ଓଡ଼ିଶାରେ ରୁଷ୍‌ ନାଗରିକଙ୍କ ମୃତ୍ୟୁର ନାୟକ ପୁତିନ!

ଗତ ଦୁଇସପ୍ତାହ ଭିତରେ ଭାରତରେ ତିନିଜଣ ରୁଷିଆ ନାଗରିକ ପ୍ରାଣ..

ନୂଆଦିଲ୍ଲୀ: ଡିସେମ୍ବର ୨୨, ୨୪ ଓ ଜାନୁଆରୀ ୩ । ଗତ ଦୁଇସପ୍ତାହ ଭିତରେ ଭାରତରେ ତିନିଜଣ ରୁଷିଆ ନାଗରିକ ପ୍ରାଣ ହରାଇଛନ୍ତି । ଓଡ଼ିଶାର ସାଇ ଇଂଟରନ୍ୟାସନାଲ ହୋଟେଲରେ ଦୁଇଜଣ ଓ ପାରାଦୀପ ବନ୍ଦର ନିକଟରେ ନଙ୍ଗର ପକାଇଥିବା ଜାହାଜରେ ଜଣେ ରୁଷୀୟଙ୍କ ମୃତ୍ୟୁ ଘଟିଛି । ରୁଷିଆ ରାଜନୀତିରେ ପୁତିନଙ୍କ ଶାସନ ପ୍ରଣାଳୀକୁ ଅନୁଧ୍ୟାନ କରିବାରୁ ଜଣାପଡେ଼, ଗତ ବର୍ଷକ ଭିତରେ ବିଶ୍ୱର ବିଭିନ୍ନ ଦେଶରେ ରହସ୍ୟଜନକ ଭାବେ ପ୍ରାଣ ହରାଇଥିବା ୨୪ ଜଣ ରୁଷୀୟ ନାଗରିକ ପ୍ରାଣ ହରାଇଛନ୍ତି।

ମୃତ ୨୪ ଜଣଙ୍କ ଭିତରୁ ୬ ଜଣ ବହୁତଳ କୋଠାର ଝରକା ବାଟ ଦେଇ ତଳକୁ ଖସି ମରିଛନ୍ତି, ୫ ଜଣ ଫାଶୀ ଲଗାଇ ମରିଛନ୍ତି, ୪ ଜଣ ନିଜକୁ ଗୁଳି କରି ମରିଛନ୍ତି, ୪ ଜଣ ହୃଦଘାତରେ ମରିଛନ୍ତି । ୫ ଜଣ ରହସ୍ୟଜନକ ସ୍ଥିତିରେ ମରିଛନ୍ତି । ମୃତକଙ୍କ ଭିତରେ ପ୍ରତିରକ୍ଷା ଅଧିକାରୀ, ତୈଳ ଓ ଗ୍ୟାସ୍‌ କମ୍ପାନୀର କୋଟିପତି ମାଲିକ, ବିଶିଷ୍ଟ ଶିଳ୍ପପତି, ସାମାଜିକ ପ୍ରତିଷ୍ଠିତ ବ୍ୟକ୍ତି ତଥା ରୁଷିଆ ପ୍ରଶାସନର ବରିଷ୍ଠ ଅଧିକାରୀ ଅଛନ୍ତି।

୨୦୨୦ ମେ’ ୬ ତାରିଖରେ ରୁଷିଆରୁ ପ୍ରକାଶିତ ଏକ ଗଣମାଧ୍ୟମରେ ଖବର ଶୀର୍ଷକ ଥିଲା, ରୁଷିଆରେ କରୋନା ତାଣ୍ଡବ ସମୟରେ ଡାକ୍ତରମାନେ ଝରକା ବାଟେ ତଳକୁ ଡେଇଁ ମରୁଛନ୍ତି କାହିଁକି? ଆତ୍ମହତ୍ୟା କରିଥିବା ଡାକ୍ତରଙ୍କ ପ୍ରତି ପୁତିନଙ୍କ ମନରେ ସାମାନ୍ୟ ଅନୁକମ୍ପା ନଥିଲା । ସତେ ଯେପରି ସବୁକିଛି ସ୍ୱାଭାବିକ।

ବିଗତ ଦୁଇ ଦଶନ୍ଧି ଭିତରେ ପୁତିନଙ୍କ ବହୁତ ଘନିଷ୍ଠ ବା ସମାଲୋଚକମାନେ ପ୍ରାଣ ହରାଉଛନ୍ତି । ମାତ୍ର କାହାରି ମୃତ୍ୟୁକୁ ପୁତିନ ସେତେ ଗୁରୁତ୍ୱ ଦେଇନାହାନ୍ତି କି ମୃତୁୃ୍ୟ ରହସ୍ୟ ଭେଦ କରିବା ପାଇଁ ପୁଲିସକୁ ବାଧ୍ୟ କରିନାହାନ୍ତି । ଅଚଳ ମହାମେରୁ ପରି ପୁତିନ ଯାହା ଠିକ୍‌ ଭାବୁଛନ୍ତି, କରୁଛନ୍ତି।

ରୁଷିଆର ବିଶିଷ୍ଟ ଶିଳ୍ପପତି ଓ ବ୍ୟବସାୟୀଙ୍କ ମୃତ୍ୟୁପରେ ପୁତିନ ସରକାର ସେମାନଙ୍କର ସଂପତିକୁ ସରକାରୀ ସଂପତି ଭାବେ ଘୋଷଣା କରୁଛନ୍ତି ଯାହାକୁ କେନ୍ଦ୍ର କରି ରୁଷିଆର ଶିଳ୍ପପତି ଗୋଷ୍ଠୀ ଗଭୀର ଚିନ୍ତାରେ ପଡ଼ିଛନ୍ତି । ପୁତିନଙ୍କ ପ୍ରମୁଖ ସମାଲୋଚକ ବିଲ ବ୍ରାଉଡରଙ୍କ ମତରେ ଯେତେବେଳେ ଗୋଟିଏ ନିର୍ଦ୍ଧିଷ୍ଟ ଗୋଷ୍ଠୀରେ ରହସ୍ୟଜନକ ମୃତ୍ୟୁ ଧାରା ଅବ୍ୟାହତ ରହେ, ଜାଣିବାକୁ ହେବ ମୃତ୍ୟୁର ମହାମାରୀ ମୂଳଦୁଆ ପକାଇଛି । ସଂକ୍ଷେପରେ କହିଲେ ବ୍ରାଉଡର ପୁତିନ ସରକାରଙ୍କ ଉପରେ ସନ୍ଦେହ ପ୍ରକଟ କରିଛନ୍ତି।

ଏବେ କଥା ଉଠୁଛି, ପୁତିନ ଏପରି ହୀନ ଷଡ଼ଯନ୍ତ୍ର କରିବେ କାହିଁକି? ବ୍ରାଉଡରଙ୍କ ମତରେ ୟୁକ୍ରେନକୁ ଆକ୍ରମଣ କରିବା ଫଳରେ ରୁଷିଆରେ ଆର୍ଥିକ ସଂକଟ ଦେଖାଦେଇଛି । ସରକାର ପରିଚାଳନା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି । ଲୋକଙ୍କ ଅର୍ଥକୁ ହଡ଼ପ କରିବା ପାଇଁ ଏହାଠାରୁ ବଳି ସହଜ ରାସ୍ତା ଆଉ କିଛି ନାହିଁ । ବିଶିଷ୍ଟ ବ୍ୟବସାୟୀ ଓ ଶିଳ୍ପପତିଙ୍କଠାରୁ ବିପୁଳ ଚାନ୍ଦା ମାଗ, ନମିଳିଲେ ଯମପୁରକୁ ପଠାଇ ସବୁ ସଂପତି ମାଡ଼ିବସ।