ମୁଁ ମୃତ ଦଳିତ ପୀଡ଼ିତାର ଭାଇ କହୁଛି

‘ସବୁଦିନ ପାଇଁ ଦଳିତ ହୋଇ ରହିଗଲୁ’

‘ଏ ହୀନମନ୍ୟତାର ପୂର୍ଣ୍ଣଚ୍ଛେଦ କେବେ?’

ଭଉଣୀ ପ୍ରତି ଗଣଦୁଷ୍କର୍ମକୁ ଦୁଇବର୍ଷ ବିିତିଲାଣି । ସେଇଦିନଠାରୁ ଆମେ ଘରେ ଏକପ୍ରକାର ବନ୍ଦୀ ଜୀବନଯାପନ କରୁଛୁ । ଯୁବକ ହୋଇ କାମକୁ ଯାଇପାରୁନୁ । ପରିବାରର ଝିଅକୁ ବିଦ୍ୟାଳୟକୁ ପଠାଇପାରୁନୁ । ନାନା ପର୍ବପର୍ବାଣୀ ଆସୁଛି, ତା’ ବାଟରେ ଚାଲିଯାଉଛି; ଆମେ ମନଖୁସିରେ ପାଳନ କରିପାରୁନୁ । ନା କେହି ଆମ ଘରକୁ ଆସୁଛନ୍ତି । ନା ଆମେ କାହା ଘରକୁ ଯାଇପାରୁଛୁ । ମୃତ ପୀଡ଼ିତାର ଅସ୍ଥି ବିସର୍ଜନ କରିପାରୁନୁ । ଜୀବନଟା ଖାଲି ଅପେକ୍ଷା ଭିତରେ କଟୁଛି । କୋର୍ଟରୁ ନ୍ୟାୟ ନପାଇବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା ଭିତରେ ରହିବାକୁ ହେବ ।
ଆଜ୍ଞା, ଇଏ ସେଇଘର ଯେଉଁଠି ସମୟ ଆମ ପାଇଁ ଅଟକି ଯାଇଛି ୨୦୨୦ ସେପ୍ଟେମ୍ବର ମାସରୁ । ମୁହଁରେ ମାସ୍କ ଲଗାଇ ପୀଡ଼ିତାଙ୍କ ପରିବାର ଲୋକ କଥା ହେଉଛନ୍ତି । ସେମାନଙ୍କ ଭିତରୁ କେହି ଘର ଭିତରେ ରହି କଥା କହୁଛନ୍ତି ତ କେହି ଘର ବାହାରେ । ଆମେ ପୀଡ଼ିତାଙ୍କ ପରିବାର ସହିତ କଥା ହେଉଥିଲା ବେଳେ ପାଖରେ ଠିଆ ହୋଇଥିଲେ ସଶସ୍ତ୍ର ସିଆରପିଏଫ୍‌ ଜବାନ ।
୨୦୨୦ ନଭେମ୍ବରରୁ ମାଟିର କାନ୍ଥ ଉପରେ ଯାହା ଗୋବରଲିପା ଯାଇଥିଲା । ତା’ ପରଠାରୁ ଆଉ ସେ କାନ୍ଥ ଉପରେ ଗୋବରଲିପା ଯାଇନି । ନୂଅାଁଣିଆ ଛପର ଘର ଭିତରେ ରହୁଥିବା ପରିବାରକୁ କଡ଼ା ସୁରକ୍ଷା ଭିତରେ ରହିବାକୁ ପଡୁଛି । ଏଇ ଘରେ ଦଳିତ ପରିବାରର ଝିଅଟିକୁ ଗଣଦୁଷ୍କର୍ମ କରାଯାଇଥିଲା । ଡାକ୍ତରଖାନାରେ କିଛିଦିନ ଧରି ଯନ୍ତ୍ରଣା ଭୋଗିବା ପରେ ପୀଡ଼ିତା ଜଣକ ଆଖି ବୁଜିଲା । ସେତିକିରେ ପୀଡ଼ିତାକୁ ମୁକ୍ତି ମିଳିଲାନି । ତାଙ୍କ ମୃତଦେହକୁ ପରିବାର ଅନୁପସ୍ଥିତିରେ ତୁରନ୍ତ ଜଳାଇ ଦିଆଗଲା ।
ବେଶ କିଛିମାସ ପାଇଁ ବାତାବରଣରେ ଉଷ୍ମତା ରହିଲା । କେତେବେଳେ ରାଜନେତା ଆସୁଥିଲେ ତ କେତେବେଳେ ସ୍ୱେଚ୍ଛାସେବୀ ସଂସ୍ଥାର ଲୋକମାନେ । ଏବେ ହାଥ୍ରସର ବୁଲିଗଢ଼ିରେ ସବୁକିଛି ସ୍ୱାଭାବିକ । ପ୍ରାୟ ଏକହଜାର ଲୋକଙ୍କୁ ନେଇ ଗଠିତ ଗ୍ରାମରେ ରବିବାର ସକାଳର ଥିରି ପବନ ବହିବାର ନାହିଁ । କାହା ମୁହଁରେ ତାଜା ହସ ନାହିଁ । ଗ୍ରାମର କାହାରି ମନରେ ସରସତା ନାହିଁ । ଗାଁ ଦାଣ୍ଡରେ ଜଣେ ଦୁଇଜଣ ଟହଲ ମାରୁଥିବାର ଦେଖିବାକୁ ମିଳେ । ମାତ୍ର ମିଡିଆ ଲୋକଙ୍କୁ ଦେଖିଲେ ସମସ୍ତେ ତାଟିକବାଟ ପକାଇ ଘରେ ରହିଯାଆନ୍ତି । ଗାଁର ସେଇ ଶୂନଶାନ ରାସ୍ତା ଦେଇ ଆମେ ପୀଡ଼ିତା ପରିବାରଙ୍କ ଘରେ ପହଂଚିଲୁ । ଘର ଚାରିଆଡେ଼ ସିସିଟିଭି କ୍ୟାମେରା । ପହଂଚିବା ମାତ୍ରେ ନାଁ ଠିକଣା ଲେଖାଯିବ । ପରିଚୟ ପତ୍ର ଯାଂଚ କରାଯିବ । କିଛି ସମୟ ଧରି ଫୋନ୍‌ରେ ଭାବ ଆଦାନପ୍ରଦାନ ଚାଲିବ । ତା’ପରେ ପୀଡ଼ିତା ପରିବାରକୁ ଭେଟିବା ପାଇଁ ଅନୁମତିକୁ ଅପେକ୍ଷା କରାଯିବ । ଫୋନ୍‌ରେ ଅନୁମତି ମିଳିଲା ତ ଭଲ ଅନ୍ୟଥା ଫେରିବାକୁ ପଡ଼ିବ । ଏସବୁ ରୁଟିନ୍‌ ୱାର୍କ । ଆମକୁ ତାହା ମାନିବାକୁ ପଡ଼ିଲା । ଆମକୁ ସଶସ୍ତ୍ର ଯବାନଙ୍କ ସହିତ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଅନୁମତି ମିଳିଲା । ପୀଡ଼ିତାଙ୍କ ପରିବାରକୁ କି ପ୍ରଶ୍ନ ପଚରାଯିବ; ତା’ର ଗୋଟିଏ ନକଲ ପଠାଇବାକୁ ହେବ । ଏଣୁତେଣୁ ପ୍ରଶ୍ନ ପଚାରିବାକୁ ବାରଣ ରହିଛି ।
ଆମେ ଯେଉଁ ଘର ଅଗଣାରେ ବସିଲୁ; ସେଠି ଗୋଟିଏ ପାଳକଟା ମେସିନ୍‌ ରଖାଯାଇଛି । ମେସିନଟିରେ କଳଙ୍କି ଲାଗିଗଲାଣି । ମୁଁ ତାକୁ ଦେଖି ପଚାରିଲି, ‘ମେସିନଟା କଳଙ୍କି ଧରିଗଲାଣି’ । ସେପଟୁ ଜବାବ ଆସିଲା, ‘ଦୁଇବର୍ଷ ଭିତରେ ଆମ ଶରୀର କଳଙ୍କି ଧରିଗଲାଣି । ମେସିନ କଥା ଛାଡ଼ନ୍ତୁ ।’
ମୃତକଙ୍କ ବଡ଼ଭାଇ ଆମ ପାଖକୁ ଆସିଲେ । କହିଲେ, କୋଭିଡ୍‌ ସମୟରେ ଆମ ପରିବାରକୁ ଦୁଃଖର କଳାବାଦଲ ଘୋଟିଲା । ଭଉଣୀ ଗଣଦୁଷ୍କର୍ମର ଶିକାର ହୋଇ ଆରପାରିକୁ ଚାଲିଗଲା । ମୋର ଚାକିରି ଚାଲିଗଲା । ଏବେ ଇଂଟରଭ୍ୟୁ ଦେଉଛି; ମାତ୍ର କୋଉଠି କାମ ମିଳୁନି । ଚେହେରା ନଦେଖି ଆମକୁ ଲୋକମାନେ ଚିହ୍ନି ପକାଉଛନ୍ତି । ସାନଭାଇ ଆଉ ମୁଁ ଘରେ ବସିଛୁ । କାମଦାମ ନାହିଁ । ତାରିଖ ପାଖେଇଲେ ଅଦାଲତକୁ ଯାଉ । ନଚେତ ୨୪ ଘଂଟା ପାଇଁ ଘର ଭିତରେ । ଅଗଣାରେ ବନ୍ଧା ଗାଈଟିକୁ ଘାସ ନଚେତ ପାଳ; ପୁଣି କେତେବେଳେ ଦାନା ଦେବାପରେ ଟହଲ ମାରିବା ଛଡ଼ା ଆଉ କିଛି କାମ ନାହିଁ । ପୀଡ଼ିତାଙ୍କ ସାନଭାଇକୁ ପଚାରିଲି, ଦିନସାରା ଘରେ ରହି କ’ଣ କରୁଛ? ଜବାବ ଦେଲା, ‘ମଇଁଷିକୁ ଦାନା, ନଡ଼ା, ଘାସ, ପାଳ ଦିଏ । ତା’ପରେ ଅଗଣାରେ ବୁଲିବା କଥା ।’
ତିନିବଖରା ଓ ଅଗଣାଟିରେ ପରିବାରର ସାତଜଣ ଦୀର୍ଘ ୭୦୦ ଦିନ ଧରି ଗୃହବନ୍ଦୀରେ ଅଛନ୍ତି । ୨୦୨୦ ସେପ୍ଟେମ୍ବର ୧୪ ତାରିଖରେ ଘରଠାରୁ କିଛି ମିଟର ଦୂର ଏକ ଜମିରୁ ଯୁବତୀଙ୍କ ରକ୍ତ ଜୁଡୁବୁଡୁ ଶରୀରକୁ ପ୍ରଥମେ ଦେଖିଲେ ତାଙ୍କ ମା’ । ଡାକ୍ତରଖାନାରେ ୧୫ ଦିନ ଚିକିତ୍ସାଧୀନ ରହିବା ପରେ ପୀଡ଼ିତା ପ୍ରାଣ ହରାଇଲେ । ପରିବାର ଲୋକଙ୍କ ଅଭିଯୋଗ ହେଉଛି, ଗ୍ରାମର ଚାରିଜଣ ସବର୍ଣ୍ଣ ଯୁବକ ଯୁବତୀଙ୍କ ପ୍ରତି ଗଣଦୁଷ୍କର୍ମ କରିଛନ୍ତି ।
ଗ୍ରାମର ଅଧିକାଂଶ ଲୋକ ଫୁସୁରୁଫାସୁରୁ ହୋଇ ଅନର୍‌ କିଲିଂ କରାଯାଇଥିବା କହୁଛନ୍ତି । ଅନର କିଲିଂ ଅଭିଯୋଗକୁ ଖଣ୍ଡନ କରି ପୀଡ଼ିତାଙ୍କ ଭାଇ କହନ୍ତି, ସିବିଆଇ ତଦନ୍ତ ସରିଲାଣି । ତା’ପରେ ଯଦି କେହି ଅନର କିଲିଂ କହୁଛନ୍ତି । ଅପରାଧୀଙ୍କ ନଜରରେ ସମସ୍ତେ ଅପରାଧୀ ଭଳି ଦିଶନ୍ତି ।
ମୃତ ପୀଡ଼ିତାଙ୍କ ଭାଉଜଙ୍କ ଆଖି ସହିତ ଆଖି ମିଶିଲା । ତାଙ୍କ ମନରେ ବହୁତ ଯନ୍ତ୍ରଣା ରହିଥିବା ସ୍ପଷ୍ଟ ବାରି ହୋଇପଡୁଥିଲା । ପଚାରିବାରୁ କହିଲେ, ‘ମନଲାଖି ନଣନ୍ଦଟିଏ ପାଇଥିଲି । ସେ ଚାଲିଯିବା ପରେ ମନ ଭଲ ନାହିଁ ।’