ଇମ୍ରାନଙ୍କୁ ଗିରଫ କରି ପାରିଲାନି ପୁଲିସ

ଇମ୍ରାନଙ୍କ ଗିରଫଦାରିକୁ ଅଟକାଇ ଦେଇଥିବାରୁ ପିଟିଆଇ…

ଇସଲାମାବାଦ: ରାଜକୋଷରୁ ବହୁ ମୂଲ୍ୟବାନ ସାମଗ୍ରୀ ତୋଷରପାତ ଅଭିଯୋଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ହାତରେ ବେଡ଼ି ପିନ୍ଧାଇବାର ଅଭିଳାଷ ନେଇ ମଙ୍ଗଳବାର ସନ୍ଧ୍ୟାରୁ ଅଂଟା ଭିଡିଥିବା ପାକ୍‌ ପୁଲିସ ଓ ଅର୍ଦ୍ଧସାମରିକ ଫଉଜ ଦୀର୍ଘ ୨୨ ଘଂଟା ଧରି ଅବିଶ୍ରାନ୍ତ ଉଦ୍ୟମ କରିବା ପରେ ମୁହଁ ଶୁଖାଇ ଫେରିଯାଇଛି । ଦଳୀୟ କର୍ମୀ ଓ ସମର୍ଥକଙ୍କ ପ୍ରାଣମୂର୍ଚ୍ଛା ପ୍ରତିବାଦ ନିକଟରେ ହାରିଯାଇଛି ପାକିସ୍ତାନ ପୁଲିସ । ଇମ୍ରାନଙ୍କ ଗିରଫଦାରିକୁ ଅଟକାଇ ଦେଇଥିବାରୁ ପିଟିଆଇ କର୍ମୀଙ୍କ ମନରେ ଆନନ୍ଦର ଲହରୀ ଦେଖିବାକୁ ମିଳିଛି ।

ମାତ୍ର ଏହି ଆନନ୍ଦ କେତେଦିନ ପାଇଁ, ତାହା ଇମ୍ରାନଙ୍କୁ ଚିନ୍ତାରେ ପକାଇଛି । ଇମ୍ରାନ ତାଙ୍କର ରାଜନୈତିକ ଭବିଷ୍ୟତକୁ ଭଲ ଭାବରେ ଜାଣନ୍ତି । ପାକ୍‌ ସେନା ଓ ଆଇଏସ୍‌ଆଇକୁ ଚାଲେଞ୍ଜ କରି ପାକିସ୍ତାନରେ ତିଷ୍ଠିବା କଷ୍ଟକର ବୋଲି ଇମ୍ରାନ ଜାଣିଥିଲେ ସୁଦ୍ଧା ଦଳୀୟକର୍ମୀଙ୍କ ମିଳିତ ପ୍ରତିବାଦକୁ ଅଟକାଇ ନଥିଲେ । ବରଂ ବୁଧବାର ସୋସିଆଲ ମିଡିଆରେ ଇମ୍ରାନ କହିଲେ ଯେ ପୁଲିସ ଗୁଳି ଚଳାଉଛି । ଗିରଫଦାରି ଏକ ବାହାନା ମାତ୍ର । ପ୍ରକୃତ ଉଦ୍ଦେଶ୍ୟ ହେଉଛି ତାଙ୍କୁ ହତ୍ୟା କରିବା । ତାଙ୍କୁ ହତ୍ୟା କରିବା ପାଇଁ ଲଣ୍ଡନରେ ହିଁ ଷଡ଼ଯନ୍ତ୍ର କରାଯାଇଛି ।

ଲାହୋର ପୁଲିସ କହିଛି, ଆମେ ଏବେ ଇମ୍ରାନ ଖାନଙ୍କୁ ଗିରଫ କରିବୁ ନାହିଁ ବୋଲି ନିଷ୍ପତି ନେଇ ଫେରିଆସିଛୁ । ମାର୍ଚ୍ଚ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲାହୋରରେ ଅନୁଷ୍ଠିତ ହେଉଛି ପାକିସ୍ତାନ ସୁପରଲିଗ ସିଜନ୍‌-୮ (ପିଏସ୍‌ଏଲ-୮) । ମାର୍ଚ୍ଚ ୧୯ ତାରିଖରେ ଫାଇନାଲ ଅଛି । ସହରରେ ହିଂସା ରକ୍ତପାତର ବାତାବରଣ ଆମ କ୍ରିକେଟିୟର ଓ ବିଦେଶୀ କ୍ରିକେଟିୟରଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ । ତେଣୁ ଆମେ ଅର୍ଦ୍ଧସାମରିକ ଫଉଜକୁ ଫେରାଇ ଆଣିଲୁ ।

କିନ୍ତୁ ଇମ୍ରାନଙ୍କ ବାସଭବନ ଆଗରୁ ସଂଗୃହୀତ ରିପୋର୍ଟ ଆଉ କିଛି ବଖାଣିଛି । ମଙ୍ଗଳବାର ସନ୍ଧ୍ୟାରେ ପୁଲିସ ଓ ଅର୍ଦ୍ଧସାମରିକ ଫଉଜ ଇମ୍ରାନଙ୍କ ଘର ନିକଟରେ ପହଂଚିବା କ୍ଷଣି ସେଠାରେ ଆଗରୁ ରୁଣ୍ଡ ହୋଇଥିବା ଦଳୀୟ କର୍ମୀମାନେ ପୁଲିସ ଉପରକୁ ପଥର ମାଡ଼ କରିବା ସହିତ ଲାଠିମାଡ଼ କରିଥିଲେ । ପୁଲିସ ଉପରକୁ ପେଟ୍ରୋଲ ବୋମା ପକାଇଥିଲେ କିଛି ଦଳୀୟକର୍ମୀ । ପିଟିଆଇ କର୍ମୀଙ୍କ ଷଣ୍ଢୁଆସି ହମ୍‌ଲାକୁ ମୁକାବିଲା କରି ନପାରି ପୁଲିସ ଫେରିଯିବାକୁ ବାଧ୍ୟ ହୋଇଛି ।