ମୋଦିଙ୍କୁ ସୁପ୍ରିମକୋର୍ଟରେ ଚାଲେଞ୍ଜ

ଦିଲ୍ଲୀ ସରକାରଙ୍କ ଅଧିନରେ କାର୍ଯ୍ୟରତ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ସଂପର୍କୀତ ଏକ ଅଧ୍ୟାଦେଶକୁ କେନ୍ଦ୍ର ସରକାର ଲାଗୁ କରିବାରୁ କେଜ୍ରିୱାଲ ସରକାର ତାକୁ ପ୍ରତିବାଦ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜୁଲାଇ ୩ ତାରିଖ ଦିନ ମାମଲାର ଶୁଣାଣି କରାଯିବ ।
କେନ୍ଦ୍ର ଅଧ୍ୟାଦେଶକୁ ଅକାମୀ କରିବା ପାଇଁ କେଜ୍ରିୱାଲ ସରକାରଙ୍କ ପକ୍ଷରୁ ଦିଲ୍ଲୀ ବିଧାନସଭାରେ ଆଗତ ପ୍ରସ୍ତାବକୁ କଂଗ୍ରେସ ସମର୍ଥନ କରିନି ।

ମାତ୍ର ଦିଲ୍ଲୀ ଜନତାଙ୍କ ସମର୍ଥନ ପାଇବା ପାଇଁ କେଜ୍ରିୱାଲ ସରକାର ରାସ୍ତାକୁ ଓହ୍ଲାଇବାକୁ ଯୋଜନା କରିଛନ୍ତି । ଜୁଲାଇ ୩ ତାରିଖ ଦିନ ଦିଲ୍ଲୀସ୍ଥିତ ଆମ୍‌ ଆଦମୀ ପାର୍ଟି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଧ୍ୟାଦେଶର କପି ପୋଡ଼ିବେ । ତା’ ପରେପରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଅଧ୍ୟାଦେଶ କପି ଜଳାଯିବାର ଯୋଜନା କରାଯାଇଛି ।

ଦିଲ୍ଲୀର ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି, କେନ୍ଦ୍ର ସରକାର ବେଆଇନ ଉପାୟରେ ଦିଲ୍ଲୀ ସରକାରଙ୍କ ବେକରେ ଲଗାମ କଷିବାକୁ ବସିଛି । କେନ୍ଦ୍ର ସରକାର କଳା ଅଧ୍ୟାଦେଶ ଲାଗୁ କରି ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତାଶାଳୀ କରିବାକୁ ଉଦ୍ୟମ ଚଳାଇଛି । ସୁପ୍ରିମକୋର୍ଟଙ୍କର ୫ ଜଣିଆ ଖଣ୍ଡପୀଠ ନିର୍ବାଚିତ ସରକାରଙ୍କ ସପକ୍ଷରେ ରାୟ ଦେଇଛନ୍ତି । ଦୁର୍ଭାଗ୍ୟର ବିଷୟ, ସୁପ୍ରିମକୋର୍ଟ ଛୁଟି ହୋଇଯିବା ମାତ୍ରେ କେନ୍ଦ୍ର ସରକାର ତରବରିଆ ଭାବେ ଅଧ୍ୟାଦେଶ ଲାଗୁ କରିଦେଲେ । ମୋଦି ସରକାର ଦିଲ୍ଲୀ ଜନତାଙ୍କୁ ଧୋକା ଦେଇଛନ୍ତି ।