ଜିଡିପି ୨.୩ ଲକ୍ଷ କୋଟିକୁ ବଢ଼ିଛି -ମୋଦି

ନୂଆଦିଲ୍ଲୀ: ଦେଶର ଜିଡିପି ୭ରୁ ୮ ବର୍ଷ ମଧ୍ୟରେ ୧ ଲକ୍ଷ କୋଟିରୁ ଅଧିକ ବଢ଼ିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାବି କରିଛନ୍ତି। ସେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟକୁ ବିକାଶଶୀଳ ବୋଲି କହିଛନ୍ତି।

ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ବଜେଟ ସମ୍ପର୍କରେ ବୁଝାଇବା ପାଇଁ ଗୋଟିଏ ଭର୍ଚୁଆଲ ସଭାର ଆୟୋଜନ ହୋଇଥିଲା। ଏହି ସମୟରେ ମୋଦି ବିଜେଟରେ ହୋଇଥିବା ସମସ୍ତ ବିଷୟ ଗୁଡ଼ିକ ବିଷୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ବୁଝାଇଛନ୍ତି । ସେ କହିଛନ୍ତି, “ବଜେଟରେ ହୋଇଥିବା ବ୍ୟବସ୍ଥା ପ୍ରଶଂସନୀୟ। ୭ରୁ ୮ ବର୍ଷ ତଳେ ଭାରତର ଜିଡିପି ୧ ଲକ୍ଷ ୧୦,୦୦ କୋଟି ଥିଲା। କିନ୍ତୁ ଆଜି ଏହା ୨ ଲକ୍ଷ ୩୦,୦୦ କୋଟିକୁ ବୃଦ୍ଧି ପାଇଛି।

ମହାମାରୀ କରୋନା ସମୟରେ ବି ଭାରତର ଅର୍ଥନୀତିରେ ସ୍ଥିରତା ଦେଖାଯାଇଥିଲା। ଏହି ଅର୍ଥନୀତିକ ସ୍ଥିରତା ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଥିଲା। ଚଳିତ ବଜେଟରେ ଜରୁରୀ ଆବଶ୍ୟକ କରୁଥିବା ଲୋକ, ମଧ୍ୟବିତ୍ତ ଓ ଯୁବବର୍ଗଙ୍କ ପାଇଁ ବ୍ୟବସ୍ଥା ହୋଇଛି।” ମୋଦି କହିଛନ୍ତି, ଜଳଜୀବନ ମିଶନ ଅଧୀନରେ ୯ କୋଟି ଗ୍ରାମୀଣ ଘରକୁ ପାଇପ ଯୋଗେ ଜଳ ଦିଆଯାଇ ପାରିଛି। ମାତ୍ର ୨ ବର୍ଷ ମଧ୍ୟରେ ୫ କୋଟିର ଅଧିକ ଘରକୁ ପାଇପ ପାଣି ଯୋଗାଇ ଦିଆଯିବା ଗୋଟିଏ ବଡ଼ ଉପଲବ୍ଧି। ଚଳିତ ବର୍ଷ ୪ କୋଟି ଗ୍ରାମୀଣ ଘରକୁ ପାଇପ ଯୋଗେ ପାଣି ଯୋଗାଇ ଦିଆଯିବ। ଲୋକଙ୍କ ପାଇଁ ୮୦ ଲକ୍ଷ ପକ୍କା ଘର ତିଆରି କରିବାକୁ ବଜେଟରେ ବ୍ୟବସ୍ଥା ହୋଇଛି। ଏଥିପାଇଁ ୪୮ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ମୋଦି କହିଛନ୍ତି।