ବିଜେପିକୁ ଖାଇଲା ୧୨୦୩୬ ଭୋଟ୍‌

ହିମାଚଳ ପରମ୍ପରା ଭାଙ୍ଗି ପାରିଲାନି ବିଜେପି…..

ସିମ୍‌ଲା: ବିଜେପି ହାତରୁ ଖସିଗଲା ହିମାଚଳ ପ୍ରଦେଶ । ବିଜେପିକୁ କ୍ଷମତାଚ୍ୟୁତ କରିଛି ୧୨୦୩୬ ଖଣ୍ଡ ଭୋଟ୍‌ । ଏତିକି ଭୋଟ ପାଇବାକୁ ସକ୍ଷମ ହୋଇଥିଲେ ବିଜେପି ହିମାଚଳ ପ୍ରଦେଶର ରାଜନୈତିକ ପରମ୍ପରାକୁ ଭାଙ୍ଗି ପାରିଥାନ୍ତା । ହିମାଚଳ ପ୍ରଦେଶ ରାଜନୀତିରେ କୌଣସି ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିନି । ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ହିମାଚଳ ପ୍ରଦେଶରେ କଂଗ୍ରେସ ଓ ବିଜେପି ଲଢେ଼ଇ ବେଶ ଜୋରଦାର ହୋଇଥିଲା ।

୫ଟି ଆସନରେ ୬୦ରୁ ୮୬୦ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜେପି ହାରିଯାଇଛି । ୧୦ଟି ଆସନରେ କଂଗ୍ରେସ ବିଜେପିଠାରୁ ମାତ୍ର ୧୨୦୩୬ ଖଣ୍ଡ ଅଧିକ ଭୋଟ ପାଇ ଜିତାପଟ ହାସଲ କରିଛି । ଏତିକି ଭୋଟ ହାସଲ କରିଥିଲେ ବିଜେପିର ଆସନ ସଂଖ୍ୟା ୨୫ରୁ ୩୫କୁ ବୃଦ୍ଧି ପାଇଥାନ୍ତା । ଫଳରେ ବିଜେପି ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିଥାନ୍ତା । ମାତ୍ର କଂଗ୍ରେସ-ବିଜେପି ବ୍ୟବଧାନ ୪୦-୨୫ କାରଣରୁ କଂଗ୍ରେସକୁ ନିରଙ୍କୁଶ କ୍ଷମତା ମିଳିଗଲା ।

ଅନ୍ୟ ଏକ ଗଣିତ କହୁଛି, ବିଜେପିଠାରୁ କଂଗ୍ରେସ ଅଧିକ ୩୭,୯୭୪ ଖଣ୍ଡ ଭୋଟ ପାଇ ସରକାର ଗଠନ କରୁଛି । କଂଗ୍ରେସକୁ ୧୮ ଲକ୍ଷ ୫୨ ହଜାର ୫୦୪ ଖଣ୍ଡ ଭୋଟ ମିଳିଥିଲା ବେଳେ ବିଜେପିକୁ ୧୮ ଲକ୍ଷ ୧୪ ହଜାର ୫୩୦ ଖଣ୍ଡ ଭୋଟ୍‌ ମିଳିଛି । ସାରା ହିମାଚଳରେ କଂଗ୍ରେସ ବିଜେପିଠାରୁ ୩୭,୯୭୪ ଖଣ୍ଡ ଭୋଟ ଅଧିକ ପାଇଛି । ହିମାଚଳ ସରକାର ପାଇଁ ଦରକାର ମ୍ୟାଜିକ୍‌ ନମ୍ବର ୩୫ ।