ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ ପ୍ରକଳ୍ପ

ପିଆଇବି, ଭୁବନେଶ୍ୱର : ପୂର୍ବ ତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ମାର୍ଗରେ ଭଦ୍ରକ ଏବଂ କଟକ ରେଳ ଷ୍ଟେସନ ମଧ୍ୟରେ ତୃତୀୟ ଲାଇନ ପ୍ରକଳ୍ପ ପାଇଁ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁରହିଅଛି । ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୫୦% ରୁ ଅଧିକ ସମାପ୍ତ ହୋଇଛି ।

ହରିଦାସପୁର ଏବଂ ବୈରୀ ମଧ୍ୟରେ ୧୬.୮୦ କିଲୋମିଟର ଦୈର୍ଘ୍ୟ ରେଳ ମାର୍ଗ ଯାହା ଜୁନ୍ ୨୦୨୩ ର ଶେଷ ସପ୍ତାହ ସୁଦ୍ଧା ଶେଷ ହେବାର ଥିଲା ତାହା ମଇ ୨୦୨୩ ର ପ୍ରଥମ ସପ୍ତାହ ପୂର୍ବରୁ ସମାପ୍ତ ହୋଇଛି ।

ଏହି ପ୍ରକଳ୍ପ ର ନିର୍ମାଣ କାର୍ଯ୍ୟକୁ ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ନିରନ୍ତର ସମୀକ୍ଷା ଏବଂ ସମ୍ପୃକ୍ତ ଅଧିକାରୀଙ୍କ ସହ ପ୍ରକଳ୍ପ କାର୍ଯ୍ୟର ସ୍ଥିତି ସମ୍ବନ୍ଧରେ ତର୍ଜମା କରିବା ଦ୍ୱାରା ସମ୍ଭବ ହୋଇଛି । ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପଗୁଡିକ କାର୍ଯ୍ୟର ଶୀଘ୍ର ସମାପ୍ତି ପାଇଁ ବିଶେଷ ଧ୍ୟାନ ଦେବାକୁ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ଏହି ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ରାଜ୍ୟ ସରକାରଙ୍କ ସଂସ୍ଥା ସମେତ ସହଭାଗୀ ମାନଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ଶ୍ରୀ ଶର୍ମା ଅଧିକାରୀମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ଓଡିଶାରେ ଚାଲୁରହିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନିରନ୍ତର ଭାବେ ନଜର ରଖିଛନ୍ତି । ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ କାର୍ଯ୍ୟ ଏହି ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରିବ ଏବଂ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ମାର୍ଗରେ ଅସୁବିଧାଜନକ ଟ୍ରେନ୍ ଚଳାଚଳକୁ ଏଡାଇ ଦେଇ ପାରିବ ।

ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ (୯୨.୧୯ କିମି) ପ୍ରକଳ୍ପ ୨୦୧୨-୧୩ ରେ ଅନ୍ତର୍ଭୁକ୍ତ ହୋଇଥିଲା ଏବଂ ଅକ୍ଟୋବର ୨୦୧୫ ରେ ଅନ୍ତିମ ମଞ୍ଜୁରୀ ଦିଆଯାଇଥିଲା । ଜଖପୁରା ଏବଂ ହରିଦାସପୁର ମଧ୍ୟରେ ୨୩ .୫୩ କିମି ରେଳ ମାର୍ଗ ଏପ୍ରିଲ ୨୦୧୬ ରେ , କପିଳାସ ରୋଡ୍ ଠାରୁ ଶାଳଗାଁ ପର୍ଯ୍ୟନ୍ତ ୪.୩୦ କିମି ରେଳ ମାର୍ଗ ମଇ ୨୦୧୯ ରେ ଏବଂ କପିଳାସ ରୋଡ୍ ଠାରୁ ନିର୍ଗୁଣ୍ଡି ପର୍ଯ୍ୟନ୍ତ ୪.୨୦ କିମି ରେଳ ମାର୍ଗ ଅକ୍ଟୋବର ୨୦୨୨ ରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ ହୋଇଛି ।

ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ମାର୍ଗ ବଳକା ୮୩ .୬୯ କିମି କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ୨୦୨୩ -୨୪ । ପ୍ରକଳ୍ପର ସର୍ବଶେଷ ଆନୁମାନିକ ମୂଲ୍ୟ ବର୍ତମାନ ୧୨୮୪.୩୯ କୋଟି ଥିବାବେଳେ ଏବେ ସୁଦ୍ଧା ୬୪୮.୬୮ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି । ପୂର୍ଣ୍ଣ ପ୍ରକଳ୍ପ ନିର୍ମାଣ ପାଇଁ ଭୌତିକ ପ୍ରଗତି ହେଉଛି ପ୍ରାୟ ୫୪% ଏବଂ ଖର୍ଚ୍ଚ ପ୍ରାୟ ୫୦.୫ % ।