ବଡ଼ଘର ଗୁମର କଥା: ପାଠପଢ଼ାରୁ ପ୍ରେମ, ଅଙ୍କଶାୟିନୀକୁ ଧୋକା

ଏସଡିଏମ୍ ଜ୍ୟୋତି ମୌର୍ଯ୍ୟ ଓ ତାଙ୍କ ପତି ଆଲୋକ ମୌର୍ଯ୍ୟଙ୍କ ବିବାଦ ଏବେ କେବଳ ୟୁପି ସମେତ ସାରାଦେଶରେ ଚହଳ ପକାଇଛି । ସ୍ୱାମୀ-ସ୍ତ୍ରୀ ପରସ୍ପର ଉପରେ ବିଭିନ୍ନ ଅଭିଯୋଗ ଲଦି ଚାଲିଛନ୍ତି । ଏହାରି ଭିତରେ ଜ୍ୟୋତି ତାଙ୍କ ପତିଙ୍କ ବିଷୟରେ ବହୁ ଚାଂଚଲ୍ୟକର ବୟାନ ଦେଇଛନ୍ତି । ଆଲୋକ ମଧ୍ୟ ମିଡ଼ିଆ ଆଗରେ ମନର ଯନ୍ତ୍ରଣା କହିଛନ୍ତି । ଜ୍ୟୋତି କହିଛନ୍ତି, ବିବାଦ ସଫାଇକର୍ମୀ ଅବା ଏସଡିଏମ୍ ପ୍ରସଙ୍ଗକୁ ନେଇ ମୁଣ୍ଡ ଟେକିନି । ଏହା ଏକ ପାରିବାରିକ ମାମଲା । ଆଲୋକ ମିଛ କହି ବିବାହ କରିଛନ୍ତି । ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି । ଯାହା କହିବାର ଅଛି କୋର୍ଟରେ କହିବି । ଏଇଟା ପ୍ରଥମ ଛାଡ଼ପତ୍ର ମାମଲା ନୁହେଁ ।

ଜ୍ୟୋତି ମାନିଛନ୍ତି ଯେ ଆଲୋକ ତାଙ୍କୁ ପାଠପଢ଼ାରେ ସାହାଯ୍ୟ କରିଛନ୍ତି । ତା’ମାନେ ନୁହେଁ ଆଲୋକ ତାଙ୍କୁ ଶୋଷଣ କରିବେ । ସୋସିଆଲ ମିଡିଆରେ ଯାହା ଚାଲିଛି, ତା’ ସହିତ କିଛି ସଂପର୍କ ନାହିଁ । ସଂପର୍କ ଯେତେ ଖରାପ ହେଉନା କାହିଁକି, ତାକୁ ଆଇନ ବାଟରେ ସୁଧାରି ହେବ । କିନ୍ତୁ ଆଲୋକ ୧୨ ବର୍ଷର ସଂପର୍କକୁ ପଦାରେ ପକାଇ ସାରିଲେଣି । ପ୍ରୟାଗରାଜର ଘୁମନଗଂଜ ଥାନାରେ ଆଲୋକ ଓ ତାଙ୍କ ପରିବାର ବିରୋଧରେ କରିଥିବା ଅଭିଯୋଗ ମୁତାବକ ଶଶୁର ଘରଲୋକେ ଫର୍ଚୁନର ଦାବି କରୁଥିଲେ । ନିର୍ଯାତନା ଦେଉଥିଲେ, ଅଶ୍ଳୀଳ ଭିଡିଓ ଉଠାଇ ବ୍ଲାକମେଲ୍ କରୁଥିଲେ ।

ଜ୍ୟୋତି ମିଡିଆ ଆଗରେ ସେମାନଙ୍କର ବିବାହ ସମୟର ଏକ କାର୍ଡ ଦେଖାଇଥିଲେ ଯୋଉଥିରେ ଆଲୋକଙ୍କ ନାମ ତଳେ ଜିଲ୍ଲା ପଂଚାୟତ ଅଧିକାରୀ ଲେଖାଯାଇଛି । ଉକ୍ତ କାର୍ଡକୁ ଦେଖାଇ ଜ୍ୟୋତି କହିଛନ୍ତି, ଆଲୋକ ନିଜକୁ ସରକାରୀ ଅଧିକାରୀ କହି ବିବାହ କଲେ, ମାତ୍ର ପ୍ରକୃତରେ ସେ ସରକାରୀ ଅଧିକାରୀ ନୁହନ୍ତି । ମିଛ କହି ମୋତେ ବିବାହ କରିଛନ୍ତି । ଅନ୍ୟ ପକ୍ଷରେ ଆଲୋକ କହିଛନ୍ତି ଯେ ଜ୍ୟୋତି ତାଙ୍କୁ ଫସାଇବା ପାଇଁ ଉକ୍ତ କାର୍ଡକୁ ଛପାଇଛନ୍ତି । ବିବାହ ସମୟରେ ଜ୍ୟୋତି ଶିକ୍ଷୟିତ୍ରୀ ନଥିଲେ, ପାଠ ପଢୁଥିଲେ । ପତ୍ନୀଙ୍କ ପାଖରେ କିଛି ତଥ୍ୟ ନାହିଁ ତେଣୁ କାର୍ଡକୁ ଆୟୁଧ କରିଛନ୍ତି ।