ଜିଲ୍ଲାପାଳଙ୍କୁ ନାକରେ ପାଣି ପିଆଇଲେ ଚାଷୀ

ତତ୍‌କ୍ଷଣାତ୍‌ ଜିଲ୍ଲାପାଳ ବିନୟ ଗୌଡ଼ଙ୍କୁ ଏ ବିଷୟ ଜଣାଇଲେ….

ମୁମ୍ବାଇ: ଜଣେ ଚାଷୀଙ୍କ କବଳରୁ ମୁକୁଳିବା ପାଇଁ ଜିଲ୍ଲାପାଳଙ୍କୁ ନାକେଦମ୍‌ ହେବାକୁ ପଡ଼ିଛି । ସଂପୃକ୍ତ ଜିଲ୍ଲାପାଳଙ୍କୁ ୧୨ ତାରିଖ ପର୍ଯ୍ୟନ୍ତ ସୁଯୋଗ ଦିଆଯାଇଛି । ସେହି ସମୟ ସୁଦ୍ଧା ଚାଷୀଙ୍କ ପ୍ରାପ୍ୟକୁ କୋର୍ଟରେ ଦାଖଲ କରିବେ ଜିଲ୍ଲାପାଳ ।

ସୂଚନା ମୁତାବକ, ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ଅନ୍ତର୍ଗତ ବରୋରା ନିବାସୀ ଚାଷୀ ମୁସ୍ତଫା ବୋହରାଙ୍କ ଜମି ଅଧିଗ୍ରହଣ କରିଥିଲା ଜିଲ୍ଲା ପ୍ରଶାସନ । କ୍ଷତିପୂରଣ ବାବଦକୁ ଚାଷୀ ମୁସ୍ତଫାଙ୍କୁ ୯ ଲକ୍ଷ ଟଙ୍କା ମିଳିବା କଥା । ୭ ବର୍ଷ ଧରି ମୁସ୍ତଫା ଜିଲ୍ଲାପାଳଙ୍କ ଅଫିସକୁ ଦଉଡ଼ି ଦଉଡ଼ି କ୍ଷତିପୂରଣ ବାବଦକୁ ଟଙ୍କାଟିଏ ପାଇଲେନି । କ’ଣ କରିବେ, ଜିଲ୍ଲାପାଳ କିଛି ନା କିଛି ବାହାନା ଦେଖାଇ ମୁସ୍ତଫାଙ୍କୁ ଫେରାଇ ଦେଉଥିଲେ । କିଛି ଉପାୟ ନପାଇ ମୁସ୍ତଫା ଜିଲ୍ଲାପାଳଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ।

ଚାଷୀଙ୍କ ଦୁର୍ଦ୍ଦଶା ଶୁଣିବା ପରେ କୋର୍ଟ ଜିଲ୍ଲାପାଳଙ୍କ ଅଫିସରୁ ଆସବାବପତ୍ର ଜବତ କରିବା ପାଇଁ ଚାଷୀଙ୍କୁ ଆଦେଶ ଦେଲେ । କୋର୍ଟଙ୍କ ଆଦେଶ ବଳରେ ଟ୍ରକ୍‌ ଓ କିଛି ମୂଲିଆଙ୍କୁ ଧରି ଚାଷୀ ମୁସ୍ତଫା ପହଂଚିଲେ ଜିଲ୍ଲାପାଳଙ୍କ ଅଫିସରେ । ବଡ଼ବାବୁଙ୍କୁ କୋର୍ଟଙ୍କ ଆଦେଶନାମା ଦେଖାଇ ଅଫିସର ଟେବୁଲ, ଚଉକି, ଆଲମୀରା, ଏୟାର୍‌ କଣ୍ଡିସନ୍‌, ଆକ୍ୱାଗାର୍ଡ ଆଦି ଜିନିଷପତ୍ରକୁ ବୋହିନେବାକୁ ଅନୁମତି ଲୋଡ଼ିଲେ । ବଡ଼ବାବୁଙ୍କ ଅକଲ ଗୁଡୁମ୍‌ । ସେ ତତ୍‌କ୍ଷଣାତ୍‌ ଜିଲ୍ଲାପାଳ ବିନୟ ଗୌଡ଼ଙ୍କୁ ଏ ବିଷୟ ଜଣାଇଲେ । ପୁଲିସ ମୁସ୍ତଫାଙ୍କ ବାହୁକୁ ଧରି ଜିଲ୍ଲାପାଳଙ୍କ ଅଫିସ୍‌ ଗେଟ୍‌ ବାହାରକୁ ବାହାର କରିଦେଲେ ।

ମୁସ୍ତଫାଙ୍କୁ ସିନା ପୁଲିସ ଲଗାଇ ଅଫିସ୍‌ ବାହାରକୁ ତଡ଼ିଦେଲେ । ମାତ୍ର କୋର୍ଟଙ୍କ ଆଦେଶନାମାକୁ କ’ଣ କରିବେ? କାଳବିଳମ୍ବ ନକରି ସରକାରୀ ଓକିଲଙ୍କୁ ଫୋନ୍‌ କରି କୋର୍ଟରେ ପହଂଚିଲେ ଜିଲ୍ଲାପାଳ । ଆଦେଶନାମାକୁ କିଛିଦିନ ପାଇଁ ଅଟକାଇ ଦେବା ପାଇଁ କୋର୍ଟଙ୍କୁ ନେହୁରା ଦେଲେ ଜିଲ୍ଲାପାଳ । ମାନ୍ୟବର କୋର୍ଟ ଜିଲ୍ଲାପାଳଙ୍କୁ ୧୨ ତାରିଖ ପର୍ଯ୍ୟନ୍ତ ମହଲତ ଦେଇ ତା’ରି ଭିତରେ ଚାଷୀଙ୍କ ପ୍ରାପ୍ୟ କୋର୍ଟରେ ଦାଖଲ କରିବାକୁ ଆଦେଶ ଦେଇଛନ୍ତି ।

ସନ୍ଧ୍ୟା ସୁଦ୍ଧା କୋର୍ଟରୁ ସ୍ଥଗିତାଦେଶ ପାଇ ଚାଷୀ ମୁସ୍ତଫାଙ୍କ ନିକଟରେ ହାଜର ହୋଇଗଲେ ଜିଲ୍ଲାପାଳ । ସେତେବେଳ ଯାଏ ଗେଟ୍‌ ବାହାରେ ଠିଆ ହୋଇଥିଲେ ମୁସ୍ତଫା । ସଂପୂର୍ଣ୍ଣ ଘଟଣାବଳୀକୁ ଘୋର ନିନ୍ଦା କରିଛନ୍ତି ମୁସ୍ତଫା । ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ଜିଲ୍ଲାପାଳ ମୋ ସହିତ ମଣିଷ ଭଳି ବ୍ୟବହାର ଦେଖାଇନାହାନ୍ତି । ପୁଲିସ ଲଗାଇ ମୋତେ ଅଫିସରୁ ଘଉଡ଼ାଇ ଦେଇଛନ୍ତି ।