୨୩ ଦିନର ନବଜାତଙ୍କ ଗର୍ଭରେ ୮ଟି ଭ୍ରୁଣ

ଆଜିସୁଦ୍ଧା ପୃଥିବୀ ପୃଷ୍ଠରେ ଏଭଳି ମାମଲାର ସଂଖ୍ୟା ୨୦୦ରୁ କମ୍‌…..

ରାଂଚି: ଗୋଟିଏ ୨୩ ଦିନର ନବଜାତଙ୍କ ଗର୍ଭରୁ ୮ଟି ଭ୍ରୁଣ ବାହାର କରିଛନ୍ତି ଡାକ୍ତର ଟିମ୍‌ । ଏଭଳି ମାମଲାକୁ ବିଶ୍ୱରେ ବିରଳତମ କହିଛନ୍ତି ଡାକ୍ତର ମଣ୍ଡଳୀ । ସୂଚନା ମୁତାବକ, ଝାଡ଼ଖଣ୍ଡର ରାମଗଡ଼ରେ ଏହି ଘଟଣା ଦେଖିବାକୁ ମିଳିଛି । ନବଜାତଟିର ଚିକିତ୍ସା ରାଂଚିର ରାଣୀ ଚିଲ୍‌ଡ୍ରେନ୍‌ ହସ୍ପିଟାଲରେ ଚାଲିଥିଲା । ଅସ୍ତ୍ରୋପଚାର କରିଥିବା ଡାକ୍ତର କହିଛନ୍ତି, ପିଲାଟିର ଜନ୍ମ ୧୦ ଅକ୍ଟୋବରରେ ହୋଇଥିଲା । ଜନ୍ମ ସମୟରେ ନବଜାତର ଗର୍ଭରୁ ପୂଜ ବାହାରୁଥିଲା ।

ଦୁଇଦିନ ପରେ ତାକୁ ଉକ୍ତ ହସ୍ପିଟାଲକୁ ଅଣା ଯାଇଥିଲା । ସ୍କାନ୍‌ କରିବା ଫଳରେ ପିଲାଟିର ପେଟରେ ଡର୍ମାଇଟ୍‌ ସିଷ୍ଟ ଆଶଙ୍କା କରାଗଲା । ତେଣୁ ସାମାନ୍ୟ ଚିକିତ୍ସା ପରେ ତାକୁ ଘରକୁ ପଠାଇ ଦିଆଗଲା । ୨୧ ଦିନ ପରେ ପିଲାଟିକୁ ଧରି ହସ୍ପିଟାଲକୁ ଆସିବା ପାଇଁ ଅଭିଭାବକଙ୍କୁ କୁହାଗଲା । ନଭେମ୍ବର ୨ ତାରିଖରେ ଅପରେସନ୍‌ କରି ପିଲାଟିର ଗର୍ଭରୁ ୮ଟି ଭ୍ରୁଣ ବାହାର କରାଗଲା । ଡାକ୍ତର ଇମରାନ୍‌ କହିଛନ୍ତି, ଏ ପ୍ରକାର ମାମଲାକୁ ‘ଫିଟ୍ସ ଇନ୍‌ ଫିଟୁ’ କହନ୍ତି ।

ପ୍ରାୟ ୫ରୁ ୧୦ ଲକ୍ଷ ପିଲାଙ୍କ ଭିତରୁ ଜଣକ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳେ । ଆଜିସୁଦ୍ଧା ପୃଥିବୀ ପୃଷ୍ଠରେ ଏଭଳି ମାମଲାର ସଂଖ୍ୟା ୨୦୦ରୁ କମ୍‌ । ଅନ୍ୟ ନବଜାତଙ୍କ ଗର୍ଭରୁ ଗୋଟିଏ ବା ଦୁଇଟି ଭ୍ରୁଣ ବାହାର କରାଯିବାର ନଜିର ରହିଛି । ମାତ୍ର ୮ଟି ଭ୍ରୁଣ ବାହାର କରାଯିବା ବିଶ୍ୱରେ ପ୍ରଥମ । ଭାରତରେ ଏଭଳି ୧୦ଟି ଘଟଣା ଦୃଷ୍ଟିଗୋଚରକୁ ଆସିଛି । ‘ଫିଟ୍ସ ଇନ୍‌ ଫିଟୁ’ ମାମଲା ହେଉଛି ନବଜାତ ଗର୍ଭରେ ଭ୍ରୁଣ ବିକଶିତ ହେବା ।

ପ୍ରସୂତିଙ୍କ ଗର୍ଭରେ ଭ୍ରୁଣଟି ବିକଶିତ ହେଉଥିବା ସମୟରେ ଅନ୍ୟ ଗୋଟିଏ କୋଷ ପିଲାଟିର ଗର୍ଭରେ ପ୍ରବେଶ କରି ବିକଶିତ ହୋଇଥାଏ । ତେବେ ଗୋଟିଏ ଭ୍ରୁଣ ଗର୍ଭକୁ ଆଉ ଗୋଟିଏ କୋଷ କିପରି ପ୍ରବେଶ କରେ, ତା’ର ବଳିଷ୍ଠ ପ୍ରମାଣ ଅଦ୍ୟାପି ଗବେଷକମାନେ ବାହାର କରିପାରି ନାହାନ୍ତି । ଯାହାବି କାରଣ କୁହାଯାଉଛି, ତାହା କେବଳ ଆଖିଦେଖା କଥା । ତେବେ କଥା ହେଉଛି, ନବଜାତ ଗର୍ଭରେ ଆଉ ଗୋଟିଏ ଭ୍ରୁଣ ରହିଥିବା କିପରି ଜଣାପଡେ଼ । ନବଜାତର ପରିସ୍ରା ବନ୍ଦ ହୋଇ ଯାଇଥିଲେ । ତଳିପେଟ ଯନ୍ତ୍ରଣା ହେଉଥିଲେ । ଡାକ୍ତରମାନେ ‘ଫିଟ୍ସ ଇନ୍‌ ଫିଟୁ’ ଆଶଙ୍କା କରିଥାନ୍ତି ।