ବୁଲଡୋଜର ମୁହଁରୁ ରକ୍ଷା ପାଇଗଲା ଗଫୁର ବସ୍ତି

୧୦୦ ବର୍ଷର ବସ୍ତି ଉପରେ ବୁଲଡୋଜର ଚଲାଇବାକୁ ଅନୁମତି ଦେଲେନି ସୁପ୍ରିମକୋର୍ଟ..

ନୂଆଦିଲ୍ଲୀ: ଉତରାଖଣ୍ଡର ହଲଦାନୀରେ ୧୦୦ ବର୍ଷର ବସ୍ତି ଉପରେ ବୁଲଡୋଜର ଚଲାଇବାକୁ ଅନୁମତି ଦେଲେନି ସୁପ୍ରିମକୋର୍ଟ । ଉତରାଖଣ୍ଡ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ । ରେଳବାଇ ମାଲିକାନାରେ ଥିବା ଜମିରୁ ବସ୍ତିବାସିନ୍ଦା, ଡାକ୍ତରଖାନା, ବିଦ୍ୟାଳୟକୁ ହଟାଇବା ପାଇଁ ହାଇକୋର୍ଟ ସ୍ଥାନୀୟ ପ୍ରଶାସନକୁ ଆଦେଶ ଦେଇଥିଲେ । ପ୍ରାୟ ଚାରିହଜାରରୁ ଅଧିକ ପରିବାରଙ୍କୁ ମାସକ ତଳୁ ଉଚ୍ଛେଦ ନୋଟିସ୍‌ ଦିଆଯାଇଥିଲା ।

ରେଳବାଇର ୨୯ ଏକର ଜମି ଉପରେ ଚାରି ହଜାର ପରିବାର ରହି ଆସୁଛନ୍ତି । ବସ୍ତିବାସିନ୍ଦାଙ୍କ କବଳରୁ ଜମିକୁ ଉଦ୍ଧାର କରିବା ପାଇଁ ଗତ ଡିସେମ୍ବର ୨୦ ତାରିଖରୁ ଉତରାଖଣ୍ଡ ହାଇକୋର୍ଟ ଆଦେଶ ଦେଇଥିଲେ । ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ ଗଫୁର ବସ୍ତିବାସିନ୍ଦା ।

ସୁପ୍ରିମକୋର୍ଟ କହିଛନ୍ତି, ରେଳବାଇର ବିକାଶ ପ୍ରତି ଦୃଷ୍ଟି ଦେବାକୁ ଯାଇ ରାତାରାତି ୫୦ ହଜାର ଲୋକଙ୍କୁ ବାସହୀନ କରିବା ଆଦୌ ଗ୍ରହଣୀୟ ନୁହେଁ । ବସ୍ତିବାସିନ୍ଦାଙ୍କୁ ଥଇଥାନ ଓ ଅଧିକାର ରକ୍ଷା ପାଇଁ ସରକାରଙ୍କୁ ଯୋଜନା ମୁତାବକ କାମ କରିବାକୁ ପଡ଼ିବ । ଜଷ୍ଟିସ ସଞ୍ଜୟ କୌଲ ଓ ଜଷ୍ଟିସ୍‌ ଏଏସ୍‌ ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାନବୀୟ ଦୃଷ୍ଟିକୋଣକୁ ବିଚାର କରି ଏଭଳି ରାୟ ପ୍ରଦାନ କରିଛନ୍ତି ।

SLUM SAVED FROM DEMOLITION-01

ରେଳବାଇର ୨୯ ଏକର ଜମିରେ ଗଢ଼ିଉଠିଛି ଗଫୁର ବସ୍ତି । ବସ୍ତିରେ ରହୁଛନ୍ତି ୫୦ ହଜାର ଆବାଳ ବୃଦ୍ଧ ବନିତା । ବସ୍ତିରେ ରହିଛି ୨୦ଟି ମସଜିଦ, ୯ଟି ମନ୍ଦିର ଓ ସ୍କୁଲ ସମେତ ରହିଛି ବହୁ ଦୋକାନ । ବସ୍ତିରେ ଅଧିକାଂଶ ପରିବାର ମୁସଲିମ । ବସ୍ତିବାସିନ୍ଦାଙ୍କର ଯୁକ୍ତି ହେଉଛି ଯେ ସେମାନେ ଉକ୍ତ ସ୍ଥାନରେ ପୁରୁଷ ପୁରୁଷ ଧରି ରହୁଛନ୍ତି । ସେମାନଙ୍କ ପାଖରେ ସରକାରୀ କାଗଜପତ୍ର ରହିଛି । କିଛି ପରିବାର କହିଛନ୍ତି ଯେ ୧୯୪୭ ବିଭାଜନ ପରେ ଅଧିକାଂଶ ପରିବାର ପାକିସ୍ତାନ ପଳାଇଥିଲେ । ସେମାନଙ୍କ ଘରକୁ ନିଲାମ କରିଥିଲେ ସରକାର । ସରକାରଙ୍କଠାରୁ ନିଲାମରେ କିଣିଥିବା ଘରକୁ ରେଳବାଇ ପକ୍ଷରୁ ବେଆଇନ ଦାବି କରିବା ଠିକ ନୁହେଁ ।