ଛତିଶଗଡ଼ ଅଙ୍କ ଛିଣ୍ଡିଲା: ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେବ ସାଏ

ରାୟପୁର: ରବିବାର ଦିନ ରାୟପୁରରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ବିଷ୍ଣୁଦେବ ସାଏଙ୍କୁ ନେତା ରୂପେ ଚୟନ କରାଯାଇଛି । ମୁଖ୍ୟମନ୍ତ୍ରୀ ହେବା ଆଶାରେ ରମଣ ସିଂ ହାଇକମାଣ୍ଡଙ୍କ ସବୁଜସଂକେତକୁ ଅପେକ୍ଷା କରିଥିଲେ । ମାତ୍ର ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମହାପ୍ରଭୁ ବିଷ୍ଣୁଦେବଙ୍କ ଉପରେ ଶୁଭଦୃଷ୍ଟି ପକାଇଲେ ।

ଅଗତ୍ୟା ରମଣ ସିଂ ବିଧାୟକ ଦଳ ବୈଠକରେ ବିଷ୍ଣୁଦେବଙ୍କ ନାମକୁ ଆଗତ କରିଥିଲେ । ଅରୁଣ ସାଏ ଓ ବିଜୟ ଶର୍ମା ଉପ-ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି । ବିଜୟ ଶର୍ମାଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରି ବିଜେପି ବ୍ରାହ୍ମଣ ଭୋଟ ପାଇବାକୁ ବସିଛି । ଅରୁଣ ସାଏ ଓବିସି ବର୍ଗର ନେତା । ସେ ବିଳାସପୁର ଲୋକସଭା ଆସନକୁ ପ୍ରତିନିଧିତ୍ୱ କରୁଥିଲେ । ପ୍ରଥମ ଥର ପାଇଁ ସେ ବିଧାନସଭା ନିର୍ବାଚନରେ ଭାଗ ନେଇ ଜିତିଛନ୍ତି ।

ରମଣ ସିଂଙ୍କ ପ୍ରସ୍ତାବକୁ ସମର୍ଥନ କରିଥିଲେ ବ୍ରଜମୋହନ ଅଗ୍ରୱାଲ ଓ ଅରୁଣ ସାଏ । ବିଷ୍ଣୁଦେବଙ୍କ ରାଜନୈତିକ କ୍ୟାରିୟର ଭାରି ସଫା ସୁତୁରା । ତାଙ୍କ ସାଧୁତାର ଚର୍ଚ୍ଚା ସବୁରି ମୁଖରେ ରହିଥିବାରୁ ଛତିଶଗଡ଼କୁ ଗୋଟିଏ ସଚ୍ଚୋଟ ମୁଖ୍ୟମନ୍ତ୍ରୀଟିଏ ମିଳିଗଲା ବୋଲି ପର୍ଯ୍ୟବେକ୍ଷକମାନେ ଟିପ୍ପଣୀ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଥିବାରୁ ବିଷ୍ଣୁଦେବ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।