ଏପର୍ଯ୍ୟନ୍ତ ଯାଇନାହିଁ କରୋନା : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ଗତ ସପ୍ତାହର ତଥ୍ୟ ଅନୁଯାୟୀ….

ନୂଆଦିଲ୍ଲୀ: ଦେଶରୁ ସଂପୂର୍ଣ୍ଣ ଭାବେ ହଟିନାହିଁ କରୋନା ସଂକଟ । ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗୁରୁବାର ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି, କରୋନା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଗତ ସପ୍ତାହର ତଥ୍ୟ ଅନୁଯାୟୀ, ବିଶ୍ୱରେ ଦୈନିକ ୯୩୯୭୭ ମାମଲା ସାମ୍ନାକୁ ଆସୁଛି।

ଆମେରିକାରେ ୧୯%, ରୁଷିଆରେ ୧୨.୬%, ଚାଇନାରେ ୮.୩%, ଦକ୍ଷିଣ କୋରିଆରେ ୮% ଏବଂ ଭାରତରେ ୧% ମାମଲା ସାମ୍ନାକୁ ଆସିଛି।  ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କରୋନା ଓ ସିଜିନାଲ ଇନଫ୍ଲୁଏଞ୍ଜା କୁ ନେଇ ଏକ ବୈଠକ କରିଥିଲେ । ସେ କହିଛନ୍ତି ଯେ, ଭାରତରେ ଏବେ ଦୈନିକ ହାରାହାରି୬୬ ମାମଲା ସାମ୍ନାକୁ ଆସୁଛି।

ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ପଜିଟିଭିଟି ହାର ୦.୦୯ ପ୍ରତିଶତ ଥିବା ବେଳେ ଏବେ ତାହା ୧ ପ୍ରତିଶତକୁ ବୃଦ୍ଧି ପାଇଛି।  ଫେବ୍ରୁଆରିରେ ଦୈନିକ ହାରାହାରି ପରୀକ୍ଷା ସଂଖ୍ୟା ୧ ଲକ୍ଷ ଥିଲା, ଯାହା ପରବର୍ତ୍ତୀ ସମୟରେ ହ୍ରାସ ପାଇଥିଲା। ଏବେ ଦୈନିକ ୧ ଲକ୍ଷ ନମୁନା ପରୀକ୍ଷା କରାଯାଉଛି। ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ଏବଂ ରାଜସ୍ଥାନ ଭଳି ୮ଟି ରାଜ୍ୟରେ ଏବେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।