍କ ଅବଦାନକୁ ନେଇ ଦେଶ ସର୍ବଦା ଶିକ୍ଷକଙ୍କ ପ୍ରତି କୃତଜ୍ଞ ରହିବେ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି ଯେ, ଦେଶର ଭବ୍ୟ ଇତିହାସ ସହ ଆମର ସଂଯୋଗକୁ ଶିକ୍ଷକଙ୍କ ଛଡା ଆଉ କିଏ ଗଭୀର କରି ପାରିବ । ଦେଶର ଗର୍ବ ଗୌରବ, ଇତିହାସ ସମ୍ପର୍କରେ ଶିକ୍ଷକମାନେ ଛାତ୍ରଙ୍କୁ ଶିକ୍ଷା ଦେଇଛନ୍ତି । ସେ ନିଜର ମନ କି ବାତ କାର୍ଯ୍ୟକ୍ରମରେ ଦେଇଥିବା ଏକ ପରାମର୍ଶ ସମ୍ପର୍କରେ ମଧ୍ୟ କହିଛନ୍ତି । ସେ କହିଛନ୍ତି ଯେ, ଶିକ୍ଷକ ସ୍ୱାଧୀନତା ସଂଗ୍ରାମର ଅକୁହା ଗାଥା ସହ ପିଲାଙ୍କୁ ଅବଗତ କରାଇବା ଉଚିତ। ନିଜ ଅଞ୍ଚଳର ସଂଗ୍ରାମୀଙ୍କ ବିଷୟରେ ଅଧିକ ଜାଣିଲେ ତାହା ପିଲାଙ୍କ ବ୍ୟକ୍ତିତ୍ୱରେ ପ୍ରଭାବ ପକାଇବ ବୋଲି ପ୍ରଧାନମନ୍ତ୍ରୀ ଜଣାଇଛନ୍ତି।