ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନନ୍ତୁ

ବାଂଲାଦେଶୀଙ୍କୁ ନିରୂପଣ କରିବା ଉପାୟ

ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସଙ୍କ କଥାରେ ରାଗିଗଲେ କିଛି ଦେଶପ୍ରେମୀ ଯୁବକ ଓ ଜଣେ ମହିଳାଙ୍କୁ ସମ୍ମାନ ଦେବାର ଶିଷ୍ଟାଚାର ଭୁଲିଗଲେ । ସୁଲୋଚନା ଦାସ ମେୟର ହେବା ପୂର୍ବରୁ ଜଣେ ମହିଳା ଥିଲେ ଓ ମେୟର ପଦବୀ ଚାଲିଗଲା ପରେ ଜଣେ ମହିଳାର ପରିଚୟ ନେଇ ରହିବେ।

ଦେଶପ୍ରେମୀ ଯୁବକଙ୍କ ମନକୁ ବାଧିଲା ଭଳିଆ କଥା ମେୟର କହିଥିଲେ କି? ମେୟର କହିଲେ ଯେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବ । ତେବେ ଯୋଉ ବାଂଲାଦେଶୀ ପରିବାର ନିକଟରେ ଭାରତ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଭୋଟର କାର୍ଡ, ରାସନ୍‌ କାର୍ଡ, ଆଧାର କାର୍ଡ ଦିଆଯାଇଥିବ, ସେମାନଙ୍କର ଥଇଥାନ କରାଯିବ । ଏଥିରେ ଭୁଲଟା ରହିଲା କୋଉଠି?

ଭୁଲଟା ହେଉଛି ମେୟର ମ୍ୟାଡାମ୍‌ ଭୋଟର କାର୍ଡ, ଆଧାର କାର୍ଡ ଓ ରାସନ୍‌ କାର୍ଡ ହାସଲ କରିଥିବା ଶରଣାର୍ଥୀଙ୍କୁ ବାଂଲାଦେଶୀ କହି ଅପମାନିତ କରି ପକାଇଲେ । ମେୟର ମ୍ୟାଡାମ ବୁଝିଯିବା କଥା ଯେ ଗୋଟିଏ ଚୋର ବିଜେପି କର୍ମୀ ତାଲିକାରେ ଦସ୍ତଖତ କରିଦେଲେ ତା’ର ପରିଚୟ ଆଉ ଚୋର ନୁହେଁ ବିଜେପି ଚେଲା ହୋଇଯାଏ।

ବିଜେପି ଚେଲାଙ୍କୁ ମୋର ଅନୁରୋଧ, ବାଂଲାଦେଶୀ ବୋଲି ଜଣକୁ ଚିହ୍ନଟ କରିବ କିପରି, ସେ ମନ୍ତ୍ରଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନିକଟରୁ ହାସଲ କରନ୍ତୁ । ଯୋଉ ବାଂଲାଦେଶୀ ପରିବାର ନିକଟରେ ଭାରତ ସରକାରଙ୍କ ଭୋଟର କାର୍ଡ, ରାସନ୍‌ କାର୍ଡ ଓ ଆଧାର କାର୍ଡ ରହିଛି, ସେମାନଙ୍କୁ ଅନୁପ୍ରବେଶକାରୀ ତାଲିକାଭୁକ୍ତ କରାଯିବ କି ବାଦ ଦିଆଯିବ, ସେ ବିଷୟ ଟିକେ ମୋହନ ଭାଇଙ୍କୁ ପଚାରିବୁଝ।