ଇଡି ନିର୍ଦ୍ଦେଶକଙ୍କୁ ମିଳିଲା ସୁପ୍ରିମକୋର୍ଟଙ୍କ ଆଶୀର୍ବାଦ

ଅବଶେଷରେ କେନ୍ଦ୍ର ସରକାରଙ୍କ ଅନୁରୋଧକୁ ରକ୍ଷା କରିଛନ୍ତି ସୁପ୍ରିମକୋର୍ଟ । ଦେଶର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରବର୍ତନ ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳକୁ ସେପ୍ଟେମ୍ବର ୧୫ ତାରିଖ ଯାଏ ବୃଦ୍ଧି କରାଯାଇଛି । ଜୁଲାଇ ୩୧ ତାରିଖରେ ସଂଜୟଙ୍କ କାର୍ଯ୍ୟକାଳ ସରୁଥିଲା । ସଂଜୟଙ୍କ ନେତୃତ୍ୱରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତ ଚାଲିଥିବାରୁ ତାଙ୍କୁ ଅବସର ଦେବା ଆଦୌ ଉଚିତ ହେବନାହିଁ । ତାଙ୍କୁ ଅବସର ଦେବା ଫଳରେ ତଦନ୍ତ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏପରିକି ପ୍ରକୃତ ଦୋଷୀମାନେ ଖସିଯିବା ଅସମ୍ଭବ ନୁହେଁ ।

ତେଣୁ ତଦନ୍ତ ଶେଷ ହେବା ଯାଏ ସଂଜୟଙ୍କ କାର୍ଯ୍ୟକାଳକୁ ବଢ଼ାଇବାକୁ ମୋଦୀ ସରକାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ । ଜଷ୍ଟିସ ବିଆର ଗାଭାଇ, ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସଂଜୟ କରୋଲଙ୍କ ଖଣ୍ଡପୀଠ ଉକ୍ତ ଅନୁରୋଧକୁ ସ୍ୱୀକାର କରି ଇଡି ମୁଖ୍ୟଙ୍କ କାର୍ଯ୍ୟକାଳକୁ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରାତ୍ରି ଯାଏ ସଂପ୍ରସାରିତ କରିଛନ୍ତି । ସଂଜୟଙ୍କ କାର୍ଯ୍ୟକାଳକୁ ଅକ୍ଟୋବର ୧୫ ତାରିଖ ଯାଏ ସଂପ୍ରସାରଣ କରିବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ପ୍ରାର୍ଥନା କରିଥିଲେ ।