୨୭ ତାରିଖରେ ଗ୍ରହରାଜ ଶନିଙ୍କ ଜନ୍ମଦିନ: ବିଧିର ସହିତ ପୂଜାର୍ଚ୍ଚନା କରନ୍ତୁ, ନାନା ଚିନ୍ତାରୁ ମୁକ୍ତ ହୁଅନ୍ତୁ

ଜ୍ୟେଷ୍ଠମାସ ଅମାବାସ୍ୟା ଦିନ ପଡୁଛି ଗ୍ରହରାଜ ଶନିଦେବଙ୍କ ଜନ୍ମତିଥି । ସେଦିନ ପ୍ରତ୍ୟୁଷରୁ ଉଠି ଗାଧୁଆ ପାଧୁଆ ସାରି ବିଧି ମୁତାବକ ପୂଜାର୍ଚ୍ଚନା କଲେ, ଯାବତୀୟ କଷ୍ଟରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ କରାଯାଏ । ପରୀକ୍ଷାରେ ଫେଲ, ଚାକିରି ଚିନ୍ତା, ରୋଗ ଚିନ୍ତା, ରୋଜଗାର ଚିନ୍ତାରୁ ମୁକ୍ତ କରିଥାନ୍ତି ଗ୍ରହରାଜ ଶନି । ଜୀବନରେ ସ୍ଥିରତା ପାଇବାକୁ ହେଲେ ଗ୍ରହରାଜ ଶନିଙ୍କ ଆରାଧନା ଜରୁରୀ ।

ଶନିଦେବଙ୍କ ଆଶୀର୍ବାଦ ବିନା ସଂସାରରେ ଚଳିବା କଷ୍ଟକର ହୋଇଯାଏ । ଶନିଦେବ ହେଉଛନ୍ତି କର୍ମଦାତା ଓ ନ୍ୟାୟଦାତା । ବିନା ପରିଶ୍ରମରେ ଫଳ ମିଳିବନି । ଏହା ଶନିଦେବଙ୍କ ଉପଦେଶ । ସଂସାରରେ ଚଳିବାକୁ ହେଲେ ପ୍ରତ୍ୟେକ ଜୀବକୁ କାମ କରିବାକୁ ପଡ଼ିବ । ସିଂହଟିଏ ହେଲେ ମଧ୍ୟ ତାକୁ ଶିକାର କରି ଭୋକ ମେଂଟାଇବାକୁ ପଡ଼ିବ ।

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଆସନ୍ତା ୨୭ ତାରିଖ ମଙ୍ଗଳବାର ଦିନ ପଡୁଛି ଗ୍ରହରାଜ ଶନିଙ୍କ ଜୟନ୍ତୀ । ଅମାବାସ୍ୟା ତିଥି ଆରମ୍ଭ ହେଉଛି ମେ’ ୨୬ ତାରିଖ ରାତି ୭ଟା ୧୦ ମିନିଟ୍‌ରୁ ଓ ରହିବ ୨୭ ତାରିଖ ସନ୍ଧ୍ୟା ୫ଟା ୨୭ ମିନିଟ୍‌ ପର୍ଯ୍ୟନ୍ତ ।

ସେଦିନ ବ୍ରାହ୍ମ ମୁହୂର୍ତରୁ ଶଯ୍ୟା ତ୍ୟାଗ କରି ନିତ୍ୟକର୍ମ ସାରିବେ । କଳା ଅବା ନୀଳ ରଙ୍ଗର ପୋଷାକ ପିନ୍ଧିବେ । ଗ୍ରହରାଜ ଶନିଙ୍କ ଉଦ୍ଦେଶ୍ୟରେ ଉପାସ କରିପାରିବେ । ବ୍ରତଧାରୀମାନେ କେବଳ ଫଳ ଓ କ୍ଷୀର ସେବନ କରିପାରିବେ । କିଛି ବ୍ରତଧାରୀ ନିର୍ଜଳା ଉପବାସ କରିଥାନ୍ତି । ବ୍ରତଧାରୀ ମାନେ ହାତରେ ଜଳ ଧରି ସଂକଳ୍ପ କରିବା ପରେ ବ୍ରତ ପାଳନ କରିଥାନ୍ତି ।

କଳାରାଶି ହେଉଛି ଶନିଙ୍କ ପ୍ରିୟ ଦ୍ରବ୍ୟ । ଶନିଦେବଙ୍କ ନିକଟରେ ଯାହା ଭୋଗ ଲଗାନ୍ତୁ ନା କାହିଁକି ସେଥିରେ କିଛି କଳାରାଶି ପକାଇବା ଉଚିତ । ଶନିଙ୍କ ମନ୍ତ୍ର ‘ଓଁ ଶଂ ଶନିଶ୍ଚରାୟ ନମଃ’ ୧୦୮ ବାର ଉଚ୍ଚାରଣ କରିବା ଲାଭଦାୟକ ।