ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ କଲା ବିଏସଏଫ

ନୂଆଦିଲ୍ଲୀ : ଭାରତ-ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ କରିଛନ୍ତି ବିଏସଏଫ । ସୂଚନାଯୋଗ୍ୟ ଯେ, ବିଏସଏଫର ଏକ ଟିମ୍‌ ଯାଞ୍ଚ କରିବା ସମୟରେ ଜାଣିବାକୁ ପାଇଛି ଯେ ପ୍ରାୟ ୮୨ ଟ୍ରକ ଡ୍ରାଇଭର ନକଲି ଡ୍ରାଇଭିଂ ଲାଇସେନ୍ସ ବ୍ୟବହାର କରୁଛନ୍ତି । ଏହି ଲାଇସେନ୍ସ ବାଂଲାଦେଶରୁ ଯାତାୟାତ କରୁଥିବା ଟ୍ରକଗୁଡିକ ପାଇଁ ବ୍ୟବହାର କରାଯାଉଥିଲା । ଏନେଇ ବିଏସଏଫର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଅନ୍ୟପଟେ ବିଏସଏଫକୁ ଗୁଇନ୍ଦା ତଥ୍ୟ ମିଳିଥିଲା ଯେ କିଛି ଡ୍ରାଇଭର ଭାରତ-ବାଂଲାଦେଶ ମଧ୍ୟରେ ମାଲ ପରିବହନରେ ସୁନା-ରୂପା, ଫେନ୍ସଡିଲ ସିରପ, ଡ୍ରଗ୍ସ ଆଦିର ଚୋରାଚାଲାଣ ମାମଲାରେ ସଂଶ୍ଳିଷ୍ଟ ଅଛନ୍ତି । ଏହା ପରେ ଏକ ଦଳ ମାମଲା ତଦନ୍ତ କରିବା ପରେ ଡ୍ରାଇଭରଙ୍କ ନିକଟରୁ ୮୨ ନକଲି ଡ୍ରାଇଭିଂ ଲାଇଲେନ୍ସ ଜବତ କରିବା ସହ ସମସ୍ତ ଲାଇସେନ୍ସଗୁଡିକୁ ବିଏସଏଫ ସୀମା ଶୁଳ୍କ ବିଭାଗକୁ ହସ୍ତାନ୍ତର କରିଛି । ଭାରତୀୟ ସୀମା ଶୁଳ୍କ ନକଲି ଲାଇସେନ୍ସଧାରୀଙ୍କୁ କୌଣସି ପରିସ୍ଥିତିରେ ଟ୍ରକ ଚଲାଚଳ କରିବାକୁ ଅନୁମତି ଦିଆଯିବନାହିଁ । ଏହାର କାରଣ ହେଲା ଏହି ଡ୍ରାଇଭର ଡ୍ରାଇଭିଂ ଲାଇସେନ୍ସ ଆଧାରରେ ନକଲି ପାସ୍‌ ପ୍ରାପ୍ତ କରିଥାନ୍ତି । ଆଉ ଏହି ପାସ୍‌ ଦେଖାଇଲେ ବିଏସଏଫ ଟ୍ରକଗୁଡିକୁ ଭିତରକୁ ଯିବାକୁ ଅନୁମତି ଦେଇଥାଏ ।