ପୁଲିସ ଆଗରେ ପୁଅକୁ ମରାଯାଇଛି, ମୁଣ୍ଡକୁ କାଟି ଟଙ୍ଗାଇ ଦିଆଯାଇଛି

ମଣିପୁରରେ ନିଆଁ ଲଗାଇଛି ବିଜେପି!

ମନକଥା କହିବାକୁ ଯାହାଙ୍କ ପାଟି ଖନି ମାରୁନି । ସେ ମଣିପୁର ରକ୍ତପାତ ମାମଲାର ତୁନି ପଡ଼ିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ସଂସଦର ମୌସୁମୀ ଅଧିବେଶନକୁ ଅଚଳ କରିବା ପଛରେ ମଣିପୁରର ବିବାଦୀୟ ଭିଡିଓ ଦାୟୀ । ଦେଶକୁ ଲଜ୍ଜିତ କରିଥିବା ଭିଡିଓରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ଲୋକଙ୍କ ଆଗରେ ଚଲାଯାଉଛି । ଜଣେ ପୀଡ଼ିିତାଙ୍କୁ ଦୁଷ୍କର୍ମ କରାଯାଇଛି । ଏବେ ଆଉ ଗୋଟିଏ ମଣିପୁର ଭିଡିଓ ମଣିପୁର ପୁଲିସ ଓ ବିଜେପି ବିଧାୟକଙ୍କର ମିଳିିତ ନରସଂହାରକୁ ପର୍ଦ୍ଦାଫାସ କରିଛି । ଉକ୍ତ ଭିଡିଓରେ ଗୋଟିଏ ବାଉଁଶରେ କଟାମୁଣ୍ଡକୁ ଝୁଲାଇ ଦିଆଯାଇଛି । କଟାମୁଣ୍ଡରୁ ଆଖି ଦୁଇଟି ବାହାରି ଆସିଛି । ଭିଡିଓ ସୁଟିଂ କରିଥିବା ଲୋକଟି ଭାରି ଖୁସି ଜଣାପଡୁଛି । ସେ ମୈତେୟୀ ଭାଷାରେ କଥା କହୁଛି । କଟାମୁଣ୍ଡଟି କୁକିି ସଂପ୍ରଦାୟର ୩୧ ବର୍ଷୀୟ ଯୁବକ ଡେଭିଡର ।

ଡେଭିଡ ଘର ଚୁରାଚାନ୍ଦପୁର । ମାତ୍ର ତା’ର ଗ୍ରାମକୁ ମୈତେୟୀ ସମୁଦାୟ କବ୍‌ଜା କରିଥିବାରୁ ଡେଭିଡର ପରିବାର ଚୁରାଚାନ୍ଦପୁରଠାରୁ ପ୍ରାୟ ୫ କିଲୋମିଟର ଦୂର ସରକାରଙ୍କ ଅସ୍ଥାୟୀ ଶିବିରରେ ଆଶ୍ରୟ ନେଇଛନ୍ତି । ଡେଭିଡଙ୍କ ପରିବାରକୁ ଏକ ଗଣମାଧ୍ୟମ ସଂସ୍ଥା ଭେଟି ଘଟଣା ସଂପର୍କରେ ଜାଣିବାକୁ ଚାହିଁଥିଲା । ଡେଭିଡର ଦାଦା ବୁଆନଖାବଲେନ, ଖୁଡ଼ି ଲଲିୟାନୀ ଓ ସାଙ୍ଗ ମୋଇପୁନ ଗଣମାଧ୍ୟମକୁ ସବୁ ବଖାଣିଥିଲେ । ଡେଭିଡର ଦାଦାଙ୍କ କହିବା ମୁତାବକ, ମେ’ ୩ ତାରିଖରେ ହିଂସାକାଣ୍ଡର ସୂତ୍ରପାତ ପରେ ବିଷ୍ଣୁପୁର ଓ ଚୁରାଚାନ୍ଦପୁର ମଧ୍ୟରେ ସୀମା ସ୍ଥାପନ ହୋଇଗଲା ।

ଉଭୟ ମୈତେୟୀ ଓ କୁକି ସମୁଦାୟର ଲୋକମାନେ ପାଳି କରି ସୀମା ନିକଟରେ ପଇଁତରା ମାରିଲେ । ଉଭୟ ଗୋଷ୍ଠୀର ଲୋକମାନେ ପାହାଡ଼ିଆ ଇଲାକାରେ ବଙ୍କର କରି ଦିନରାତି ଜଗିଲେ । ଗ୍ରାମ ସୁରକ୍ଷା କମିଟି ଗଢ଼ି ପହରା ଦେଉଥିଲେ । ଡେଭିଡ୍‌ ଚିଙ୍ଗଲଙ୍ଗମେଲ ଗ୍ରାମର ସୁରକ୍ଷା ବାହିନୀରେ ସାମିଲ ଥିଲା । ଡେଭିଡର ସାଙ୍ଗ ୩୯ ବର୍ଷୀୟ ମୋଈପୁନ କହନ୍ତି, ଜୁଲାଇ ୨ ତାରିଖ ଭୋର ପ୍ରାୟ ୪ଟା ସମୟ । ଆକାଶରେ ସିନ୍ଦୁରା ଫାଟି ନଥିଲା; କିନ୍ତୁ ଝାପସା ଝାପସା ଦିନ ହୋଇ ଆସୁଥିଲା । ମଣିପୁରରେ ପ୍ରାୟ ସାଢେ଼ ଚାରିଟାରେ ସୂର୍ଯ୍ୟ ଉଦୟ ହୋଇଯାଏ ।

ସାରା ରାତି ପହରା ଦେଇ ଡେଭିଡ ଓ ମୋଇପୁର ହାଲିଆ ହୋଇଯାଇଥିଲେ । ଦୁହେଁ ଘରକୁ ଲେଉଟୁଥିବା ବେଳେ ହଠାତ ମଣିପୁର ପୁଲିସ କମାଣ୍ଡୋ ଓ ଇଣ୍ଡିଆନ ରିଜର୍ଭ ବାଟାଲିୟନର ପ୍ରାୟ ୨୦ଟି ଗାଡ଼ି ଗ୍ରାମରେ ପଶିଲା । ପୁଲିସ ଓ ଜବାନଙ୍କ ସହିତ ଆରାମବାଇ ଟେଙ୍ଗୋଲ ଓ ମୈତେୟୀ ଲିପୁନର ଲୋକମାନେ ଥିଲେ । ସେମାନେ ଆଗ ଡେଭିଡକୁ ଖୋଜିଲେ । ବଡ଼ପାଟି କରି କହୁଥିଲେ:- ଡେଭିଡ୍‌, ତୁ କୋଉଠି? ବାହାରକୁ ଆ । ପୁଲିସ ସହିତ ଆସିଥିବା ଆରାମବାଇ ଟେଙ୍ଗୋଲ ଓ ମୈତେୟୀ ଲିପୁନ ଲୋକମାନେ ଗ୍ରାମବାସୀଙ୍କ ଘର ଉପରକୁ ଆଖିବୁଜା ଗୁଳି ଚଳାଇବାକୁ ଲାଗିଲେ ।

ମୋଇପୁନ କହୁଥିଲେ, ମୁଁ ଡରିଗଲି । ଗୋଟିଏ ଘର ଆଢୁଆଳରେ ଲୁଚିଗଲି । କିନ୍ତୁ ଡେଭିଡ୍‌ ଘର ଭିତରୁ ବାହାରି ଆସିଲା । ତାକୁ ଦେଖିବା ମାତ୍ରେ ମୈତେୟୀ ଲୋକମାନେ ମାଡ଼ିବସିଲେ । ପ୍ରବଳ ମାଡ଼ ମାରି ଲହୁଲୁହାଣ କରିଦେଲେ । ସେତିକିରେ ସେମାନଙ୍କର ରାଗ କମିଲାନି । ଗୁଳି କରି ଡେଭିଡକୁ ମାରିଦେଲେ । ମୁଣ୍ଡଟିକୁ କାଟି ଗୋଟିଏ ବାଉଁଶରେ ଲଟକାଇ ଦେଲେ । କଟାମୁଣ୍ଡକୁ ଲଟକାଇବା ପୂର୍ବରୁ ସ୍ଥାନୀୟ ଅଂଚଳର ବିଜେପି ବିଧାୟକ ତାକୁ ଧରି ମନଖୋଲା ହସ ହସୁଥିଲେ ।

ଡେଭିଡ କୁକି ସମୁଦାୟର ଲୋକ ହୋଇଥିବାରୁ ତାକୁ ମାରି ଲଟକାଇ ଦିଆଗଲା । କରୋନା ପୂର୍ବରୁ ଡେଭିଡ୍‌ ମୁମ୍ବାଇର ଗୋଟିଏ ହୋଟେଲରେ ୱେଟର କାମ କରୁଥିଲା । କରୋନା କାରଣରୁ ହୋଟେଲ ବନ୍ଦ ହୋଇଯିବାରୁ ସେ ଘରକୁ ଫେରି ଆସିଥିଲା । ମାତ୍ର କ’ଣ ପାଇଲା? ମଣିପୁର ରକ୍ତପାତର ମୂକସାକ୍ଷୀ ପାଲଟିଛି ପୁଲିସ ଓ ଅର୍ଦ୍ଧସାମରିକ ଜବାନ ବାହିନୀ । ପୁଲିସ ସହିତ ଆସିଥିବା ରକ୍ତମୁଖା ଲୋକମାନେ ଡେଭିଡକୁ ମାରି ତା’ର ମୁଣ୍ଡକୁ ଟାଙ୍ଗିଦେଲେ । ଏବେ ପୁଲିସଠାରୁ ଡେଭିଡ ପରିବାର କି ନ୍ୟାୟ ପାଇବେ? ମଣିପୁର ମୁଖ୍ୟମନ୍ତ୍ରୀ ଲୋକ ଦେଖାଣିଆ ଆହା ଚୁ ଚୁ ହେଉଛନ୍ତି ।