କୋଭିଡକୁ ଚକମା ଦେବ କୋଭାକ୍ସିନର ବୁଷ୍ଟର ଡୋଜ

ନୂଆଦିଲ୍ଲୀ : ସାରା ଦେଶରେ କରୋନା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଦେଶରେ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ ତାର କାୟା ବିସ୍ତାର କରିବାରେ ଲାଗିଛି । ସେହିପରି ଦେଶରେ ଦୈନିକ କରୋନା ମାମଲା ଦେଢ ଲକ୍ଷ ଅତିକ୍ରମ କରିଛି । ଅନ୍ୟପକ୍ଷରେ ସ୍ୱଦେଶୀ ଟିକା କୋଭାକ୍ସିନ ଏକ ଆଶ୍ୱସ୍ତି ଖବର ଦେଇଛି । କୋଭାକ୍ସିନର ବୁଷ୍ଟର ଡୋଜ କରୋନା ଭାଇରସରୁ ସୁରକ୍ଷା ଦେବ ବୋଲି ଭାରତ ବାୟୋଟେକ୍‌ ପକ୍ଷରୁ କୁହାଯାଇଛି । କୋଭାକ୍ସିନର ବୁଷ୍ଟର ଡୋଜ ବିନା କୌଣସି ପ୍ରତିକୂଳ ଘଟଣାରେ ଦୀର୍ଘକାଳିନ ସୁରକ୍ଷା ପ୍ରଦାନ କରୁଥିବା ଭାରତ ବାୟୋଟେକ ପକ୍ଷରୁ ଦାବି କରାଯାଇଛି ।

ସେହିପରି କମ୍ପାନି କହିଛି ଯେ, ଯେଉଁ ସେଚ୍ଛାସେବୀଙ୍କୁ କୋଭାକ୍ସିନର ବୁଷ୍ଟର ଡୋଜ ଦିଆଯାଇଛି, ସେଥିରୁ ୯୦ ପ୍ରତିଶତଙ୍କ ନିକଟରେ ୱାଇଲ୍ଡ ଟାଇପ୍‌ ପ୍ରଜାତିରୁ ସୁରକ୍ଷା ଦେବା ପାଇଁ ଆଣ୍ଟିବଡ଼ି ସୃଷ୍ଟି ହୋଇଛି । ସେହିପରି ଏହି ବୁଷ୍ଟର ଡୋଜ ନେଇଥିବା କୌଣସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇନାହିଁ । କରୋନା ଭାଇରସ ବିରୁଦ୍ଧରେ ଏହା ଏକ ବଡ ସଫଳତା ବୋଲି କମ୍ପାନୀ ଦାବି କରିଛି ।