ହାତୀକୁ ହରାଇଲା ପିମ୍ପୁଡ଼ି: ଦିନିକିଆ ବିଶ୍ୱକପରୁ ବାଦ ପଡ଼ିଲା ୱେଷ୍ଟଇଣ୍ଡିଜ

ଦୁଇଥର ବିଶ୍ୱ ଚାମ୍ପିଅନ ଆଖ୍ୟା ପାଇଥିବା ୱେଷ୍ଟଇଣ୍ଡିଜ କ୍ରିକେଟ୍‌ ଟିମ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ୍‌ ଖେଳିପାରିବନି । ଜିମ୍ବାୱେରେ ଶେଷ ହୋଇଥିବା ବିଶ୍ୱକପ କ୍ୱାଲିଫାୟାର ମୁକାବିଲାରେ ମାମୁଲି ସ୍କଟଲ୍ୟାଣ୍ଡଠାରୁ ସାତ ୱିକେଟ୍‌ରେ ହାରି ଯାଇଛି ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ । ହାରାରେ ମଇଦାନରେ ଅନୁଷ୍ଠିତ ମ୍ୟାଚରେ ଦୁର୍ଦ୍ଧଷ ୱେଷ୍ଟଇଣ୍ଡିଜ ସ୍କଟଲ୍ୟାଣ୍ଡକୁ ୧୮୨ ରନ୍‌ ଟାର୍ଗେଟ୍‌ ଦେଇଥିଲା ।

ସ୍କଟଲ୍ୟାଣ୍ଡ ଅକ୍ଲେଶରେ ଉକ୍ତ ଟାର୍ଗେଟ୍‌ ଅତିକ୍ରମ କରିଥିଲା । ସ୍କଟଲ୍ୟାଣ୍ଡ ନିକଟରୁ ହାରିବ ବୋଲି ୱେଷ୍ଟଇଣ୍ଡିଜ କେବେ କଳ୍ପନା କରି ନଥିଲା । ବିଶ୍ୱକପରୁ ବାଦ ପଡ଼ିବା ଫଳରେ କ୍ରିକେଟ ଦୁନିଆରେ ୱେଷ୍ଟଇଣ୍ଡିଜ କାହାକୁ ମୁହଁ ଦେଖାଇପାରୁନି । କ୍ରିକେଟ୍‌ ଇତିହାସରେ ପ୍ରଥମ ଥର ପାଇଁ ୱେଷ୍ଟଇଣ୍ଡିଜ ଅପଦସ୍ତ ହୋଇଛି ।