ଲୋକସଭା ନିର୍ବାଚନ ପୂର୍ବରୁ ସିଏଏ ଲାଗୁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ସାରାଦେଶରେ ସିଟିଜେନ୍‌ସିପ୍‌ ଆମେଣ୍ଡମେଂଟ୍‌ ଆକ୍ଟ (ସିଏଏ) ଲାଗୁ କରାଯିବ ବୋଲି ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି । ନିର୍ବାଚନ ପୂର୍ବରୁ ସରକାର ବିଜ୍ଞପ୍ତି ଜାରି କରି ସିଏଏ କାର୍ଯ୍ୟକାରୀ କରିବେ । ସିଏଏ ଲାଗୁ ଫଳରେ ଲୋକଙ୍କ ନାଗରିକତା କଟିବନି ବୋଲି ଅମିତ ସ୍ପଷ୍ଟ କରିଛନ୍ତି ।

ଏକ କାର୍ଯ୍ୟକ୍ରମରେ ଯୋଗଦାନ କରି ଅମିତ ଜଣାଇଛନ୍ତି ଯେ କଂଗ୍ରେସ ନେତୃତ୍ୱାଧିନ ସରକାର ସିଏଏ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ମାତ୍ର ଏବେ କଂଗ୍ରେସ ହିଁ ପ୍ରଥମ ଦଳ ଯେ ସିଏଏକୁ ବିରୋଧ କରୁଛି । ବିଦେଶରେ ଘୋଷିତ ଅଳ୍ପସଂଖ୍ୟକ ପରିବାରକୁ ଭାରତର ନାଗରିକତା ଦିଆଯିବ । ଆମ ଦେଶରେ ମୁସଲିମ ସଂପ୍ରଦାୟକୁ ଅଳ୍ପସଂଖ୍ୟକ କୁହାଯାଉଛି । କିନ୍ତୁ ପଡେ଼ାଶୀ ଦେଶରେ ହିନ୍ଦୁ ସମୁଦାୟକୁ ଅଳ୍ପସଂଖ୍ୟକ କୁହାଯାଉଛି । ଭାରତରେ ବସବାସ କରୁଥିବା ମୁସଲିମ ସମୁଦାୟକୁ ଭ୍ରମରେ ପକାଉଛନ୍ତି କିଛି ରାଜନୈତିକ ଦଳ । ସିଏଏ ଲାଗୁ ଫଳରେ କୌଣସି ଭାରତୀୟ ମୁସଲିମଙ୍କ ନାଗରିକତା କଟିବନି । ବରଂ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରେ ନିର୍ଯାତିତ ହିନ୍ଦୁ ପରିବାରକୁ ଭାରତର ଅବସ୍ଥାନ କରିବାକୁ ଅଧିକାର ଦିଆଯିବ ।