ଖାଉଟିଙ୍କୁ ଚିନ୍ତା ଡାଲି, ଚାଉଳ, ଗହମ ଦର

ମାତ୍ର ସ୍ଥିତି ସୁଧୁରିବାର ସାମାନ୍ୟ ଲକ୍ଷଣ ପ୍ରକାଶ ପାଉନି……

ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଗତ ୫ ମାସ ଭିତରେ ତିନିଥର ସୁଧହାର ବୃଦ୍ଧି କଲାଣି । ମାତ୍ର ସ୍ଥିତି ସୁଧୁରିବାର ସାମାନ୍ୟ ଲକ୍ଷଣ ପ୍ରକାଶ ପାଉନି । ଅତ୍ୟାବଶ୍ୟକ ଦ୍ରବ୍ୟଗୁଡ଼ିକର ଆକାଶ ଛୁଅାଁ ଦରବୃଦ୍ଧି ଓ ଡଲାର ତୁଳନାରେ ଭାରତୀୟ ମୁଦ୍ରା ବିନିମୟ ହାର କମିଯିବା ଫଳରେ ଚିନ୍ତାଜନକ ସ୍ଥିତି ଉପୁଜିଛି । ଡାଲି, ଚାଉଳ, ଗହମ ଓ ପନିପରିବା ଦର ବୃଦ୍ଧି କାରଣରୁ ମୁଦ୍ରାସ୍ଫୀତି ହାର କମିନାହିଁ । ଅଗଷ୍ଟ ମାସରେ ଖୁଚୁରା ବଜାରରେ ଜିନିଷପତ୍ର ମୂଲ୍ୟ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ମୁଦ୍ରାସ୍ଫୀତି ହାର ୭% ରହିଛି ।

ଜୁଲାଇ ମାସରେ ମୁଦ୍ରାସ୍ଫୀତି ହାର ୬.୭% ଥିଲା । ବର୍ଷକ ତଳେ ଅର୍ଥାତ୍‌ ୨୦୨୧ ଅଗଷ୍ଟରେ ମୁଦ୍ରାସ୍ଫୀତି ହାର ୫.୩୦ ଥିଲା । ଚଳିତ ଅଗଷ୍ଟରେ ଖାଦ୍ୟଦ୍ରବ୍ୟ ଓ ଫଳ ବଜାର ମୁଦ୍ରାସ୍ଫୀତି ୭.୬୨% ହୋଇଛି ଯାହା ଜୁଲାଇରେ ୬.୬୯% ଥିଲା । ଜୁନରେ ଖାଦ୍ୟଦ୍ରବ୍ୟ ମୁଦ୍ରାସ୍ଫୀତି ହାର ୭.୭୫%, ମେ’ ମାସରେ ୭.୯୭% ଓ ଏପ୍ରଲିରେ ୮.୩୮% ଥିଲା । ସାଧାରଣ ଖାଉଟି ରିଜର୍ଭ ବ୍ୟାଙ୍କ ଓ ମୁଦ୍ରାସ୍ଫୀତି ହାର ଅଧିକ ଓ କମ୍‌ ବିଷୟରେ ଜାଣିବାକୁ ଚାହାନ୍ତି ନାହିଁ ।

ସେମାନଙ୍କର ଦୈନନ୍ଦିନ ଗୁଜୁରାଣ ମେଂଟିବା ଦରକାର । ସେମାନଙ୍କ ପକେଟ୍‌ ଅନୁସାରେ ବଜାରରେ ଖାଦ୍ୟଦ୍ରବ୍ୟ ମିଳିବା ଦରକାର । ତା’ ନହେଲେ, ସେମାନେ ଦରଦାମ ବୃଦ୍ଧି ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିବେ । ମହଙ୍ଗା ମାଡ଼ର ସିଧା ସମ୍ପର୍କ ଲୋକଙ୍କ ପାଖରେ ଜିନିଷପତ୍ର କିଣିବାର କ୍ଷମତା । ଅନ୍ୟ ଅର୍ଥରେ ୧୦୦ ଟଙ୍କାର ବଜାର ମୂଲ୍ୟ ଏବେ ୯୩ ଟଙ୍କା । ଜିନିଷପତ୍ରା ବଜାର ଚାହିଦା ଓ ଯୋଗାଣ ଉପରେ ଦରଦାମ ମୂଲ୍ୟ ନିର୍ଭର କରେ । କୌଣସି ଦ୍ରବ୍ୟରୁ ଅଧିକ କିଣିବା ଫଳରେ ତା’ର ଦରବୃଦ୍ଧି ପାଇବା ସୁନିଶ୍ଚିତ । କାଳକାରଖାନାର ଉତ୍ପାଦିତ ସାମଗ୍ରୀ ହେଉ ଅବା ଜମିରେ ଉତ୍ପାଦିତ ଶସ୍ୟ ହେଉ, ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଦରଦାମ ଧାର୍ଯ୍ୟ କରାଯାଉଛି ।