ମୋଦୀଙ୍କ ଏନ୍ତୁଡ଼ିଶାଳରୁ କେଜ୍ରିୱାଲଙ୍କ ଚାଲେଞ୍ଜ

ନିର୍ବାଚନରେ ହାରଜିତ ସ୍ୱାଭାବିକ….

ଗାନ୍ଧୀନଗର: ଡିସେମ୍ବର ପହିଲା ଓ ୫ ତାରିଖରେ ଗୁଜରାଟରେ ମତଦାନ ଗ୍ରହଣ କରାଯିବ । ଦୁଇଟି ପର୍ଯ୍ୟାୟରେ ଗୁଜରାଟ ବିଧାନସଭା ନିର୍ବାଚନ ସାରିବାକୁ ମୁଖ୍ୟ ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି । ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ନଭେମ୍ବର ୫ରୁ ଆରମ୍ଭ ହୋଇ ୧୪ ତାରିଖରେ ସରିବ । ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ଦାଖଲ ପାଇଁ ନଭେମ୍ବର ୧୦ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି ।

ଗୁଜରାଟର ଭୋଟର ସଂଖ୍ୟା ୪ କୋଟି ୯୦ ଲକ୍ଷରୁ ସାମାନ୍ୟ ଅଧିକ । ଡିସେମ୍ବର ୮ ତାରିଖରେ ଭୋଟ ଗଣତି କରାଯିବ । ଗୁଜରାଟ ନିର୍ବାଚନ ବିଗୁଲ ବାଜିବା ପରେ ଶାସକ ବିଜେପି ଓ ଆପ୍‌ ଶିବିର ଚଳଚଂଚଳ ହୋଇଛି । ଜାତୀୟ ଦଳ କଂଗ୍ରେସ ନିର୍ବାଚନ ଲଢୁଥିଲେ ମଧ୍ୟ ସେତେଟା ତତ୍ପରତା ପ୍ରକାଶ ପାଇନି । ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ କଳାପତାକା ଦେଖାଇଛି ବିଜେପି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏନ୍ତୁଡ଼ିଶାଳରେ ପଶି ଆମ୍‌ ଆଦ୍‌ମୀ ପାର୍ଟି ନିର୍ବାଚନ ଲଢ଼ିବା ଅର୍ଥ ବାଘଗୁମ୍ଫାରେ ପଶି ବାଘକୁ ଆହ୍ୱାନ କରିବା । ନିର୍ବାଚନରେ ହାରଜିତ ସ୍ୱାଭାବିକ; ମାତ୍ର ପ୍ରଧାନମନ୍ତ୍ରୀଙ୍କୁ ଜଣେ ମୁଖ୍ୟମନ୍ତ୍ରୀଙ୍କ ଚାଲେଞ୍ଜ ଛୋଟ କଥା ନୁହେଁ । ହିମାଚଳ ପ୍ରଦେଶ ଓ ଗୁଜରାଟ ବିଧାନସଭାରେ କିଛି ଆସନ ଦଖଲ କରିବା ପରେ ଆମ୍‌ ଆଦ୍‌ମୀ ପାର୍ଟିକୁ ଜାତୀୟ ଦଳ ମାନ୍ୟତା ମିଳିଯିବ ।

ଫଳରେ ଆଗାମୀ ଲୋକସଭା ନିର୍ବାଚନରେ ଆପ୍‌ ଜାତୀୟ ଦଳ ଭାବେ ନୂଆ ଜୀବନ ଆରମ୍ଭ କରିବ । ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଖାଡ୍‌ଗେ ଟିମ୍‌ ଘୋଷିତ ହୋଇନାହିଁ । ଗୁଜରାଟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ଅବଶ୍ୟମ୍ଭାବୀ ।