ଜେଟ୍ ଖୋଳ ତିଆରି କରି ଇଞ୍ଜିନ ପାଇଁ ମୋଦିଙ୍କ ହାତକୁ ଅନାଇଛି ହାଲ

୧୨୬ ଟା ରାଫେଲ କିଣିବାର ଚୁକ୍ତି ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୁଣା ଚୁକ୍ତିନାମାକୁ ଚିରି ଦେଲେ । ୨୬ ରାଫେଲ କିଣିବାକୁ ରାଜି ହେଲେ । ହିନ୍ଦୁସ୍ଥାନ ଏରୋନୋଟିକ୍ସ ଲିମିଟେଡ୍‌ ହାତକୁ ୧୦୦ ଟା ଲଢୁଆ ଜେଟ୍‌ ଠିକା ଟେକିଦେଲେ । ହିନ୍ଦୁସ୍ଥାନ ଏରୋନୋଟିକ୍‌ସ କ’ଣ କରିବ? ୧୦୦ ଟା ଜେଟ୍‌ ଫ୍ରେମ ତିଆରି କରି ଇଞ୍ଜିନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଅନାଇବ ।

ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନିକଟରୁ ୧୦୦ ଟା ଇଞ୍ଜିନ ନପାଇଲେ, ହାଲ’ର ହାଲତ ଖରାପ ହୋଇଯିବ । ବାୟୁସେନାକୁ ନିର୍ଦ୍ଧାରିତ ସମୟ ଭିତରେ ଲଢୁଆ ଜେଟ୍‌ ହସ୍ତାନ୍ତର କରି ପାରିବନି ।

ଲଢୁଆ ଜେଟ୍‌ ନଦେଇ ବାୟୁସେନାକୁ ଲଢ଼ିବା ପାଇଁ ଆଦେଶ ଦେବାର ମାନେ କ’ଣ ହୋଇପାରେ? ପାଇଲଟମାନେ ଦଦରା ଯୁଦ୍ଧ ବିମାନ ଧରି କିପରି ଯୁଦ୍ଧ କରିବେ? ଅସଲ କଥା ହେଉଛି, ପ୍ରଧାନମନ୍ତ୍ରୀ ପଦରେ ନରେନ୍ଦ୍ର ମୋଦିଜୀ ଅଛନ୍ତି ମାନେ ଅଡୁଆ କାମ ସହଜରେ ହୋଇଯିବ ।

ବିନା ଯୁଦ୍ଧ ବିମାନରେ ଆମର ଦକ୍ଷ ପାଇଲଟମାନେ ସାହସିକତାର ପରିଚୟ ଦେଇପାରିବେ । ପହଲଗାମ ଆତଙ୍କୀ ହମ୍‌ଲା ମାମଲାରେ ଆମ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ, ଜେକେ ଉପରାଜ୍ୟପାଳ, ବିଦେଶ ମନ୍ତ୍ରୀ, ସୁରକ୍ଷା ପରାମର୍ଶଦାତାଙ୍କ ସବୁ ଭୁଲକୁ ଘୋଡ଼ାଇଦେଲା ‘ଅପରେସନ୍‌ ସିନ୍ଦୁର’ ।

ଦେଶର ୧୪୬ କୋଟି ଜନତା ଆମ ସେନାବାହିନୀର ଜୋସ୍‌ ହୋସ୍‌ ସାହସ ଦେଖିଲେ । ବାଘ ଛାଲ ପିନ୍ଧି ଶକ୍ତିଶାଳୀ ଡିଫେନ୍‌ସ ସିଷ୍ଟମ୍‌କୁ ପିଠି କରି ଠିଆ ହୋଇଥିବା ବିଲେଇକୁ ଦେଖିଲେ । ଏବେ ଆପଣମାନେ ‘ଅପରେସନ୍‌ ସିନ୍ଦୁର’ ଗୁଣ ଗାଇ ଗାଇ ଭୋଟ ମାଗୁଥିବା ବିଜେପି ନେତାଙ୍କୁ ହଜମ କରନ୍ତୁ ।