ଆଇପିଏଲ୍‌ ୨୦୨୩ ନିଲାମ: ଛୁପା ରୁସ୍ତମ୍‌ ବିବ୍ରାନ୍ତ ଶର୍ମା

୨୩ ବର୍ଷୀୟ ବିବ୍ରାନ୍ତ ଟିମ୍‌ ଇଣ୍ଡିଆ ପାଇଁ ଖେଳିନାହାନ୍ତି…..

କୋଚି: ଇଣ୍ଡିଆନ୍‌ ପ୍ରିମିୟର ଲିଗ ୨୦୨୩ ସିଜନ୍‌ ନିଲାମ ସରିଛି । ୨୦୨୨ ବିଦାୟ ନେଉନେଉ ବିବ୍ରାନ୍ତଙ୍କୁ କୋଟିପତି ଖେଳାଳି କରିଛି । ପ୍ରଥମ ଥର ପାଇଁ ଆଇପିଏଲ୍‌ରେ ବିବ୍ରାନ୍ତଙ୍କୁ ଦେଖିବାକୁ ମିଳିବ । ବିବ୍ରାନ୍ତଙ୍କୁ ପାଇବା ପାଇଁ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆରଏଚ୍‌) ପ୍ରତିଯୋଗିତା କରିଥିଲେ । ବିବ୍ରାନ୍ତଙ୍କର ସର୍ବନିମ୍ନ ନିଲାମ ରାଶି ୨୦ ଲକ୍ଷ ଟଙ୍କାଥିଲା । ବେଶ କିଛି ସମୟ ଟଣାଓଟରା ଭିତରେ ହାଇଦ୍ରାବାଦ ଟିମ୍‌ ବିବ୍ରାନ୍ତଙ୍କୁ ୨ କୋଟି ୬୦ ଲକ୍ଷ ଟଙ୍କାରେ କିଣିଛି ।

ବିବ୍ରାନ୍ତ ଜମ୍ମୁ-କଶ୍ମୀର ନିବାସୀ । ବିବ୍ରାନ୍ତଙ୍କୁ ନେଇ ଏପରି ମୂଲଚାଲ ହେବ ବୋଲି କେହି ଭାବି ନଥିଲେ । ୨୩ ବର୍ଷୀୟ ବିବ୍ରାନ୍ତ ଟିମ୍‌ ଇଣ୍ଡିଆ ପାଇଁ ଖେଳିନାହାନ୍ତି । ଯଦି ସେ ଆଇପିଏଲ୍‌ ସିଜନ୍‌ରେ କିଛି କରିସ୍ମା ଦେଖାଇବାକୁ ସକ୍ଷମ ହୁଅନ୍ତି; ତେବେ ଟିମ୍‌ ଇଣ୍ଡିଆରେ ତାଙ୍କୁ ସ୍ଥାନ ମିଳିବା ପକ୍କା । ୧୯୯୯ ଅକ୍ଟୋବର ୩୦ ତାରିଖରେ ଜନ୍ମିତ ବିବ୍ରାନ୍ତ ଜମ୍ମୁ-କଶ୍ମୀର ପାଇଁ ଖେଳୁଥିଲେ । ସୈଦ ମୁସ୍ତାକ ଅଲୀ ଟ୍ରଫି ଟୁର୍ଣ୍ଣାମେଂଟରେ ବିବ୍ରାନ୍ତ ତାଙ୍କର ବ୍ୟାଟିଂ କୁହୁକ ଦେଖାଇଥିଲେ ।

ଜମ୍ମୁ-କଶ୍ମୀର ଓପନର୍‌ କାମରାନ୍‌ ଇକବାଲ ଆହତ ହୋଇଯିବାରୁ ବିବ୍ରାନ୍ତଙ୍କୁ ବ୍ୟାଟିଂ ମଉକା ମିଳିଥିଲା । ବିବ୍ରାନ୍ତ ଉକ୍ତ ସୁଯୋଗର ଭରପୁର ଫାଇଦା ନେଇଥିଲେ । ପରେପରେ ସେ ବିଜୟ ହଜାରେ ଟ୍ରଫି’ରେ ଚମକ୍ରାର ବ୍ୟାଟିଂ କଲେ । ବିଜୟ ହଜାରେ ଟ୍ରଫି’ରେ ସେ ଦ୍ୱିତୀୟ ସର୍ବାଧିକ ସ୍କୋର ହାସଲ କରିଥିଲେ । ବିବ୍ରାନ୍ତ ୮ ପାଳିରେ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧ-ଶତକ ବଳରେ ବ୍ୟକ୍ତିଗତ ଭାବେ ୩୯୫ ରନ୍‌ କରିଥିଲେ । ଉକ୍ତ ଟ୍ରଫିରେ ବିବ୍ରାନ୍ତଙ୍କର ବ୍ୟକ୍ତିଗତ ୧୫୪ ରନ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ବ୍ୟାଟିଂ ବ୍ୟତୀତ ସେ ବୋଲିଂ କରି ୫ଟି ୱିକେଟ୍‌ ଅକ୍ତିଆର କରିଥିଲେ । ବିବ୍ରାନ୍ତଙ୍କର ବଡ଼ଭାଇ ବିକ୍ରାନ୍ତ ମଧ୍ୟ ଜଣେ କ୍ରିକେଟିୟର । ବଡ଼ଭାଇଙ୍କ ପଦାଙ୍କ ଅନୁସରଣ କରି ବିବ୍ରାନ୍ତ ଆଜି ଆଇପିଏଲ୍‌ରେ ସ୍ଥାନ ପାଇଛନ୍ତି । ସେ ପ୍ରଥମେ ଡାହାଣ ହାତରେ ବ୍ୟାଟିଂ କରୁଥିଲେ । ମାତ୍ର ତାଙ୍କ ବଡ଼ଭାଇ ବାମହାତରେ ବ୍ୟାଟିଂ କରୁଥିବା ଦେଖି ସେ ମଧ୍ୟ ବାମହାତୀ ବ୍ୟାଟ୍ସମ୍ୟାନ୍‌ ବନିଗଲେ ।

ଆଶ୍ଚର୍ଯ୍ୟର କଥା, ଆଇପିଏଲ୍‌ ୨୦୨୨’ରେ ତାଙ୍କୁ ହାଇଦ୍ରାବାଦ ଟିମ୍‌ ତରଫରୁ ନେଟ୍‌ ବୋଲର କାମ କରୁଥିଲେ । ଆଇପିଏଲ୍‌ ୨୦୨୩ରେ ହାଇଦ୍ରାବାଦ ଟିମରେ ଜମ୍ମୁ-କଶ୍ମୀରର ତିନିଜଣ ଖେଳାଳିଙ୍କୁ ଦେଖିବାକୁ ମିଳିବ । ପୂର୍ବରୁ ଅବଦୁଲ ସମଦ ଓ ଓମରାନ୍‌ ମଲିକ ଖେଳୁଥିଲେ । ଏବେ ବିବ୍ରାନ୍ତ ଶର୍ମା ଖେଳିବାର ସୁଯୋଗ ପାଇଛନ୍ତି ।