ରାଜ ସିଂହାସନ ନିକଟରେ ପହଂଚିଛୁ: ରାହୁଲ

ଅନ୍ତିମ ଚରଣରେ ଭାରତ ଯୋଡେ଼ା ଯାତ୍ରା…..

ନୂଆଦିଲ୍ଲୀ: ‘ଭାରତ ଜୋଡେ଼ା ଯାତ୍ରା’ କ୍ରମେ ହରିଆଣା-ଦିଲ୍ଲୀ ସୀମାରେ ପହଂଚିଛି । ଏହି ଅବସରରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ସେ ସାରା ଭାରତବାସୀଙ୍କ ହୃଦୟର ବାର୍ତା ଧରି ସିଂହାସନ ନିକଟରେ ପହଂଚି ଯାଇଛନ୍ତି । ସେହି ବାର୍ତାକୁ ରାଜାଙ୍କ କାନ ନିକଟରେ ପହଂଚାଇବା ପାଇଁ ଦିଲ୍ଲୀରେ ମହାମେଳି ଆୟୋଜନ କରାଯାଇଛି । ଉକ୍ତ ମହାମେଳିରେ ସମସ୍ତେ ଏକଜୁଟ ହେବାକୁ ଆହ୍ୱାନ କରିଛନ୍ତି ସବୁ କଂଗ୍ରେସ ନେତା । ଶନିବାର ସକାଳେ ଭାରତ ଜୋଡେ଼ା ଯାତ୍ରା’ ଦିଲ୍ଲୀର ବଦରପୁର ସୀମାରେ ପହଂଚିବ ।

ରାହୁଲ ଗାନ୍ଧୀ ଟ୍ୱିଟ୍‌ କରି କହିଛନ୍ତି, ‘ମହଙ୍ଗା ହଟାଅ, ବେରୋଜଗାରୀ ଦୂର କର, ଘୃଣା ପ୍ରସାର କରନାହିଁ-ଭାରତବାସୀଙ୍କର ଉକ୍ତ ବାର୍ତାକୁ ସାଙ୍ଗରେ ନେଇ ରାଜାଙ୍କ ସିଂହାସନ ପର୍ଯ୍ୟନ୍ତ ପହଂଚିଛୁ, ସେଇ ବାର୍ତାକୁ ରାଜାଙ୍କ କାନ ନିକଟରେ ପହଂଚାଇବା କାମରେ ଆମକୁ ସାହାଯ୍ୟ କରନ୍ତୁ ।’ ଶନିବାର ସକାଳ ୬ଟାରୁ ବଦରପୁର ସୀମାରୁ ଭାରତ ଜୋଡେ଼ା ଯାତ୍ରା ଆରମ୍ଭ ହେବ ।

ଶୋଭାଯାତ୍ରା ମଥୁରା ରୋଡ୍‌ ବାଟ ଦେଇ ଆଶ୍ରମ ନିକଟରେ ପହଂଚିବ । ଆଶ୍ରମ ଛକ ଧର୍ମଶାଳାରେ ରାହୁଲ କିଛି ସମୟ ବିଶ୍ରାମ କରିବା ଅବସରରେ ମିଡିଆକୁ ସାକ୍ଷାତ କରିବେ । ତା’ପରେ ଜାକିର ହୁସେନ୍‌ ମାର୍ଗ, ଇଣ୍ଡିଆ ଗେଟ୍‌, ତିଳକ ମାର୍ଗ, ଆଇଟିଓ ବାଟ ଦେଇ ଲାଲକିଲ୍ଲା ନିକଟରେ ପହଂଚିବେ । ସେଠାରୁ ନେତାଜୀ ସୁଭାଷ ମାର୍ଗ ଦେଇ ରାଜଘାଟରେ ପହଂଚିବେ ।