ଏମିତି ମନ୍ଦିର ଯୋଉଠି ଭକ୍ତ କୁହନ୍ତି ମହାଭକ୍ତ ରାବଣଜୀ

ମହାଦେବଙ୍କ କୋପରେ ସୁନା ହୋଇଯାଏ କଳା

ଦଶହରା ପାଳନ କଲେ ହୁଏ ଅକାଳ ମୃତ୍ୟୁ….

ସିମଲା: ଶ୍ରୀରାମଙ୍କ ମାଟିରେ ରାବଣଜୀ । ସେଠାକାର ଲୋକମାନେ ଦଶହରା ଉତ୍ସବ ପାଳନ କରନ୍ତିନି । ରାବଣପୋଡ଼ି ମନାନ୍ତି ନାହିଁ । ଟେଲିଭିଜନ ପରଦାରେ ଅନ୍ୟ ସହରରେ ରାବଣପୋଡ଼ି ଦେଖି ଟିଭି ବନ୍ଦ କରିଦିଅନ୍ତି । କାହା ମୁହଁରୁ ଦୈବାତ୍‌ ରାବଣ ଉଚ୍ଚାରଣ ଶୁଣିଲେ ଅସନ୍ତୁଷ୍ଟ ହୁଅନ୍ତି । ସେହି ଅଂଚଳର ଲୋକମାନେ ରାବଣକୁ ରାବଣଜୀ ସମ୍ବୋଧନ କରନ୍ତି । ସେ ଅଂଚଳରେ ଗୋଟିଏ ହେଲେ ସୁନା ଅଳଙ୍କାର ଦୋକାନ ନାହିଁ ।

ଜନଶ୍ରୁତି ରହିଛି, ଯଦି କେହି ସେଠାରେ ସୁନା ଗହଣା ଦୋକାନ ଖୋଲନ୍ତି, ଦୋକାନରେ ସଜା ହୋଇ ରହିଥିବା ସୁନା ଅଳଙ୍କାରମାନ ଶିବଲିଙ୍ଗ ଭଳି କଳା ହୋଇଯିବ । ହିମାଚଳ ପ୍ରଦେଶର କାଂଗଡ଼ା ଜିଲ୍ଲାରେ ରହିଛି ବୈଜନାଥ ଧାମ ମନ୍ଦିର । ସେଠାକାର ଶ୍ରଦ୍ଧାଳୁମାନେ ଭକ୍ତିର ସହିତ ଜୟ ଶଙ୍କର, ଜୟ ମହାକାଳ ସମ୍ବୋଧନ କରନ୍ତି । ମାତ୍ର ଜୟଶ୍ରୀ ରାମ ଉଚ୍ଚାରଣ କରନ୍ତି ନାହିଁ । ରାମାୟଣର ଖଳନାୟକ ଦଶମୁଣ୍ଡିଆ ରାବଣକୁ ସମ୍ମାନର ସହିତ କାହିଁକି ରାବଣଜୀ ଉଚ୍ଚାରଣ କରନ୍ତି ବୋଲି ଜଣେ ଯୁବକଙ୍କୁ ପଚାରିବାରୁ ସେ କହିଲେ, ରାବଣଜୀ ଆମ ପାଇଁ ପରମ ଆରାଧ୍ୟ ।

ଆମେ ଆମ ପିଲାଙ୍କୁ ରାବଣଜୀଙ୍କ ମାହାତ୍ମ୍ୟ ଶୁଣାଉ । ଆପଣ ଆପଣଙ୍କ ପିଲାଙ୍କୁ ରାମଙ୍କ କଥା ଶୁଣାନ୍ତି । ଆମେ ରାବଣଜୀଙ୍କ ବୀରତ୍ୱ କହିଥାଉ । ରାବଣଜୀଙ୍କ ଭଳି ପଣ୍ଡିତ ଓ ଶକ୍ତିଶାଳୀ ଯୋଦ୍ଧା ଦ୍ୱିତୀୟବାର ଧରାପୃଷ୍ଠରେ ଜନ୍ମ ହୋଇନାହାନ୍ତି । ମନକୁ ମନ କହିଲି, ରାବଣ ଭଳି ଦୁରାତ୍ମା ସୀତାଙ୍କୁ ହରଣ କରିଥିଲା ।

ଅଥଚ ଏଠାରେ ରାବଣକୁ ଶ୍ରଦ୍ଧାର ସହ ସମ୍ବୋଧନ କରୁଛନ୍ତି । ମହାସତୀ ସୀତାଙ୍କୁ ହରଣ କରିଥିବା ରାବଣ କୋଉ ଦୃଷ୍ଟିରୁ ସମ୍ମାନର ପଦବାଚ୍ୟ ପଚାରିବାକୁ ଇଛା ହେଉଥିଲେ ମଧ୍ୟ ସଂପୃକ୍ତ ଯୁବକ କାଳେ ଅସନ୍ତୁଷ୍ଟ ହେବ, ଅତଏବ ତାଙ୍କ ଧାର୍ମିକ ଭାବନାକୁ ଆଘାତ ପହଂଚାଇବା ଅନୁଚିତ ଭାବି ନିରବ ରହିଲି ।

ପହଂଚିଲି ବୈଜନାଥ ମନ୍ଦିର ନିକଟରେ । ପୁରାତନ ଶିବ ମନ୍ଦିର । ମନ୍ଦିରରେ ଶିବଙ୍କ ଆରତୀ ଗାନ କରାଗଲା । ପ୍ରସାଦ ବିତରଣ କରାଗଲା । ପ୍ରସାଦ ଟିକେ ପାଟିରେ ଦେଇ ମନ୍ଦିର ଗର୍ଭଗୃହରେ ଆଖି ବୁଲାଇ ଆଣିଲି । ପ୍ରଭୁ ଗଣେଶ, କାର୍ତିକ, ପାର୍ବତୀ, ଲକ୍ଷ୍ମୀ ନାରାୟଣଙ୍କ ପ୍ରତିମା ପୂଜା ପାଉଛି । ମାତ୍ର ସୀତାରାମଙ୍କର ପ୍ରତିମା ରଖାଯାଇନି ।

ମନ୍ଦିର ପୂଜକଙ୍କୁ ପଚାରିବାରୁ ସେ କହିଲେ, ବୈଜନାଥଙ୍କ ପୀଠରେ ରାବଣଙ୍କୁ ପୂଜାର୍ଚ୍ଚନା କରାଯାଏନା କି ତାଙ୍କର ପ୍ରତିମା ନାହିଁ । ମାତ୍ର ଉକ୍ତ ପୀଠରେ ରାବଣଙ୍କ ନାମକୁ ଭକ୍ତିର ସହ ଉଚ୍ଚାରଣ କରାଯାଏ । ରାବଣଙ୍କ ପ୍ରତି ଯଥେଷ୍ଟ ସମ୍ମାନ ପ୍ରଦର୍ଶନ କରାଯାଏ । ମହାପଣ୍ଡିତ ରାବଣଙ୍କ ମୁହଁରେ ଚାରୋଟି ବେଦ ବିଦ୍ୟମାନ । ସେ ମହାଦେବଙ୍କର ପରମଭକ୍ତ ଥିଲେ ।

ଏହି ପୀଠରେ ବସି ରାବଣଜୀ ମହାଦେବଙ୍କୁ ଆରାଧନା କରୁଥିଲେ । ମହାଦେବଙ୍କଠାରୁ ବରଲାଭ କରିଥିଲେ । ମହାଦେବଙ୍କର ଏହି ପରମ ପବିତ୍ର ପୀଠରେ ତାଙ୍କର ପରମଭକ୍ତ ରାବଣଙ୍କୁ କେହି ଅପମାନ କଲେ, ଦେବ ଦେବ ମହାଦେବ ସେହି ଲୋକଙ୍କ ଉପରେ କୋପ ଦୃଷ୍ଟି ପକାଇଥାନ୍ତି । ଫଳରେ ସେହି ଲୋକଟିର ଅକାଳ ମୃତ୍ୟୁ ଘଟିବାର ଆଶଙ୍କା ଥାଏ । ପ୍ରଭୁ ମହାକାଳଙ୍କ କୋପରୁ ରକ୍ଷା ପାଇବା ଅସମ୍ଭବ । ଭଗବାନ ଶିବ ରାବଣଙ୍କୁ ସୁନାର ଲଙ୍କା ଦାନ କରିଥିଲେ ତେଣୁ ସେଠାକାର ଲୋକମାନେ ସୁନା ଗହଣା ଦୋକାନ ଖୋଲିଲେ ମହାଦେବଙ୍କର କୋପ ଦୃଷ୍ଟି ପଡ଼ିବ ବୋଲି ମନେକରନ୍ତି ।

ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷଙ୍କ ସୂଚନା ମୁତାବକ ୮୦ ଦଶକରେ ଜନକରାଜ ନାମକ ଜଣେ ସୁନା ବେପାରୀ ବୈଜନାଥ ପୀଠ ନିକଟରେ ଗହଣା ଦୋକାନ ଖୋଲିଥିଲେ । ଦୋକାନ ଖୋଲିବାର ତୃତୀୟ ଦିନରେ ସବୁ ସୁନା ଅଳଙ୍କାର କଳା ପଡ଼ିଗଲା । ସେ ଗହଣାର ଦୋଷ ଭାବି ଏକାଧିକ ସ୍ଥାନରୁ ସୁନା ଗହଣା କିଣି ଦୋକାନରେ ସାଇତି ରଖିଲେ ।

ମାତ୍ର ସବୁ ସ୍ଥାନରୁ କିଣା ସୁନା ଗହଣା କଳାରଙ୍ଗ ପାଲଟିଗଲା । ଜନକରାମ ବହୁତ କ୍ଷତି ସହିବା ପରେ ସେ ସ୍ଥାନ ଛାଡ଼ି ପଳାଇଲେ । କେବଳ ବୈଜନାଥଙ୍କ ପୀଠ ନିକଟରେ ନୁହେଁ, ଆଖପାଖ ଇଲାକାରେ ଦଶହରା ଉତ୍ସବ ପାଳନ କଲେ, ସେ ଗାଁ ଉପରେ ଚଡ଼କ ପଡେ଼ । ଅକାଳ ମୃତ୍ୟୁ ଯୋଗ ମାଡ଼ିଆସେ ବୋଲି କଥିତ ଅଛି ।