ବାହାନଗା ଟ୍ରେନ ଦୁର୍ଘଟଣା: ୩ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ସିବିଆଇ

ବାଲେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତର ପରିସମାପ୍ତି ଘଟିଛି । ବାଲେଶ୍ୱର ଜିଲ୍ଲାର ବାହାନଗା ଷ୍ଟେସନ ନିକଟରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର ତଦନ୍ତ କରି ଅଭିଯୁକ୍ତ ତିନିଜଣ ରେଳ କର୍ମଚାରୀଙ୍କୁ ଗିରଫ କରିଛି ସିବିଆଇ । ଅଭିଯୁକ୍ତ ତିନିଜଣ ରେଳ କର୍ମଚାରୀ ହେଉଛନ୍ତି ସିନିୟର ସେକ୍ସନ୍‌ ଇଂଜିନିୟର ଅରୁଣ କୁମାର ମହାନ୍ତି, ସେକ୍ସନ୍‌ ଇଂଜିନିୟର ମହମ୍ମଦ ଅମିର ଖାନ ଓ ଟେକ୍‌ନିସିଆନ୍‌ ପପ୍ପୁ କୁମାର । ତିନିଜଣଙ୍କୁ ଉଦ୍ଦେଶ୍ୟବିହୀନ ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ଛନ୍ଦା ଯାଇଛି ।

ବାହାନଗା ଟ୍ରେନ ଦୁର୍ଘଟଣାରେ ୨୯୩ରୁ ଅଧିକ ଯାତ୍ରୀ ପ୍ରାଣ ହରାଇଥିଲେ ଓ ୧ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ତିନି ଅଭିଯୁକ୍ତଙ୍କ ବେପରୁଆ ଡ୍ୟୁଟି କାରଣରୁ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଲା । ଡ୍ୟୁଟିରେ ସାମାନ୍ୟ ଖିଲାପ କଲେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି ଜାଣି ସୁଦ୍ଧା ଅଭିଯୁକ୍ତମାନେ ତାଙ୍କର ଦାୟିତ୍ୱକୁ ଠିକ ଭାବେ ତୁଲାଇ ନଥିଲେ । ଆଭ୍ୟନ୍ତରୀଣ ତଦନ୍ତ କରିବା ପରେ ରେଳବାଇ ସୁରକ୍ଷା ଅଧିକାରୀ (ସିଆରଏସ୍‌) ଗତ ସପ୍ତାହରେ ରିପୋର୍ଟ ଦାଖଲ କରିଥିଲେ । ଉକ୍ତ ରିପୋର୍ଟରେ ସିଗନାଲିଂ ବିଭାଗର କର୍ମଚାରୀଙ୍କ ତ୍ରୁଟିକୁ ଦାୟୀ କରାଯାଇଥିଲା ।

ବାଲେଶ୍ୱର ଟ୍ରେନ ଦୁର୍ଘଟଣାର ସିଆରଏସ୍‌ ତଦନ୍ତ ରିପୋର୍ଟରେ ସ୍ପଷ୍ଟ କରାଯାଇଛି ଯେ ଉକ୍ତ ଦୁର୍ଘଟଣା ପାଇଁ ସିଗନାଲ୍‌ ଆଣ୍ଡ ଟେଲିକମ ବିଭାଗର ବହୁସ୍ତରର ତ୍ରୁଟି ଦାୟୀ । ସିଗନାଲ ଡାଇଗ୍ରାମରେ ଗଡ଼ବଡ଼ି ହୋଇ ନଥିଲେ ୨୯୩ ନିରୀହ ଜୀବନ ଚାଲିଯାଇ ନଥାନ୍ତା । ଆଗାମୀ ଦିନରେ ଏହି କାରଣରୁ ଯେପରି ଦୁର୍ଘଟଣା ନହୁଏ, ସେଥିପାଇଁ ସିଆରଏସ୍‌ ୧୪ଟି ପ୍ରସ୍ତାବ ସୁପାରିଶ କରିଛି ।