କାର୍ତ୍ତିକରୁ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ

ପୁରୀ(ଏସ ନ୍ୟୁଜ ): ଭକ୍ତଙ୍କୁ ପବିତ୍ର କାର୍ତ୍ତିକ ମାସରେ ମିଳିବ ମହାପ୍ରସାଦ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ଏନେଇ ସୁଆର ମହାସୁଆର ନିଯୋଗ ସଂପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏ ସଂପର୍କରେ ନିଯୋଗ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛି। ମୁଖ୍ୟ ପ୍ରଶାସକ ବି ଏଥିରେ ସହମତି ଜଣାଇଥିବା ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଏ ସଂପର୍କରେ କିଛି ସ୍ପଷ୍ଟ କରିନି।

ତେବେ କରୋନା ସଂକ୍ରମଣକୁ ନେଇ ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। ତଥାପି ମହାପ୍ରସାଦ ବିକ୍ରି ସ୍ବାଭାବିକ ରହିଥିଲା। କେବଳ କିଛିଟା କଟକଣା ଲଗାଯାଇଥିଲା। ତେବେ କୋଭିଡ୍‌ ନିୟମକୁ ଉଲ୍ଲଂଘନ କରି ମହାପ୍ରସାଦ ପାଇଁ ଭକ୍ତମାନେ ଶ୍ରୀମନ୍ଦିର ଚାରିଦ୍ବାରରେ ଭିଡ଼ ଲଗାଇଥିଲେ। ସାବିତ୍ରୀ ପୂଜାରେ ହଜାର ହଜାର ଭକ୍ତଙ୍କ ଭିଡ଼ ଶ୍ରୀମନ୍ଦିର ବାହାରେ ଦେଖିବାକୁ ମିଳିଥିଲା। ଏହା ସଂକ୍ରମଣର ଭୟ ସୃଷ୍ଟି କରିବାରୁ ଶ୍ରୀମନ୍ଦିର ପ୍ରଶାସନ ମହାପ୍ରସାଦ ବିକ୍ରିରେ କଟକଣା ଲଗାଇଥିଲା। କେବଳ ପୁରୀ ସହରର ଅଳ୍ପ କିଛି ଲୋକଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତି ଓ ବିକ୍ରିର ଅନୁମତି ମିଳିଥିଲା।

ସୂଚନାମୁତାବିକ ଗୋଟିଏ ଦିନରେ ପ୍ରାୟ ୧୨ଶହ ଜଣଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତି କରିବାକୁ ସୁଆର ମହାସୁଆର ନିଯୋଗକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଆଗକୁ ପବିତ୍ର କାର୍ତ୍ତିକ ମାସ ପଡ଼ୁଛି। ଏହି ମାସରେ ବୁଢ଼ାବୁଢ଼ୀମାନେ ହବିଷାନ୍ନ ସେବନ କରିଥାନ୍ତି। ପ୍ରତିବର୍ଷ ଏଥି ପାଇଁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ଭିଡ଼ ଜମିଥାଏ । ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଯୋଜନାରେ ସ୍ବତନ୍ତ୍ର ବ୍ୟବସ୍ଥା ବି କରାଯାଇଥାଏ। ଚଳିତ ବର୍ଷ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏହି ଯୋଜନାକୁ ବନ୍ଦ ରଖାଯାଇଛି। କିନ୍ତୁ କାର୍ତ୍ତିକରେ ମହାପ୍ରସାଦର ଆବଶ୍ୟକତା ଅଧିକ ଥିବାରୁ ଭକ୍ତଙ୍କ ପାଇଁ ନିଯୋଗ ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲା।

ଏହାକୁ ନେଇ ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ କହିଛନ୍ତି ଉତ୍ତର ଓ ଦକ୍ଷିଣ ଦ୍ୱାରରେ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯିବ। କୋଭିଡ୍ କଟକଣା ଭିତରେ ସ୍ୱତନ୍ତ୍ର କାଉଣ୍ଟର ଖୋଲି ଅବଢ଼ା ବିକ୍ରି କରିବା ପାଇଁ ଟୋକନ୍‌ର ବ୍ୟବସ୍ଥା କରାଯିବ। ଟୋକନ୍ କାଟିବା ପରେ ଶ୍ରଦ୍ଧାଳୁ ମହାପ୍ରସାଦ ସୁବିଧାରେ ନେଇପାରିବେ। ଧାଡ଼ିରେ ଯେଭଳି ଭକ୍ତମାନେ ରହିବେ, ସେଥିପାଇଁ ବ୍ୟବସ୍ଥା କରିବାକୁ କହିଛୁ। କାର୍ତ୍ତିକ ମାସରେ ଯେପରି ପୁରୀ ସହର ଓ ଆଖପାଖ ଅଞ୍ଚଳର ଲୋକଙ୍କୁ ଅବଢ଼ା ନେବାରେ ଅସୁବିଧା ନହେବ ସେ ନେଇ ବ୍ୟବସ୍ଥା କରାଯିବ।

ଆସନ୍ତା ୪ରୁ ୫ ଦିନ ମଧ୍ୟରେ କାଉଣ୍ଟର ଖୋଲାଯିବ ବୋଲି ସୂଚନା ଦିଆଯାଇଛି। ଅବଢ଼ା ବିକ୍ରି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ସୁଆର ମହାସୁଆର ନିଯୋଗର ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।