ବିଏମସିକୁ ଆବର୍ଜନାମୁକ୍ତ କରିପାରିଲେନି ସୁଲୋଚନା

ଅଳିଆ ଉଠାଇବା ଖର୍ଚ୍ଚ ୧୦୦ କୋଟିକୁ ଟପିଛି..

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ସରକାରରେ ନିର୍ବାଚିତ ଲୋକପ୍ରତିନିଧିଙ୍କର କୌଣସି କଥାକୁ ସରକାରୀ ଅଧିକାରୀମାନେ ଶୁଣୁନାହାନ୍ତି । ସଚିବାଳୟଠାରୁ ଆରମ୍ଭ କରି ଗ୍ରାମ ପଂଚାୟତ ଅଫିସରେ ତା’ର ଉଦାହରଣ ଦେଖିବାକୁ ମିଳୁଛି । ଏବେ ଭୁବନେଶ୍ୱର ନିଗମର ସଫେଇ କାର୍ଯ୍ୟରେ ଲୋକପ୍ରତିନିଧିଙ୍କ ଭୂମିକାକୁ ଦାୟୀ କରାଯାଉଛି । କୁହାଯାଉଛି କ’ଣ ନା ୩ ବର୍ଷ ଧରି ନିର୍ବାଚନ କରାଯାଇ ନଥିବାରୁ ଭୁବନେଶ୍ୱର ନିଗମ ଅନ୍ତର୍ଭୁକ୍ତ ସବୁ ୱାର୍ଡରୁ ଅଳିଆ ଉଠାଇବା କାମ ଠିକ ଭାବେ ହୋଇପାରୁ ନଥିଲା । ଏବେ ସେଥିରେ ସୁଧାର ହେଉଛି; ଆଗାମୀ ୨ ବର୍ଷ ଭିତରେ ସବୁ ଠିକ ହୋଇଯିବ ।

ମେୟର ସୁଲୋଚନା ଦାସ ମଧ୍ୟ ବିଏମସି କମିଶନରଙ୍କ କଥାକୁ ସତ ବୋଲି କହୁଛନ୍ତି । ବିଏମସିର କୌଣସି ଅଧିକାରୀ ଅଳିଆ ଉଠାଇବା ଦାୟିତ୍ୱରେ ଥିବା ଠିକା ସଂସ୍ଥାକୁ ଦାୟୀ କରୁନାହାନ୍ତି । ଏପରିକି ମେୟର ସୁଲୋଚନାଙ୍କ ମୁହଁରେ ମଧ୍ୟ ତାଲା ପଡ଼ିଛି । ବିଏମସିର ରାସ୍ତା ମାପ କରିବା ଦାୟିତ୍ୱ ଠିକା ସଂସ୍ଥାକୁ ଦିଆ ଯାଇଥିଲା; ମାତ୍ର ଠିକା ସଂସ୍ଥା ତାହା ନକରି ବିଏମସିର ଅସଜଡ଼ା ରାସ୍ତା ମାପକୁ ଗ୍ରହଣ କରିଥିଲା । ପରିଣାମ ସ୍ୱରୂପ ସଫେଇ ଗାଡ଼ି ସବୁ ଜାଗାରେ ପହଂଚି ଅଳିଆ ସଂଗ୍ରହ କରିପାରୁନି । ଅଳିଆ ଉଠାଇବା ଖର୍ଚ୍ଚରାଶି ବଢ଼ିଚାଲିଛି; ମାତ୍ର ତା’ର ସୁଫଳ ଲୋକଙ୍କୁ ମିଳୁନି ।

ସେହିପରି, ମେୟର ସୁଲୋଚନାଙ୍କ ଅମଳରେ ଅଳିଆ ଉଠାଇବା ଖର୍ଚ୍ଚ ୧୦୦ କୋଟିକୁ ଟପିଛି । ହେଲେ ବିଏମସିର ଅଳିଆ ଉଠାଇବା କାମ ସୁଚାରୁ ରୂପେ ହୋଇପାରୁନି । ଏଥିପାଇଁ କାହାକୁ ଦାୟୀ କରାଯିବ? ନିର୍ବାଚିତ ଲୋକପ୍ରତିନିଧିଙ୍କ ଅନୁପସ୍ଥିତିରେ ଯୋଉ ଠିକା ସଂସ୍ଥା ସହିତ ଅଳିଆ ଉଠାଇବା ରାଜିନାମା କରାଯାଇଛି । ବିଏମସି ନିର୍ବାଚନ ଶେଷ ହେବାପରେ ଉକ୍ତ ସଂସ୍ଥାକୁ ବିଦାୟ ସମ୍ବର୍ଦ୍ଧନା ଦେବାରେ ଅସୁବିଧା କ’ଣ? ମୋଟ ଉପରେ କହିଲେ, ବିଏମସିର କିଛି ଉଚ୍ଚ ଅଧିକାରୀଙ୍କ ନିକଟରେ ବନ୍ଧା ପଡ଼ିଛନ୍ତି ମେୟର ସୁଲୋଚନା ।