ଗିରଫ ସୈନିକକୁ ଚୀନକୁ ଫେରାଇଲା ଭାରତୀୟ ସେନା

ଲଦାଖ: ଗିରଫ ହୋଇଥିବା ଚୀନ ସୈନିକକୁ ମଙ୍ଗଳବାର ରାତିରେ ଭାରତୀୟ ସେନା ଦ୍ୱାରା ଚୀନ ସେନାକୁ ଫେରାଇ ଦିଆଯାଇଛି । ଚୁସୁଲ-ମୋଲଡୋ ମିଟିଂ ପଏଣ୍ଟରେ ଭାରତୀୟ ସେନା ଚାଇନାର ଏହି ଯବାନଙ୍କୁ ହସ୍ତାନ୍ତର କରିଛି। ଅକ୍ଟୋବର ୧୯ରେ ଭାରତ ସୀମାରୁ ଉଦ୍ଧାର ହୋଇଥିଲା ଚାଇନାର ଏହି ଯବାନ। ଉକ୍ତ ସୈନିକ ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ର ୬ଷ୍ଠ ମୋଟରାଇଜଡ୍ ଇନଫାଣ୍ଟ୍ରି ଡିଭିଜନର ସଦସ୍ୟ ବୋଲି ଜଣାପଡ଼ିଛି ।

ଏହାପରେ ଚାଇନା ଯବାନକୁ ଭାରତୀୟ ତଦନ୍ତ ଅଧିକାରୀ ପଚରାଉଚରା କରିଥିଲେ। ଚାଇନା ଯବାନକୁ ତଲାସୀ ବେଳେ ତାଙ୍କ ନିକଟରୁ ସେନା ଓ ବ୍ୟକ୍ତିଗତ କାଗଜପତ୍ର ମିଳିଥିଲା । ତେବେ କୌଣସି ମାରଣାସ୍ତ୍ର ମିଳିନଥିଲା ବୋଲି ସୂଚନା ରହିଛି। ସେ ନିଜର ୟାକ୍ (ଚମରୀ ଗାଈ) ସନ୍ଧାନରେ ଏପଟକୁ ଆସିଥିବା ସଫେଇ ଦେଇ କହିଥିଲେ।

ତେବେ ଭାରତୀୟ ସେନା ହସ୍ତାନ୍ତର କରିବା ପରେ ଚାଇନା ଏଭଳି ପଦକ୍ଷେପକୁ ସ୍ୱାଗତ କରିଛି। ଆଗାମୀ ଦିନରେ ଭାରତ-ଚାଇନା ତିକ୍ତତା କମିବ ବୋଲି ଚାଇନା ପକ୍ଷରୁ କୁହାଯାଇଛି। ଏହି ଦୁଇ ଜଣ ହେଲେ କାରପୋପେଲ୍ ୱାଙ୍ଗ ବା ଲଙ୍ଗ ବୋଲି ଜଣା ପଡିଛି। ଉଦ୍ଧାର ବେଳେ ଚାଇନାର ଏହି ସେନାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଅକ୍ସିଜେନ୍, ଖାଦ୍ୟ, ପୋଷାକ ସହିତ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥିଲା।